ସରକାରଙ୍କୁ ସହଯୋଗ ନକରିବା ପାଇଁ ସେବାୟତଙ୍କ ମେଳି ! ଦ୍ୱିତୀୟ ରଥଯାତ୍ରା ସମନ୍ୱୟ କମିଟି ବୈଠକରେ ଅନୁପସ୍ଥିତ ରହିବାକୁ ଆହ୍ୱାନ

30

କନକ ବ୍ୟୁରୋ: ସରକାରଙ୍କୁ ସହଯୋଗ ନକରିବା ପାଇଁ ସେବାୟତଙ୍କ ମେଳି । ଆସନ୍ତାକାଲି ବସିବାକୁ ଥିବା ଦ୍ୱିତୀୟ ରଥଯାତ୍ରା ସମନ୍ୱୟ କମିଟି ବୈଠକରେ ଅନୁପସ୍ଥିତ ରହିବାକୁ ଆହ୍ୱାନ ଦେଇଛନ୍ତି ସେବାୟତ । ଶ୍ରୀମନ୍ଦିର ଦକ୍ଷିଣ ଦ୍ୱାର ଓ ମେଘନାଦ ପାଚେରୀରେ ଏନେଇ ପୋଷ୍ଟର ମାରିଛନ୍ତି ଶ୍ରୀମନ୍ଦିର ସେବାୟତ । ଶ୍ରୀଜଗନ୍ନାଥ ସେବାୟତ ସମ୍ମିଳନୀ ପକ୍ଷରୁ ଏହି ପୋଷ୍ଟର ଲଗାଯାଇଛି ।

ଗତବର୍ଷ ନିଳାଦ୍ରୀବିଜେ ସମୟରେ ସେବାୟତ ପରିବାର ସଦସ୍ୟ, ରଥ ଉପରେ ଚଢିବାକୁ ଯେଉଁଭଳି ଭାବରେ ଚିିିତ୍ରଣ କରାଗଲା ତାହା ପ୍ରତିବାଦରେ ଏଭଳି ପୋଷ୍ଟର ମରାଯାଇଛି । ଜିଲ୍ଲା ପ୍ରଶାସନ ସେବାୟତ ସମାଜକୁ ସାରା ବିଶ୍ୱରେ ନିନ୍ଦିତ କରିଥିବା ଏହି ପୋଷ୍ଟରରେ ଲେଖାଯାଇଛି । ଏପରିକି ଗତ ୨୭ ତାରିଖରେ ଶ୍ରୀମନ୍ଦିର କୋଇଲି ବୈକୁଣ୍ଠରେ ଏଥିପାଇଁ ବୈଠକ ବସି ନିଷ୍ପତି ନିଆଯାଇଥିଲା । ସେବାୟତ ସମ୍ମିଳନୀ, କେତେକ ନିଯୋଗର କର୍ମକର୍ତା ଓ ପରିଚାଳନା କମିଟି ସଭ୍ୟଙ୍କ ଉପସ୍ଥିତିରେ ଏନେଇ ନୀତିଗତ ନିଷ୍ପତି ହୋଇଛି ।

ଏହାପରେ ପୋଷ୍ଟର ମାରି ସମସ୍ତ ସେବାୟତଙ୍କୁ ବୈଠକରୁ ଦୂରେଇ ରହିବା ପାଇଁ ଅନୁରୋଧ କରାଯାଇଛି । ପ୍ରଶାସନର ବାରଣ ସତ୍ୱେ ସେବାୟତମାନେ ପରିବାର ସଦସ୍ୟଙ୍କୁ ରଥ ଉପରେ ଚଢ଼ାଇବାକୁ ନେଇ ଗତବର୍ଷ ନିଳାଦ୍ରିବିଜେ ସମୟରେ ବିଶୃଙ୍ଖଳା ସୃଷ୍ଟି ହୋଇଥିଲା । ଏଥିପାଇଁ ୮ଜଣ ସେବାୟତଙ୍କୁ ଶ୍ରୀମନ୍ଦିର ପ୍ରଶାସନ ସେବାରୁ ନିଲମ୍ବିତ କରିଛି ।