ସୁପ୍ରିମକୋର୍ଟଙ୍କ ଛାଟ ପରେ ସରକାରଙ୍କ ଶରଣରେ ସେବାୟତ ! ଶ୍ରୀମନ୍ଦିରରେ ଅଣହିନ୍ଦୁଙ୍କ ପ୍ରବେଶ ଓ ବଂଶାନୁକ୍ରମିକ ସେବାୟତ ନିଯୁକ୍ତିକୁ ବିରୋଧ କରି ମୁଖ୍ୟମନ୍ତ୍ରୀଙ୍କୁ ଫେରାଦ । 

30

କନକ ବ୍ୟୁରୋ : ସୁପ୍ରିମକୋର୍ଟଙ୍କ  କଡା ଆଭିମୁଖ୍ୟ ପରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଫେରାଦ ହୋଇଛନ୍ତି ସେବାୟତ । ପୁରୀ ଶ୍ରୀମନ୍ଦିରକୁ ଅଣହିନ୍ଦୁଙ୍କ ପ୍ରବେଶ ଓ ବଂଶାନୁକ୍ରମିକ ସେବାୟତ ନିଯୁକ୍ତି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଦାବି ରଖିଛନ୍ତି ସେବାୟତଙ୍କ ଏକ ୨୨ଜଣିଆ ପ୍ରତିନିଧି ଦଳ । ଏହି ପ୍ରସଙ୍ଗରେ ସବୁ ପକ୍ଷ ସହ ଆଲୋଚନା କରିବା ପାଇଁ ସେମାନେ ଅନୁରୋଧ କରିଛନ୍ତି ।

ବିଶ୍ୱ ପ୍ରସିଦ୍ଧ ପୁରୀ ଜଗନ୍ନାଥ ମନ୍ଦିରକୁ ଅଣହିନ୍ଦୁଙ୍କ ପ୍ରବେଶ ପ୍ରସ୍ତାବ ଓ ବଂଶାନୁକ୍ରମିକ ସେବାୟତ ନିଯୁକ୍ତି ବନ୍ଦ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ, ସେବାୟତଙ୍କ ମୁଣ୍ଡରେ ଚଡକ ପଡିଛି । ଯେଉଁଥିପାଇଁ ରାଜ୍ୟ ସରକାରଙ୍କ ହସ୍ତକ୍ଷେପ ଦାବି କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ଶ୍ରୀମନ୍ଦିର ସେବାୟତଙ୍କ ପ୍ରତିନିଧି ମଣ୍ଡଳୀ  । ପୁରୀ ସାଂସଦ ପିନାକୀ ମିଶ୍ର ଓ ବିଧାୟକ ମହେଶ୍ୱର ମହାନ୍ତିଙ୍କ ନେତୃତ୍ୱରେ ୨୨ ଜଣିଆ ପ୍ରତିନିଧି ମଣ୍ଡଳୀ ମୁଖ୍ୟମନ୍ତ୍ରୀଙ୍କୁ ଏକ ସ୍ମାରକପତ୍ର ଦେଇଛନ୍ତି । ପୁରୀ ଶ୍ରୀମନ୍ଦିରର ଅନନ୍ୟ ପରମ୍ପରା ଅକ୍ଷୁର୍ଣ୍ଣ ରଖିବା ଦିଗରେ ସରକାର ଯତ୍ନବାନ ହେବେ ବୋଲି ଆଶା ପ୍ରକାଶ କରିଛନ୍ତି ।

ଶ୍ରୀମନ୍ଦିର ଭିତରକୁ ଅଣହିନ୍ଦୁଙ୍କ ପ୍ରବେଶ ପ୍ରସ୍ତାବ ଅତି ସମ୍ବେଦନଶୀଳ ଏବଂ ଧର୍ମୀୟ ଭାବନା ସହ ଜଡିତ । ତେଣୁ ଏନେଇ ଆଲୋଚନା ହେବା ଉଚିତ ନୁହେଁ ବୋଲି ସେବାୟତ କହିବା ସହ, କୋର୍ଟଙ୍କ ପ୍ରସ୍ତାବକୁ ବିରୋଧ କରିଛନ୍ତି । ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକସ କ୍ୟୁରି ଗୋପାଳ ସୁବ୍ରମଣ୍ୟମ ପୁରୀ ଆସିଲେ ତାଙ୍କ ଆଗରେ ସେମାନଙ୍କ ଦାବି ରଖିବା ସହ ଆଗାମୀ ସେପ୍ଟେମ୍ବର ୫ ତାରିଖରେ ସର୍ବୋଚ୍ଚ ନ୍ୟାୟାଳୟରେ ପକ୍ଷ ରଖିବାକୁ ପ୍ରସ୍ତୁତ ହେଉଛି ଛତିଶା ନିଯୋଗ ।

ମିଳିଥିବା ସୂଚନା ଅନୁସାରେ ସୁପ୍ରିମକୋର୍ଟ ଦେଇଥିବା ପ୍ରସ୍ତାବ ମଧ୍ୟରୁ ୫ଟି ଉପରେ ମୁଖ୍ୟତଃ ଆପତି କରୁଛନ୍ତି ସେବାୟତ । ଅଣ ହିନ୍ଦୁଙ୍କ ପ୍ରବେଶ ଓ ବଂଶାନୁକ୍ରମ ସେବାୟତ ନିଯୁକ୍ତି ଉଚ୍ଛେଦ ଅତି ବିତର୍କିତ ପ୍ରସଙ୍ଗ । କିନ୍ତୁ ଅନ୍ନଦାନ ଆଟିକାରୁ ଟଙ୍କା ସଂଗ୍ରହ ଓ ମନ୍ଦିର ଭିତରେ ଥାଳି ରଖି ଭକ୍ତଙ୍କଠାରୁ ଦାନ ସଂଗ୍ରହ ଉପରେ କଟକଣାକୁ ନେଇ ଅସନ୍ତୁଷ୍ଟ ଅଛନ୍ତି ସେବାୟତ । ଯାହା ଶ୍ରୀମନ୍ଦିର ସେବାୟତଙ୍କ ରୋଜଗାରର ଏକ ବଡ ଜରିଆ ।  ଏପଟେ ଶ୍ରୀମନ୍ଦିରକୁ ଅଣହିନ୍ଦୁ ପ୍ରବେଶ ଭଳି ପ୍ରସ୍ତାବ ଦେଇ ଝଡସୃଷ୍ଟି କରିଥିବା ସୁପ୍ରିମକୋର୍ଟ ଏଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗରେ ବୋଧହୁଏ ସବୁ ବର୍ଗର ପ୍ରତିକ୍ରିୟା ଜାଣିବାକୁ ଚାହୁଁଛନ୍ତି । ଯେଉଁଥିପାଇଁ ପୁରୀ ଜିଲ୍ଲା ଜଜ ଦେଇଥିବା ରିପୋର୍ଟକୁ ସର୍ବସାଧାରଣଙ୍କ ଅବଗତି ପାଇଁ ସର୍ବୋଚ୍ଚ ନ୍ୟାୟାଳୟର ୱେବସାଇଟରେ ଅପଲୋଡ କରାଯାଇଛି । ଶ୍ରୀମନ୍ଦିର ପ୍ରଶାସନ ଓ ସଂସ୍କୃତି ମନ୍ତ୍ରାଳୟ ୱେବସାଇଟରେ ମଧ୍ୟ ଏହାକୁ ୨ସପ୍ତାହ ଯାଏଁ ରଖିବାକୁ ନିର୍ଦ୍ଦେଶ ହୋଇଛି ।