ପୁରୀ ବାସୁକେରାରେ କାନ୍ଥ ଭୁଶୁଡିବା ଘଟଣା : ତଦନ୍ତ ନିର୍ଦେଶ ଦେଲା ଜିଲ୍ଲା ପ୍ରଶାସନ

28

ପୁରୀ ବ୍ୟୁରୋ , କନକ ନ୍ୟୁଜ୍ : ପୁରୀ ବାସୁକେରା ସରସ୍ୱତୀ ବିଦ୍ୟାମନ୍ଦିରରେ କାନ୍ଥ ପଡ଼ି ଗୁରୁତର ଆହତ ହୋଇଥିବା ଛାତ୍ରୀଙ୍କ ଚିକିତ୍ସା ଚାଲିଛି । କଟକ ବଡ଼ ମେଡ଼ିକାଲରେ ୩ ଜଣଙ୍କ ଚିକିତ୍ସା ଚାଲିଥିବା ବେଳେ ତାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆସୁଥିବା ଡାକ୍ତର କରିଛନ୍ତି । ସେହିପରି ଭୁବନେଶ୍ୱର କ୍ୟାପିଟେଲ ହସ୍ପିଟାଲରେ ମଧ୍ୟ ୧୩ ଜଣଙ୍କର ଚିକିତ୍ସା ଚାଲିଛି।

ଗତକାଲି ସ୍କୁଲ ଛୁଟି ପରେ ପିଲାମାନେ ଘରକୁ ଫେରୁଥିବା ବେଳେ ଏହି ଅଘଟଣ ଘଟିଥିଲା । ସ୍କୁଲ ପାଖରେ ଥିବା ଏକ ଘରର କାନ୍ଥ ଭୁଷୁଡ଼ି ପଡ଼ିଥିଲା । ସେହି କାନ୍ଥ କଡରେ ସାଇକେଲ ରଖିଥିଲେ ଛାତ୍ରୀମାନେ। ଛୁଟି ପରେ ସାଇକେଲ ଆଣିବା ପାଇଁ ଯାଇଥିବା ବେଳେ ଏହି କାନ୍ଥ ତାଙ୍କ ଉପରେ ପଡ଼ି ଯାଇଥିଲା। ଏହି ଘଟଣାରେ ସ୍କୁଲ ୨୫ରୁ ୩୦ ଜଣ ଛାତ୍ରୀ ଆହତ ହୋଇଥିଲେ। ଏହି ଘଟଣାରେ ସ୍କୁଲର ଜଣେ ଛାତ୍ରୀଙ୍କ ଜୀବନ ଚାଲିଯାଇଥିଲା।

ଆହତଙ୍କୁ ପୁରୀ, ଭୁବନେଶ୍ୱର ଏବଂ କଟକ ମେଡ଼ିକାଲରେ ଚିକିତ୍ସା ପାଇଁ ଭର୍ତି କରାଯାଇଥିଲା। ଏମାନଙ୍କ ମଧ୍ୟରୁ ଗୁରୁତର ଥିବା ୩ ଜଣଙ୍କୁ କଟକ ବଡ଼ ମେଡ଼ିକାଲରେ ଚିକିତ୍ସା କରାଯାଉଛି। ଏହି ଘଟଣାର ତଦନ୍ତ ନିର୍ଦେଶ ଦେଇଛନ୍ତି ଜିଲ୍ଲା ପ୍ରଶାସନ। ଏପଟେ ଛାତ୍ରଛାତ୍ରୀଙ୍କ ଚିକିତ୍ସା ଖର୍ଚ୍ଚ ବହନ କରିବେ ବୋଲି ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏଥିସହ ମୃତକଙ୍କ ପରିବାରକୁ ୨ ଲକ୍ଷ ଓ ଗୁରୁତର ଆହତଙ୍କୁ ୫୦ ହଜାର ଟଂକାର ଅନୁକମ୍ପା ରାଶି ଘୋଷଣା କରିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ।