ପୁରୀରେ ମଣିଷ ଖପୁରୀକୁ ନେଇ ଚାଂଚଲ୍ୟ : ବସ୍ତା ଭିତରୁ ମିଳିଲା ୭ଟି ଖପୁରୀ, ସମୁଦ୍ର କୂଳ ଥାନା ପୁଲିସର ତନାଘନା

38

କନକ ବ୍ୟରୋ : ପୁରୀ ସହରରେ ଏକ ହସ୍ପିଟାଲ ପଛପାଖରେ ଖପୁରୀ ମିଳିବାକୁ ନେଇ ଚାଂଚଲ୍ୟ ଖେଳିଯାଇଛି । ସନ୍ଦେହ କରାଯାଉଛି ଲୋକଙ୍କ ମନରେ ଭୟ ସୃଷ୍ଟି କରିବା ପାଇଁ କେହି ଏହି ଖପୁରୀ ସବୁକୁ ବସ୍ତାରେ ଆଣି ପକାଇଦେଇଛି । ଅନ୍ୟପକ୍ଷରେ ପୋଲିସ ଖପୁରୀର ପରୀକ୍ଷା ପାଇଁ ଫୋରନସିକ ଲ୍ୟାବକୁ ପଠାଇବ ବୋଲି କହିଛି । ଏଥିସହ ଏହି ଘଟଣା ପଛରେ କାହାର ହାତ ରହିଛି ସେନେଇ ତନାଘନା ତଦନ୍ତ ଆରମ୍ଭ କରିଛି ।

ପୁରୀ କମଳା ହସ୍ପିଟାଲ ପରିସରରେ ନରକଙ୍କାଳ । ଏକ ହଳଦିଆ ବସ୍ତାରେ ଭର୍ତ୍ତି ହୋଇଛି ଖପୁରୀ । ଗୋଟେ କି ଦୁଇଟା ନୁହେଁ , ପ୍ରାୟ ୮ଟି ନରକଙ୍କାଳ । ଏହି ଖବର ଜଣାପଡିବା ପରେ ପୁରୀ ସହରରେ ଖେଳିଗଲା ଚାଂଚଲ୍ୟ ।

• ଏହି ଅଂଚଳକୁ ଖପୁରୀ କେଉଁଠୁ ଆସିଲା ?

• କିଏ ପକାଇଲା ନରକଙ୍କାଳ ?

ସମସ୍ତଙ୍କ ମନରେ ଏଭଳି ଅନେକ ପ୍ରଶ୍ନ । ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁସାରେ ଗତକାଲି ରାତିରେ ଜଣେ ଯୁବକ ଏକ ସ୍କୁଟିରେ ଆସିଥିଲେ । ସାଙ୍ଗରେ ଏହି ବସ୍ତାରେ ଭର୍ତ୍ତି ଖପୁରୀ ଆଣି ମେଡିକାଲ ପଛପଟେ ପକାଇ ଚାଲିଯାଇଥିଲେ । ସକାଳୁ ସକାଳୁ ଦେଖିବା ବେଳକୁ ଏହା ମଣିଷ ଖପୁରୀ ବୋଲି ଜଣପଡିଥିଲା ।

ଖପୁରୀ ପଡିବାକୁ ନେଇ ସ୍ଥାନିୟ ଅଂଚଳରେ ଲାଗି ରହିଛି ଭୟର ବାତାବରଣ । କାହିଁକି ଏପରି ପୂର୍ବରୁ କେବେ ଘଟିନଥିଲା । ସ୍ଥାନିୟ ବାସିନ୍ଦାଙ୍କ ମନରେ ଅନେକ ପ୍ରଶ୍ନ,

• ଖପୁରୀ ପକାଇବା ପଛରେ କାରଣ କଣ ହୋଇପାରେ ?

• ଗୁଣିଗାରେଡି ପାଇଁ ଏପରି କରାଯାଇନାହିଁ ତ ?

• ପୂର୍ବଶତ୍ରୁତାକୁ ନେଇ ଭୟ ସୃଷ୍ଟି କରିବା ପାଇଁ କେହି ଖପୁରୀ ପକାଇଛି କି ?

• ନା ଏହା ପଛରେ ଖପୁରୀ ଚାଲାଣ ର‌୍ୟାକେଟ କାମ କରୁଛି ?

ଏସବୁ ଭିତରେ ପୋଲିସ ନିକଟରେ ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଛି ସମୁଦ୍ରକୂଳ ଥାନା ପୋଲିସ । ଖପୁରୀଗୁଡିକୁ ଜବତ କରି ଫୋରେନସିକ ଟେଷ୍ଟ ପାଇଁ ଲାବ୍ରୋଟରୀକୁ ପଠାଯିବ ବୋଲି ପୋଲିସ କହିଛି ।