ରତ୍ନଭଣ୍ଡାର ଖୋଲିବା ଦାବିରେ ଆଜିଠୁ ପଦଯାତ୍ରା : ସିଂହଦ୍ୱାର ସମ୍ମୁଖରୁ ନବୀନ ନିବାସ ଯାଏ ଚାଲି ଚାଲି ଯିବେ ଶ୍ରୀଜଗନ୍ନାଥ ସଂସ୍କୃତି ସୁରକ୍ଷା ପରିଷଦ ସଦସ୍ୟ

49

କନକ ବ୍ୟୁରୋ : ଶ୍ରୀମନ୍ଦିରର ସଂସ୍କାରକୁ ନେଇ ଅନେକ ସମୟରେ ବିବାଦ ଦେଖାଯାଇଛି । ତେବେ ରଥଯାତ୍ରା ପୂର୍ବରୁ ରତ୍ନ ଭଣ୍ଡାର ଖୋଲିବା ପାଇଁ ଦାବୀ ହୋଇଥିଲା ଓ ପରେ ଓହା ଖୋଲାଯାଇଥିଲା ମଧ୍ୟ । କିନ୍ତୁ ପରେ ଏହା ମଧ୍ୟରେ କଣ ଥିଲା ତାହାର କୈାଣସି ତଥ୍ୟ ସାର୍ବଜନୀନ ହେଲା ନାହିଁ । ତେଣୁ ପୁଣିଥରେ ରତ୍ନଭଣ୍ଡାର ଖୋଲିକି ତାହା ମଧ୍ୟରେ କଣ କଣ ଅଳଙ୍କାର ରହିଛି ତାହା ଜାଣିବା ପାଇଁ ରତ୍ନଭଣ୍ଡାରକୁ ଖୋଲି ଏଥିରେ ଥିବା ସୁନା, ରୂପା ଏବଂ ମୂଲ୍ୟବାନ ମଣି ମୁକ୍ତା ସବୁ ସୁରକ୍ଷିତ ଅଛି କି ନାହଁ ତାହା ସ୍ପଷ୍ଟ କରିବା ଓ ଅନ୍ୟାନ୍ୟ ଦାବିରେ ଆଜି ପଦଯାତ୍ରା କରିବେ ଶ୍ରୀ ଜଗନ୍ନାଥ ସଂସ୍କୃତି ସୁରକ୍ଷା ପରିଷଦର ସଦସ୍ୟ । ଆଜି ସକାଳ ୯ଟାରୁ ସିଂହଦ୍ୱାର ସମ୍ମୁଖରୁ ପଦଯାତ୍ରା ଆରମ୍ଭ ହୋଇ ଚନ୍ଦନପୁର, ସାକ୍ଷୀଗୋପାଳ, ଡେଲାଙ୍ଗ ଛକ, ପିପିଲି ହୋଇ ୧୮ ତାରିଖ ସକାଳ ୧୧ଟାରେ ନବୀନ ନିବାସରେ ପହଁଚିବେ ବୋଲି ସୂଚନା ମିଳିଛି ।

 

ଏହି ପଦଯାତ୍ରାରେ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ସେମାନେ ତାଙ୍କର ଦାବି ପତ୍ର ଦେବେ । ତେବେ ଦାବି ମଧ୍ୟରେ ରହିଛି ରତ୍ନଭଣ୍ଡାର ଖୋଲିବା, ନବକଳେବରବେଳେ ଘଟିଥିବା ବ୍ରହ୍ମବିଭ୍ରାଟ ଯାହା କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କୁ ଆଘାତ ଦେଇଥିଲା ସେହି ରିପୋର୍ଟକୁ ସାର୍ବଜନୀନ କରନ୍ତୁ । ସେହିପରି ସୁପ୍ରିମକୋର୍ଟରେ ଶ୍ରୀଜଗନ୍ନାଥ ମନ୍ଦିରକୁ ନେଇ ଚାଲିଥିବା ମାମଲାରେ ରାଜ୍ୟ ସରକାର ନିଜର ମତ କଣ ରଖିବେ ତାହା ସର୍ବସାଧାରଣରେ ପ୍ରକାଶ କରିବାକୁ ଦାବି ରହିଛି । ସର୍ବୋଚ୍ଚ ନ୍ୟାୟାଳୟଙ୍କ ପ୍ରସ୍ତାବ ଉପରେ ସେବାୟତମାନେ ଗଜପତି, ଶଙ୍କରାଚାର୍ଯ୍ୟ, ରାଜ୍ୟପାଳଙ୍କ ସହ ଭେଟି ଆଲୋଚନା ମଧ୍ୟ କରିସାରିଛନ୍ତି । ତେବେ ପୁଣିଥରେ ଏହି ବିଷୟରେ ମୁଖ୍ୟମନ୍ତ୍ରୀଙ୍କୁ ସେବାୟତ ଭେଟିବା ଉପରେ ସମସ୍ତଙ୍କର ନଜର ରହିଛି ।