ପୁଣି କୂଳ ଖାଇଲା ସମୁଦ୍ର ! ସ୍ୱର୍ଗଦ୍ୱାର ସମ୍ମୁଖରେ ଖସିଲା ୧୦ ଫୁଟର ବାଲି ଅତଡ଼ା, ଭୟ ଓ ଆତଙ୍କରେ ସମୁଦ୍ର କୂଳିଆ ଲୋକ ଓ ବ୍ୟବସାୟୀ

32

କନକ ବ୍ୟୁରୋ : ପୁଣି କୂଳ ଖାଇଲା ସମୁଦ୍ର । ସ୍ୱର୍ଗଦ୍ୱାର ସମ୍ମୁଖ ବେଳାଭୂମିରେ ଆଜି ପୁଣି ୧୦ ଫୁଟରୁ ଅଧିକ ବାଲି ଅତଡ଼ା ଖସିଛି । ଗତକାଲି ପରି ଆଜି ମଧ୍ୟ ବଡ ବଡ ଲହଡି ଆସି କୂଳରେ ମାଡ ହେଉଛି । ସ୍ୱର୍ଗଦ୍ୱାର ସମ୍ମୁଖ ବଡ ବଡ ଲହଡି ଆସି ବେଳାଭୂମିରେ ପସରା ମେଲିଥିବା ବହୁ ଉଠା ଦୋକାନୀଙ୍କ ବ୍ୟବସାୟ ସାମଗ୍ରୀକୁ ଧୋଇ ନେଇଥିବା ଜଣାପଡିଛି । ଏପରିକି ବେଳାଭୂମି ରାସ୍ତାକୁ ଛୁଇଁଛି ସମୁଦ୍ର ଲହଡି । ଏହା ସମୁଦ୍ର କୂଳରେ ବ୍ୟବସାୟ କରୁଥିବା ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନ ପ୍ରତି ବିପଦ ସୃ୍ଷ୍ଟି କରିଛି । ପର୍ଯ୍ୟଟକଙ୍କୁ ମଧ୍ୟ ଅସ୍ତବ୍ୟସ୍ତ କରିଛି । ଆଗକୁ ପୂର୍ଣ୍ଣିମା ଥିବାରୁ ସମୁଦ୍ରର ଏହି ପ୍ରକୋପ ଲାଗି ରହିବ ବୋଲି ମଧ୍ୟ ଆଶଙ୍କା କରାଯାଉଛି ।

 

ସମୁଦ୍ରର ଅଶାନ୍ତ ରୂପ ସ୍ଥାନୀୟ ଅଂଚଳରେ ଭୟର ବାତାବରଣ ସୃଷ୍ଟି କରିଛି । ତେବେ ଆସନ୍ତା ରବିବାର ଦିନ ରାକ୍ଷୀ ପୂର୍ଣ୍ଣମା ଥିବାରୁ ସମୁଦ୍ରରେ ଏପରି ଲହରୀ ହେଉଥିବା କେହି କେହି କହୁଛନ୍ତି । ତେବେ ପୁରୀରେ ଥିବା ପର୍ଯ୍ୟଟକମାନଙ୍କୁ ସମୁଦ୍ରକୁ ଗଲାବେଳେ ସତର୍କ ରହିବା ପାଇଁ ପରାମର୍ଶ ଦିଆଯାଇଥିବା ଜଣାପଡିଛି । ଏବା ପୂର୍ବରୁ ମଧ୍ୟ ସମୁଦ୍ର ରାସ୍ତା ଉପରକୁ ମାଡି ଆସିଥିଲା । ତେବେ ସେତେବେଳେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ପ୍ଲେଟ ଦିଆଯାଇ ସମୁଦ୍ର ଜୁଆରକୁ ଅଟକାିବା ପାଇଂ ବ୍ୟବସ୍ଥା କରାଯାଇଥିଲା । କେବଳ ପୁରୀରେ ନୁହେଁ ବରଂ କେନ୍ଦ୍ରପଡା ସମେତ ଅନେକ ସ୍ଥାନରେ ସମୁଦ୍ର ଏପରି ମାଡି ଆସୁଥିବା ନଜିର ରହିଛି । ତେଣୁ ସେଠାରେ ପସରା ମେଲାଇଥିବା ଦୋକାନୀ ଓ ପୁରୀ ବେଳାଭୂମିରେ ବୁଲୁଥିବା ବାହାର ପର୍ଯ୍ୟଟକମାନଙ୍କୁ ସତର୍କ କରାଯାଇଥିବା ଜଣାପଡିଛି ।