ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ନେଇ ବଢ଼ୁଛି ଅସନ୍ତୋଷ: ମୁହଁ ଖୋଲିଲେ ପୁରୀ ଶଙ୍କରାଚାର୍ଯ୍ୟ, ଯାଂଚ ପାଇଁ କମିସନ ଗଠନ କରିବାକୁ କଲେ ଦାବି

26

କନକ ବ୍ୟୁରୋ: ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିଥିବା ଜଣାପଡିବା ପରେ ବଢୁଛି ଅସନ୍ତୋଷ, ତେଜୁଛି ଆନ୍ଦୋଳନ । ଏବେ ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ପୁରୀ ଶଙ୍କରାଚାର୍ଯ୍ୟ । ସେ ଚାବି ହଜିଯିବା ଘଟଣାର ଯାଂଚ ପାଇଁ କମିସନ ଗଠନ କରିବାକୁ ଦାବି କରିଛନ୍ତି । ଏଥିସହ କିଛି ଦିନ ତଳେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ପାଇଁ ଯେପରି ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ, ଠିକ୍ ସେହିପରି ଚାବି ହଜିବା ଘଟଣାର ତଦନ୍ତ ପାଇଁ ମ୍ଧ୍ୟ ହାଇକୋର୍ଟ ନିର୍ଦ୍ଦେଶ ଦିଅନ୍ତୁ ବୋଲି କହିଛନ୍ତି । ଏବେଠାରୁ ସତର୍କ ନହେଲେ ଶ୍ରୀମନ୍ଦିର ପ୍ରତି ବିପଦ ଆସିପାରେ ବୋଲି କହିଛନ୍ତି ଶଙ୍କରାଚାର୍ଯ୍ୟ ନିଶ୍ଚଳନାନ୍ଦ ସରସ୍ୱତୀ ।

ଅନ୍ୟପଟେ ସିଂହଦ୍ୱାର ଆଗରେ ଆଜି ଜଗନ୍ନାଥ ସେନା ଓ ସଚେତନ ନାଗରିକ ମଂଚ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ରତ୍ନଭଣ୍ଡାରର ଚାବି କୁଆଡେ ଗଲା ତାହାର ପୁଙ୍ଖାନୁପୁଙ୍ଖ ତଦନ୍ତ ଦାବି କରିଛନ୍ତି ବିକ୍ଷୋଭକାରୀ । ଟ୍ରେଜେରୀରୁ ଚାବି ହଜିନି ବରଂ ଚାବିକୁ ଜାଣିଶୁଣି ଗାଏବ କରାଯାଇଛି । ରତ୍ନଭଣ୍ଡାରକୁ ହରିଲୁଟ୍ କରାଯିବା ପରେ ଚାବିକୁ ଲୁଚାଯାଇଥିବା ଅଭିଯୋଗ ଆଣିଛି ସଚେତନ ନାଗରିକ ମଂଚ । ତେଣୁ ଜିଲ୍ଲାପାଳ, ଭଣ୍ଡାର ମେକାପ ଓ ଆଇନ୍ ମନ୍ତ୍ରୀଙ୍କୁ ତଦନ୍ତ ପରିସରଭୁକ୍ତ କରି ରତ୍ନଭଣ୍ଡାର ଚାବିର ଖୋଳତାଡ କରାଯାଉ । ଗତକାଲି ଏହି ପ୍ରସଙ୍ଗରେ କ୍ରାଇମବ୍ରାଂଚ ତଦନ୍ତ ଦାବି କରିଥିଲେ ସେବାୟତ ।