ପୁରୀ ବେଳାଭୂମିରେ ଚାଲିଛି ପାଚେରୀ ଓ ରାସ୍ତା ନିର୍ମାଣ । ଆଇନର ଉଲ୍ଲଂଘନ ଅଭିଯୋଗ ,ପ୍ରଶ୍ନ ଉଠାଇଲେଲେ ପରିବେଶବିତ୍

ଜିଲ୍ଲା ପ୍ରଶାସନ ପକ୍ଷରୁ ପୁରୀ ବେଳାଭୂମିରେ ଚାଲିଛି ପାଚେରୀ ଓ ରାସ୍ତା ନିର୍ମାଣ

150

କନକ ବ୍ୟୁରୋ : ଜିଲ୍ଲା ପ୍ରଶାସନ ପକ୍ଷରୁ ପୁରୀ ବେଳାଭୂମିରେ ଚାଲିଛି ପାଚେରୀ ଓ ରାସ୍ତା ନିର୍ମାଣ । ବେଳାଭୂମି ଅବକ୍ଷୟ ଅଂଚଳରେ ଚାଲିଛି ନିର୍ମାଣ । ପୂର୍ବରୁ ମଧ୍ୟ ସେହି ଅଂଚଳରେ ଜିଲ୍ଲା ପ୍ରଶାସନର ନିର୍ମାଣ କରିଥିବା ରସ୍ତା ସମୁଦ୍ର ଢେଉରେ ଧୋଇଯାଇ କୋଟି କୋଟି ଟଙ୍କା କ୍ଷତି କରିଥିଲା । ଆଉ ଏବେ ସେଠାରେ ସାମୁଦ୍ରିକ ବିଶେଷଜ୍ଞଙ୍କ ବିନା ପରାମର୍ଶରେ ପ୍ରଶାସନର ନିର୍ମାଣକୁ ନେଇ ପ୍ରଶ୍ନଉଠାଇଛନ୍ତି ବୁଦ୍ଧିଜୀବୀ ଓ ପରିବେଶବିତ୍ ।

 

୧୧ କୋଟି ଟଙ୍କାର ଏହି ପ୍ରକଳ୍ପର ସ୍ଥାୟିତ୍ୱକୁ ନେଇ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହି ଟଙ୍କାରେ ପାଚେରୀ ନିର୍ମାଣ ସହ ରାସ୍ତାର ଉନ୍ନତିକରଣ କରାଯାଉଛି । ସେପଟେ ପୂର୍ତ ବିଭାଗର ନିର୍ବାହୀ ଯନ୍ତ୍ରୀ ସଫେଇ ଦେଇଛନ୍ତି, ଦିଗବାରେଣୀଠାରୁ ପ୍ରାଚୀ ହୋଟେଲ ଯାଏଁ ଥିବା ରାସ୍ତାକୁ ଷ୍ଟର୍ଲିଂ ହୋଟେଲ ଯାଏଁ ସମ୍ପ୍ରସାରଣ କରାଯାଉଛି । ଏଠାରେ ପଥର ବଦଳରେ ୫ ଫୁଟର ଇଟାର ପ୍ରାଚୀର ନିର୍ମାଣ କରାଯାଉଛି । ଏହି ପାଚେରୀ ଦ୍ୱାରା ସ୍ୱର୍ଣ୍ଣାଭ ବେଳାଭୂମିର ପ୍ରାକୃତିକ ଦୃଶ୍ୟ ଉପଭୋଗରୁ ବଂଚିତ ହେବେ ପର୍ଯ୍ୟଟକ ।

ସେପଟେ ପାଚେରୀ, ପଥର ବଦଳରେ ଇଟାରେ ତିଆରି ହେଉଛି । ଏଥିରେ ଲୁଣି ବାଲି ବ୍ୟବହାର ହେଉଥିବାରୁ ନିର୍ମାଣର ମାନ ଓ ସ୍ଥାୟୀତ୍ୱ ନେଇ ବି ପ୍ରଶ୍ନ ଉଠିଛି । ଏହା ସିଆରଜେଡ ଆଇନର ଉଲ୍ଲଙ୍ଘନ ବୋଲି ବି ପରିବେଶବିତ କହିଛନ୍ତି । ତେବେ ଏହାକୁ ଖଣ୍ଡନ କରିଛି ପ୍ରଶାସନ । ୧୦ ବର୍ଷ ତଳେ ପ୍ରଶାସନ ପକ୍ଷରୁ ବେଳାଭୂମିରେ ଷ୍ଟର୍ଲିଂ ଯାଏଁ ନିର୍ମାଣ ହୋଇଥିଲା ପକ୍କା ରାସ୍ତା । ସମୁଦ୍ର ଅବକ୍ଷୟ ଯୋଗୁଁ ରାସ୍ତା ଧୋଇଯାଇ ହୋଟେଲ ମଧ୍ୟ ଭାଙ୍ଗି ଯାଇଥିଲା । ଆଉ ପୁଣି ଥରେ ପ୍ରଶାସନ ପକ୍ଷରୁ ୧୧ କୋଟି ଟଙ୍କାର ଏହି ପ୍ରକଳ୍ପର ସ୍ଥାୟିତ୍ୱକୁ ନେଇ ଆଶଙ୍କା ଦେଖାଦେଇଛି ।