ସମାଧାନ ପାଇଁ ଉଦ୍ୟମ: ସେବାୟତଙ୍କ ସହ ପୁଣି ଆଲୋଚନା ପାଇଁ ପ୍ରଶାସନର ପ୍ରୟାସ, ପୁରୀ ଏସପି କହିଲେ-ସିସିଟିଭି ଯାଂଚ ପରେ ସମାଧାନ ଉଦ୍ୟମ ଚାଲିଛି

113

କନକ ବ୍ୟୁରୋ: ପୁରୀରେ ସେବାୟତ-ପୋଲିସ ବିବାଦ ନେଇଛି ଭୟଙ୍କର ରୂପ । ଗତକାଲି ଉଭୟଙ୍କ ମଧ୍ୟରେ ହୋଇଥିଲା ଗଣ୍ଡଗୋଳକୁ କେନ୍ଦ୍ରକରି ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସମସ୍ତ ନୀତିକାନ୍ତିକୁ ସେବାୟତମାନେ ବନ୍ଦ କରିଦେଇଛନ୍ତି । ନୀତି ବିଳମ୍ବ ଯୋଗୁଁ ମହାପ୍ରଭୁ ରହିଛନ୍ତି ଓପାସ । ଏପରିକି ମନ୍ଦିରର ଭିତର ଦ୍ୱାରକୁ ବି ଏଯାବତ ବନ୍ଦ କରିରଖିଛନ୍ତି । ଫଳରେ ଶହ ଶହ କୋସରୁ ମହାପ୍ରଭୁଙ୍କୁ ଦେଖିବା ଶ୍ରୀକ୍ଷେତ୍ରକୁ ଛୁଟିଆସିଥିବା ଭକ୍ତଙ୍କ ଗ୍ରହଣରେ ତିବ୍ର ଅସନ୍ତୋଷ ଦେଖାଦେଇଛି ।

କିଛି ଭକ୍ତ ତ ବ୍ୟାରିକେଡ ଭାଙ୍ଗି ମନ୍ଦିର ଭିତରକୁ ଧସେଇ ପସିଥିବା ଦେଖିବାକୁ ମିଳିଛି । ସେପଟେ, ଅଚଳାବସ୍ଥା ଦୂର ପାଇଁ ସେବାୟତ ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ମଧ୍ୟରେ ହୋଇଥିବା ଆଲୋଚନା ବିଫଳ ହୋଇଛି । ଏହାପରେ ପୁରୀ ଜିଲ୍ଲାପାଳ ଓ ଏସପି ସମସ୍ୟାର ସମାଧାନ ପାଇଁ ସେବାୟତଙ୍କ ସହ ଆଲୋଚନା କରିବାକୁ ମନ୍ଦିର ଭିତରକୁ ଯାଇଛନ୍ତି ।

ଅନ୍ୟପଟେ ସେବାୟତଙ୍କ ସହ ଆଲୋଚନା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି ସେବାୟତ ନିଜ ବିବେକ ଅନୁସାରେ କାମ କରନ୍ତୁ । ସେପଟେ, ଶ୍ରୀମନ୍ଦିରରେ ଦେଖାଦେଇଥିବା ବିବାଦକୁ ନେଇ ପୁରୀ ଏସପି କହିଛନ୍ତି , ଏମିତି ବିଶୃଙ୍ଖଳା ନୂଆ ନୁହେଁ। ମଝିରେ ମଝିରେ ଏମିତି ହୁଏ। ଏହାକୁ ନେଇ ଭକ୍ତମାନେ ଅସନ୍ତୋଷ ହେବାର କିଛି କାରଣ ନାହିଁ। ମନ୍ଦିର ଖୋଲିଲେ ଭକ୍ତ ଦର୍ଶନ କରିବେ। ଯେପର୍ଯ୍ୟନ୍ତ ମନ୍ଦିରରେ ଅଚଳାବସ୍ଥା ଦୂର ନହୋଇଛି , ସେପର୍ଯ୍ୟନ୍ତ ଭକ୍ତମାନେ ସମୁଦ୍ରକୂଳରେ ବୁଲନ୍ତୁ ଓ ଅନ୍ୟାନ୍ୟ ଦର୍ଶନୀୟ ସ୍ଥାନ ସବୁ ବୁଲି ଦେଖନ୍ତୁ । ବର୍ତ୍ତମାନ ସେବାୟତଙ୍କ ସହ ଜିଲ୍ଲାପାଳ ଏବଂ ପ୍ରଶାସନ ଆଲୋଚନା ପାଇଁ ଯାଇଛନ୍ତି । ଖୁବ୍ ଶୀଘ୍ର ସମସ୍ୟାର ସମାଧାନ ହୋଇପାରେ ବୋଲି ଆଶା ରଖାଯାଉଛି । ତେଣୁ ଭକ୍ତମାନେ ଆଦୌ ବ୍ୟସ୍ତ ହୁଅନ୍ତୁ ନାହିଁ । ଖୁବ୍ ଶୀଘ୍ର ହିଁ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ ।

ଉଲ୍ଲେଖ ଥାଉ କି, ଗତକାଲି ମନ୍ଦିର ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କୁ ନେଇ ଯାଉଥିବା ସେବାୟତ ଓ ପୋଲିସ ଧସ୍ତାଧସ୍ତି ହୋଇଥିଲେ । ସେହି ଦୃଶ୍ୟ ସିସିଟିଭିରେ ମଧ୍ୟ କଏଦ ହୋଇଛି । ସୂଚନା ଅନୁସାରେ ଭିତର ସେବାୟତ ତାଙ୍କ ଶ୍ରଦ୍ଧାଳୁଙ୍କୁ ନେଇ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରକୁ ଯାଉଥିଲେ । ଏହି ସମୟରେ ଯାତ୍ରୀ ଜଣଙ୍କ ବିଦେଶୀ ବୋଲି ସନ୍ଦେହ କରି ପୋଲିସ ଅଟକାଇଥିଲା । ଯାତ୍ରୀଙ୍କ ସପକ୍ଷରେ ଯୁକ୍ତିବାଢି ସେବାୟତ କହିଥିଲେ ସେ ବିଦେଶୀ ନୁହନ୍ତି ବଙ୍ଗାଳି ଭାଷାରେ କଥା ହେଉଛନ୍ତି । ତେବେ ସଂପୃକ୍ତ ଶ୍ରଦ୍ଧାଳୁ ପରିଚୟ ପତ୍ର ଦେଇନପାରିବାରୁ ମନ୍ଦିର ଭିତରକୁ ଛାଡିନଥିଲା ପୁଲିସ । ଆଉ ଏହାକୁ ନେଇ କିଛି ସମୟ ପାଇଁ ପୋଲିସ ଓ ସେବାୟତଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ପରେ ପୋଲିସ- ସେବାୟତ ମୁହାଁମୁହିଁ ହୋଇଥିଲେ । ଏହି ପୁରା ଦୃଶ୍ୟ କଏଦ ହୋଇଥିଲା ସିସିଟିଭିରେ ।