ଶରଧାବାଲିରେ ଦେବଦଳନ ଓ ତାଳଧ୍ୱଜ ରଥ : ଗୁଣ୍ଡିଚା ମନ୍ଦିର ଅଭିମୁଖେ ଆଜି ପୁଣି ଭିଡା ହେବ ଲୀଳାମୟ ପ୍ରଭୁ ଜଗନ୍ନାଥଙ୍କ ରଥ, ଶ୍ରୀକ୍ଷେତ୍ରରେ ଭାବବିହ୍ୱଳ ପରିବେଶ

63

କନକ ବ୍ୟୁରୋ: ଶରଧାବାଲି ପହଂଚିଲେ ଦେବଦଳନ ଓ ତାଳଧ୍ୱଜ । ଗୁଣ୍ଡିଚା ମନ୍ଦିର ଅଭିମୁଖେ ଆଜି ପୁଣି ଭିଡା ହେବ ନନ୍ଦିଘୋଷ । ସକଳ ନୀତିକୁ ନେଇ ଏଥର ତିନି ରଥ ଶ୍ରୀଗୁଣ୍ଡିଚା ମନ୍ଦିରରେ ଲାଗିବ ବୋଲି ଅନୁମାନ କରାଯାଉଥିଲା । ବଡଠାକୁରଙ୍କ ରଥ ଓ ମା ସୁଭଦ୍ରାଙ୍କ ରଥ ସନ୍ଧ୍ୟା ପୂର୍ବରୁ ଶ୍ରୀଗୁଣ୍ଡିଚା ମନ୍ଦିରରେ ପହଁଚିଯାଇଥିଲା ।

କିନ୍ତୁ ଲୀଳାମୟ ପ୍ରଭୁ ଜଗନ୍ନାଥଙ୍କ ରଥ ସନ୍ଧ୍ୟା ପୂର୍ବରୁ ପହଁଚିପାରିନଥିଲା । ଭକ୍ତଙ୍କୁ ଦର୍ଶନ ଦେବାକୁ ବଳଗଣ୍ଡି ଛକରେ ଅଟକି ଯାଇଥିଲେ । ତେଣୁ ସନ୍ଧ୍ୟା ପରେ ଆଉ ରଥ ଟଣା ଯାଇନଥିଲା । ଆଜି ମହାପ୍ରଭୁଙ୍କ ନନ୍ଦିଘୋଷ ରଥ ଟଣାହେବ । ନନ୍ଦିଘୋଷ ରଥ ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ ପହଁଚିବା ପରେ ଆଜି ତିନି ଠାକୁର ରଥରେ ରହିବେ । ଭକ୍ତମାନେ ଚତୁର୍ଦ୍ଧା ମୂରତିଙ୍କୁ ଦର୍ଶନ କରିବେ । ଶ୍ରୀବିଗ୍ରହମାନଙ୍କ ଆଡପ ମଣ୍ଡପ ବିଜେ ଆସନ୍ତାକାଲି ଅନୁଷ୍ଠିତ ହେବ ।

ସେପଟେ, ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ନୀତିକୁ ଶୃଙ୍ଖଳାର ସହ ସେବାୟତ ମାନେ ସାରିଥିଲେ ମଧ୍ୟ ଅନେକ ବିଶୃଙ୍ଖଳା ଜଗନ୍ନାଥ ପ୍ରେମୀଙ୍କୁ ଆଘାତ ପହଚାଂଇଛି । ମହାପ୍ରଭୁଙ୍କ ଟାହିଆ ଛୁଇଁବାକୁ ନିଷେଧ କରାଯାଇଥିଲେ ମଧ୍ୟ ଶ୍ରୀଜଗନ୍ନାଥ ରଥାରୁଢ ହେବା ପରେ ଭକ୍ତମାନେ ଟାହିଆ ଟାଣିନେଇଥିଲେ । ଉଲାଗି ପରେ ସେବାୟତଙ୍କ ହାତରୁ ଶ୍ରୀଜଗନ୍ନାଥଙ୍କ ଟାହିଆକୁ ଅନଧିକୃତ ବ୍ୟକ୍ତି ଓ ପୁଲିସ କର୍ମୀ ଛଡାଇ ନେଇଥିଲେ । ଏହି ଘଟଣାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ସେହିପରି ପୁଲିସ ଅଧିକାରୀ ରଥ କର୍ଡନକୁ ଘେରି ରହିଥିଲେ ବି ଦେବୀ ସୁଭଦ୍ରାଙ୍କ ମସ୍ତକରୁ ତୁଳସୀ ଟାଣି ନିଆଯାଇଥିଲା । ଠାକୁର ଓ ରଥ ଉଭୟଙ୍କୁ ସ୍ପର୍ଶ ଉପରେ କଟକଣା ଜାରି କରାଯାଇଥିଲେ ମଧ୍ୟ ବ୍ୟବସ୍ଥାବଳୀର ଉଲ୍ଲଙ୍ଘନ ହୋଇଥିବା ଦେଖିବାକୁ ମିଳିଥିଲା ।