କନକ ବ୍ୟୁରୋ : ପୁରୀରେ ତେଜୁଛି ଅସନ୍ତୋଷ । ଶ୍ରୀମନ୍ଦିରରେ ଆରମ୍ଭ ହୋଇଥିବା ଧାଡି ଦର୍ଶନକୁ ବିରୋଧ କରି ଆଜି ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି ଜଗନ୍ନାଥ ସେନା । ସକାଳୁ ଆରମ୍ଭ ହୋଇଥିଲା ପୁରୀ ବନ୍ଦ । ବଡ ଦାଣ୍ଡରେ ସକାଳୁ ହଜାର ହଜାର ଜନତା ଓ ଭକ୍ତ ପ୍ରଶାସନର ଏପରି କାମକୁ ବିରୋଧ କରିବା ସହ, ସିଂହଦ୍ୱାର ନିକଟରେ ବ୍ୟାରିକେଡ ଭାଙ୍ଗି ମନ୍ଦିର ଭିତରକୁ ଧସେଇ ପଶିବା ପାଇଁ ଚେଷ୍ଟା କରିଥିଲେ । ଆନ୍ଦୋଳନକାରୀମାନେ ପୁରୀର ସମସ୍ତ ସ୍କୁଲ ଓ କଲେଜକୁ ବନ୍ଦ ରଖିବା ସହ ସମସ୍ତ ଦୋକନ ବଜାର ମଧ୍ୟ ରଖିଛନ୍ତି । ପୁରୀକୁ ସମସ୍ତ ବସ ଚଳାଚଳ ମଧ୍ୟ ବନ୍ଦ ରହିଛି । ସିଂହଦ୍ୱାରଠାରେ ପୋଲିସ ସହ ସାଧାରଣ ଲୋକମାନଙ୍କ  ଧସ୍ତାଧସ୍ତି ମଧ୍ୟ ହୋଇଛି ।

 

ଉତ୍ତ୍ୟକ୍ତ ଲୋକମାନେ ଥାନା ଉପରକୁ ଢେଲା ମାଡ ମଧ୍ୟ କରିଛନ୍ତି । ଲୋକମାନଙ୍କର ଏପରି ଲଙ୍କାକାଣ୍ଡକୁ ଦେଖି ପୋଲିସ ବଡଦାଣ୍ଡରେ ଲାଠି ଚାର୍ଜ ମଧ୍ୟ କରିଥିବା ସୂଚନା ମିଳିଛି । ସ୍ଥାନୀୟ ଲେକାମାନଙ୍କ କହିବା ଅନୁସାରେ ଧାଡି ଦର୍ଶନକୁ ଆମେ ମାନେ ତୀବ୍ର ବିରୋଧ କରୁଛୁ । କାରଣ ଏହା ହେବା ଦ୍ୱାରା ଅନେକ ଲୋକମାନେ ଠାକୁରଙ୍କ ଦର୍ଶନରୁ ବଚିଂତ ରହିବେ । ତେଣୁ ଏହାକୁ କୌଣସି ପରିସ୍ଥିତିରେ ଆମେ ହେବାକୁ ଦେବୁ ନାହିଁ ବୋଲି କିଛି ସ୍ଥାନୀୟ ଲୋକ ପ୍ରତିକ୍ରିୟାରେ କହିଛନ୍ତି । ପୂର୍ବରୁ ଲୋକମାନେ ବାଇଶ ପାହଚରୁ ଲୁହା ରେଲିଂ ଭାଙ୍ଗି ଦେଇଥିଲେ । ମୋଟ ଉପରେ କହିବାକୁ ଗଲେ ବର୍ତମାନ ସମୟରେ ପୁରୀ ଏକ ପ୍ରକାର ଅଶାନ୍ତ ହୋଇପଡିଛି ।