ଚନ୍ଦ୍ରଯାନକୁ ନେଇ ଶଙ୍କରାଚାର୍ଯ୍ୟଙ୍କ ବୟାନ: କହିଲେ, ବେଦ ପଢ଼ନ୍ତୁ ବୈଜ୍ଞାନିକ, ଚନ୍ଦ୍ରକୁ ନେଇ ପୁରାଣରେ ରହିଛି ଅନେକ ଗୁରୁତ୍ୱପୂର୍ଣ ତଥ୍ୟ

ବୈଜ୍ଞାନିକ କହିଲେ, ପୁରାଣକୁ ନେଇ ଚାଲିଛି ଗବେଷଣା, ହେଲେ ଆଧୁନିକ ବିଜ୍ଞାନ ଦେଇଛି ସଠିକ ତଥ୍ୟ

606

କନକ ବ୍ୟୁରୋ: ଚନ୍ଦ୍ରଯାନ-୨ ମିସନକୁ ଭାରତରେ ଯେତିକି ଉତ୍ସାହ ଦେଖିବାକୁ ମିଳୁଛି, ଏହାର ସଫଳତାକୁ ନେଇ ବିଶ୍ୱ ସମୁଦାୟ ସେତିକି ଉତ୍କଣ୍ଠାର ସହ ଅପେକ୍ଷା କରି ରହିଛି । ଆଉ ଏହାରି ଭିତରେ ଆସିଛି ପୁରୀ ଗୋବର୍ଦ୍ଧନ ପୀଠ ଶଙ୍କରାଚାର୍ଯ୍ୟଙ୍କ ବୟାନ । ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ କହିଛନ୍ତି, ଚନ୍ଦ୍ର ଓ ମହାକାଶ ବିଜ୍ଞାନ ଉପରେ ବେଦ ଓ ପୁରାଣରେ ବର୍ଣ୍ଣନା ରହିଛି, ବୈଜ୍ଞାନିକମାନେ ଏହାର ଅନୁଧ୍ୟାନ କରିବା ଉଚିତ । ତେବେ ପୁରାଣ ଶାସ୍ତ୍ରରେ ବର୍ଣ୍ଣିତ ଏହିସବୁ ତଥ୍ୟରେ ସ୍ପଷ୍ଟତା ନଥିବା କହିଛନ୍ତି ବୈଜ୍ଞାନିକ ।

ଜୁଲାଇ ୨୨ ତାରିଖରେ ଚନ୍ଦ୍ରଯାନ-୨ ମିସନ୍ ଆରମ୍ଭ ହେବା ସହ ମହାକାଶ ଗବେଷଣାରେ ଭାରତ ଏକ ସ୍ୱତନ୍ତ୍ର ସ୍ଥାନ ଗ୍ରହଣ କରିଛି । ଇସ୍ରୋର ଏହି ମିସନର ସଫଳତାକୁ ସାରା ବିଶ୍ୱ ଅପେକ୍ଷା କରି ରହିଛି । ଯେଉଁ ଉଦ୍ଦେଶ୍ୟ ନେଇ ଚନ୍ଦ୍ରଯାନ-୨ ଯାତ୍ରା କରିଛି, ତାହା ଯଦି ସଫଳ ହୁଏ, ତେବେ ଚନ୍ଦ୍ରରେ ଜଳର ସ୍ଥିତି ଏବଂ ଜନବସତି ନେଇ ଚାଲିଥିବା ଗବେଷଣାକୁ ସବୁଠୁ ବଡ଼ ଉପଲବ୍ଧି ମିଳିପାରିବ ।

ଭାରତୀୟ ବିଜ୍ଞାନୀଙ୍କ ଏହି ଅଭିଯାନ ସଂପର୍କରେ ସୋସିଆଲ ମିଡିଆରେ ମତ ରଖି ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ କହିଛନ୍ତି, ଚନ୍ଦ୍ରକୁ ନେଇ ବିଷ୍ଣୁପୁରାଣ, ବାୟୁପୁରାଣ ଓ ବେଦ ଆଦି ହିନ୍ଦୁ ଧର୍ମଶାସ୍ତ୍ରରେ ଥିବା ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଉଲ୍ଲେଖ ରହିଛି । ଏହିସବୁ ତଥ୍ୟ ଉପରେ ଧ୍ୟାନ ଦେବାକୁ ପରାମର୍ଶ ଦେଇଛନ୍ତି ଶଙ୍କରାଚାର୍ଯ୍ୟ । ବୈଦିକ ଶାସ୍ତ୍ରରେ ପୃଥିବୀଠାରୁ ଚନ୍ଦ୍ରର ଦୂରତା, ଚନ୍ଦ୍ରର ବ୍ୟାସ ଓ ପରିଧିକୁ ଆକଳନ କରାଯାଇଥିବା କହିଛନ୍ତି ଶଙ୍କରାଚାର୍ଯ୍ୟ । ତେବେ ପ୍ରାଚୀନ ଯୁଗରେ ମହାକାଶ ବିଜ୍ଞାନ ମଧ୍ୟ ବେଶ ଆଗକୁ ଯାଇଥିଲା ବୋଲି ଭାରତୀୟ ମୁନିରୁଷି ମାନେ ଦାବି କରିଥାନ୍ତି । ଏ ନେଇ ଅନେକ ତଥ୍ୟ ବିଭିନ୍ନ ପୁରାଣରେ ମଧ୍ୟ ବର୍ଣ୍ଣନା ରହିଛି । କିନ୍ତୁ ପୁରାଣ ଶାସ୍ତ୍ରରେ ବର୍ଣ୍ଣିତ ଏହିସବୁ ତଥ୍ୟରେ ସ୍ପଷ୍ଟତା ନଥିବା କହିଛନ୍ତି ବୈଜ୍ଞାନିକ ।

• ହିନ୍ଦୁ ଧର୍ମଶାସ୍ତ୍ର ଓ ଆଧୁନିକ ବିଜ୍ଞାନକୁ ନେଇ ଅନେକ ସମୟରେ ତର୍କ ହୋଇଥାଏ ।

• ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ, ପୁରାଣରେ ବର୍ଣ୍ଣିତ ଗଣେଶଙ୍କ ହାତୀ ମୁଣ୍ଡ ବିଶ୍ୱର ପ୍ରଥମ ପ୍ଲାଷ୍ଟିକ ସର୍ଜରୀ

• ତ୍ରିପୁରାର ମୁଖ୍ୟମନ୍ତ୍ରୀ ବିପ୍ଳବ ଦେବ କହିଥିଲେ, ମହାଭାରତ ଯୁଗରେ ଇଂଟରନେଟ୍ ଥିଲା

• ପୂର୍ବତନ କେନ୍ଦ୍ରମନ୍ତ୍ରୀ ସତ୍ୟପାଲ ସିଂହ କହିଥିଲେ ଡାରୱିନଙ୍କ ଥିଓରୀ ଭୁଲ

• ପୁରାଣରେ ବର୍ଣ୍ଣତ ନାରଦ ମୁନିଙ୍କ ସହ ଗୁଗୁଲର ତୁଳନା କରିଥିଲେ ଗୁଜରାଟ ମୂୁଖ୍ୟମନ୍ତ୍ରୀ ବିଜୟ ରୂପାନୀ

• ଏହିପରି ଅନେକ ଉଦାହରଣ ରହିଛି ଯେଉଁଠି ଆଧୁନିକ ବିଜ୍ଞାନର ଉଦ୍ଭାବନ ସହ ହିନ୍ଦୁ ଧର୍ମଶାସ୍ତ୍ରରେ ବର୍ଣ୍ଣିତ ଉପାଖ୍ୟାନକୁ ତୁଳନା କରାଯାଇଥାଏ ।