ଶ୍ରୀଜଗନ୍ନାଥଙ୍କ ସୁନା ଅଳଙ୍କାର ହିସାବରେ ଗଡ଼ବଡ଼! ସରକାରଙ୍କ ତଥ୍ୟ ଓ ପ୍ରଶାସନ ତଥ୍ୟରେ ରହିଲାନି ତାଳମେଳ । କୁଆଡ଼େ ଗଲା ୨ କେଜିରୁ ଅଧିକ ସୁନା ଅଳଙ୍କାର?

33

କନକ ବ୍ୟୁରୋ: ଶ୍ରୀମନ୍ଦିରରେ ସୁନାର ପରିମାଣ କେତେ ? କୁଆଡେ ଗଲା ୨ କୋଜି ସୁନା ? ସରକାର ଓ ଶ୍ରୀମନ୍ଦିର ପ୍ରଶାସନ ଦେଇଥିବା ତଥ୍ୟରେ ରହୁନାହିଁ ତାଳମେଳ । ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ଯେମିତି ସରକାର ଓ ଶ୍ରୀମନ୍ଦିର ପ୍ରଶାସନ ମଧ୍ୟରେ ତାଳମେଳ ନଥିଲା । ସେପରି ଆଉ ଏକ ଦ୍ୱନ୍ଦ୍ୱ ସାମନାକୁ ଆସିଛି । ଶ୍ରୀମନ୍ଦିରକୁ କେତେ ସୁନା ଅଳଙ୍କାର ଦାନ ସୂତ୍ରରେ ମିଳିଛି, ଏହାକୁ ନେଇ ସଂଦେହ ସୃଷ୍ଟି ହୋଇଛି । କାରଣ ବିଧାନସଭାରେ ଆଇନ ମନ୍ତ୍ରୀ ହିସାବ ଦେଇଛନ୍ତି ଯେ ଅଗଷ୍ଟ ମାସ ସୁଦ୍ଧା ମିଳିଛି ୧୬ କିଲୋ ସୁନା ଅଳଙ୍କାର । ମାତ୍ର ସୂଚନା ଅଧିକାର ଆଇନ ଅନୁସାରେ ମିଳିଥିବା ତଥ୍ୟ କହୁଛି ଜାନୁୟାରୀ ମାସ ସୁଦ୍ଧା ଦାନ ଆକାରରେ ଆସିଥିଲା ୧୮ କିଲୋରୁ ଅଧିକ ସୁନା । ତେବେ ୭ ମାସ ଭିତରେ ୨ କେଜି ସୁନା କୁଆଡେ ଗଲା, ଏହାକୁ ନେଇ ଉଠିଛି ବଡ ପ୍ରଶ୍ନବାଚୀ ।

ଦେଶ ଓ ଦେଶ ବାହାରୁ ଅନେକ ଶ୍ରଦ୍ଧାଳୁ ଶ୍ରୀମନ୍ଦିରରେ ଦାନ କରିଥାନ୍ତି ସୁନା ଅଳଙ୍କାର । ତେବେ ଶ୍ରୀମନ୍ଦିରକୁ ଦାନ ସୁନା ପରିମାଣ ନେଇ ସରକାର ତଥ୍ୟ ରଖିବା ପରେ ଦେଖିବାକୁ ମିଳିଛି ଗଡ଼ବଡ଼ । ଆଇନ ମନ୍ତ୍ରୀଙ୍କ ବିଧାନସଭାରେ ଯେଉଁ ହିସାବ ରଖିଛନ୍ତି, ସେଥିରେ ଉଲ୍ଲେଖ ରହିଛି ଯେ ଗତ ଅଗଷ୍ଟ ୩୧, ୨୦୧୮ ସୁଦ୍ଧା ମିଳିଛି ୧୬ କେଜି ୧୫ ଗ୍ରାମର ସୁନା । ସେପଟେ ଶ୍ରୀମନ୍ଦିର ପ୍ରଶାସନଠାରୁ ସୂଚନା ଅଧିକାର ଆଇନ ଅନୁସାରେ ମିଳିଥିବା ତଥ୍ୟ କିନ୍ତୁ ଅଲଗା । ଆରଟିଆଇ ତଥ୍ୟ ଅନୁସାରେ ୩୧ ଜାନୁଆରୀ, ୨୦୧୮ ସୁଦ୍ଧା ମିଳିଥିଲା ୧୮ କେଜି ୨୧୬ ଗ୍ରାମ ୫୬୩ ମିଲିଗ୍ରାମ ସୁନା ଅଳଙ୍କାର । ୭ ମାସ ପରେ ୨ କେଜି ସୁନା ଗହଣା କିପରି କମିଗଲା, ଏହାକୁ ନେଇ ସଂଦେହ ସୃଷ୍ଟି ହୋଇଛି ।

ବିଧାନସଭାକୁ ଦେଇଥିବା ଉତ୍ତରରେ ରୁପା ଅଳଙ୍କାର ହିସାବ ଦିଆଯାଇନାହିଁ । ଏଥିରେ ଉଲ୍ଲେଖ ରହିଛି ଯେ ୨୦୦୮ ମସିହାରୁ ମିଳିଥିବା ରୁପା ଅଳଙ୍କାରର ରିପୋର୍ଟ ପ୍ରସ୍ତୁତ ହେଉଛି । ମାତ୍ର ଆରଟିଆଇ ରିପୋର୍ଟ କହୁଛି, ୩୧ ଜାନୁଆର ୨୦୧୮ ସୁଦ୍ଧା ମିଳିଛି ୧୧୯ କେଜି ୭୮ ଗ୍ରାମ ୬୨୪ ମିଲିଗ୍ରାମ ରୁପା ଅଳଙ୍କାର ।ରତ୍ନଭଣ୍ଡାର ଚାବି ହଜିବା ନେଇ ଶ୍ରୀମନ୍ଦିର ପ୍ରଶାସନ ଓ ସରକାରଙ୍କ ମଧ୍ୟରେ ଯେପରି ତାଳମେଳ ରହୁନଥିଲା, ଦାନ ଅଳଙ୍କାର ନେଇ ମଧ୍ୟ ସେପରି ସ୍ଥିତି ଉପୁଜିଛି । ଫଳରେ ଶ୍ରୀମନ୍ଦିର ସଂପତିକୁ ନେଇ ପୁଣି ଏକ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି ।