ଫୋନି ଦରଜ ଭୁଲି ସିଧା ହେଉଛି ଶ୍ରୀକ୍ଷେତ୍ର: ବଡ଼ଦାଣ୍ଡର ବଡ଼ଯାତ୍ରା ପୂର୍ବରୁ ପୁରୀକୁ ସୁସ୍ଥ କରିବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ

214

କନକ ବ୍ୟୁରୋ: ଫୋନିର ସଇଁତିରିଶ ଦିନ ପରେ ଧିରେଧିରେ ସିଧା ହେଉଛି ଶ୍ରୀକ୍ଷେତ୍ର । ସବୁତକ ଦୁଃଖ, ସବୁତକ କଷ୍ଟକୁ ଭୁଲି କମର କଷୁଛି ଶଙ୍ଖକ୍ଷେତ୍ର । ଫୋନି ସିନା ଫେରିଯାଇଛି ହେଲେ ସେ ଦେଇଯାଇଥିବା ଦାଗ ଏବେବି ରହିଛି । ଫୋନିର ପ୍ରଳୟଙ୍କରୀ ପବନରେ ପୂରା ଛାରଖାର ହୋଇଥିବା ପୁରୀ ଏବେ ପୂର୍ବ ଅବସ୍ଥାକୁ ଫେରୁଛି । ଦୀର୍ଘ ସଇଁତିରିଶ ଦିନର ସଂଘର୍ଷ ପରେ ଏବେ ନିଜକୁ ଝାଡିଝୁଡି ସଜାଡୁଛି ପୁରୀ । ସମୁଦ୍ରକୂଳଠୁ ସାତପଡା ଯାଏଁ, ପେଣ୍ଠକଟାରୁ ବଡଦାଣ୍ଡ ଯାଏଁ ସବୁଠି, ସବୁସ୍ଥାନରେ ବ୍ୟସ୍ତତାର ଚିତ୍ର, ପୁନରୁଦ୍ଧାର କରିବାର ପ୍ରାଣମୂର୍ଛା ଉଦ୍ୟମ ।

ଆଗକୁ ପବିତ୍ର ଘୋଷଯାତ୍ରା । ହାତରେ ମାତ୍ର ମାସଟାଏ ସମୟ । ତେଣୁ ୟାରି ଭିତରେ ପୁରୀର ହାଲତକୁ ପୂରା ଫିଟ କରିବାକୁ ପଡିବ । ଆଉ ସେଇଥି ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ସବୁକାମ ସାରିବାକୁ ଚାଲିଛି ଉଦ୍ୟମ । ରଥଯାତ୍ରା ଥିବାରୁ କାମକୁ ଖୀପ୍ର କରିଛି ଜିଲ୍ଲା ପ୍ରଶାସନ । ରାସ୍ତାଘାଟ ମରାମତି ସହ ପୁରୀର ସୌନ୍ଦର୍ଯ୍ୟକରଣ ପାଇଁ ଚଲାଇଛି ପୂରା ପ୍ରସ୍ତୁତି ।

ଫୋନି ପରେ ପୁରୀ ସହରର ପ୍ରବେଶ ପଥର ଅବସ୍ଥା ଏକଦମ ନଷ୍ଟ ହୋଇଥିଲା ତେଣୁ ଭକ୍ତଙ୍କ ସୁବିଧା ଓ ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ପ୍ରବେଶ ପଥକୁ ପରିଷ୍କାର କରାଯିବା ସହ ନୂଆ ରାସ୍ତାକୁ ଚଉଡା କରାଯାଉଛି । ସେପଟେ ଅଧା ଅନ୍ଧାରରେ ଉବୁଟୁବ ହେଉଥିବା ଅନେକ ଅଞ୍ଚଳକୁ ଆଲୋକିତ କରିବାକୁ ବି ଜୋରଦାର ଉଦ୍ୟମ ଚାଲିଛି । ଉପୁଡି ପଡିଥିବା ବିଦ୍ୟୁତ ଖୁଣ୍ଟ, ଛିଡି ପଡିଥିବା ତାରକୁ ସଜଡା ହେଉଛି ଆଉ ଅନେକ ସ୍ଥାନରେ ନୂଆ ଖୁଣ୍ଟ ବି ପୋତାଯାଉଛି ।

ଘୋଷଯାତ୍ରାରେ ଘରକୁ କୁଣିଆ ଆସିବେ, ଘରକୁ ପର କରି ବାହାରେ ରହୁଥିବା ପୁଅବୋହୂ, ନାତିନାତୁଣୀ ଘରମୁହାଁ ହେବେ ଆଉ ତାପରେ ଫାଙ୍କାଫାଙ୍କା ଲାଗୁଥିବା ପରିବାରଟା ପୂରି ଉଠିବ । ତେଣୁ ଭାଙ୍ଗିଯାଇଥିବା ଘରକୁ ଭଲକି ତିଆରି କରୁଛନ୍ତି ଅନେକ ଲୋକେ । ଫୋନି ମାଡରେ ଉଜୁଡି ଯାଇଥିବା ଘରକୁ ସଜାଡୁଛନ୍ତି ଲୋକେ । ଆଉ କେତେ ଦିନ ଅପେକ୍ଷା କରିବେ । ସାଇତି ରଖିଥିବା ସବୁ ସମ୍ପତ୍ତି, ସବୁ ସ୍ୱପ୍ନ ଫୋନି ପାଟିରେ ପଶିଯିବା ପରେ ଏବେ ବଳ ଗୋଟାଇ ପୁଣି ଥରେ ନିଜ ଉଜୁଡା ଘରକୁ ସଜାଡିବାରେ ବ୍ୟସ୍ତ ବାତ୍ୟାବିପନ୍ନ । ବଡଦାଣ୍ଡରେ ଲାଗିଥିବା ଅସ୍ଥାୟୀ ଟାୱାରକୁ ମଧ୍ୟ ସ୍ଥାୟୀ କରିବାକୁ ପ୍ରୟାସ ଆରମ୍ଭ ହୋଇଛି । ସେ ଯାହା ବି ହେଉନା କାହିଁକି ମହାପ୍ରଭୁଙ୍କ ମହାନଯାତ୍ରା ପୂର୍ବରୁ ପୁରୀ ନିଜକୁ ପ୍ରସ୍ତୁତ କରୁଛି, ଫୋନିର ଦୁଃଖ ଭୁଲି ଦାରୁବ୍ରହ୍ମଙ୍କ ମାଉସୀମା ଯାତ ପାଇଁ ଦୁଆର ସଜାଡୁଛି…