ବିପଦ ସଂକୁଳ ହେଲା ପୁରୀ ରାସ୍ତା ! ସମଯାଜପୁର ଓଭରବ୍ରିଜରେ ନିଆଁ ଲଗାଇଦେଲେ ଦୁର୍ବୃତ

23

କନକ ବ୍ୟୁରୋ : ସମଯାଜପୁର ଓଭରବ୍ରିଜ ପ୍ରତି ପୁଣି ମାଡିଆସିଲା ବିପଦ । କାରଣ ସଂପୂର୍ଣ୍ଣ ବାଲି ବସ୍ତା ଉପରେ ଛିଡା ହୋଇଥିବା ପୋଲରେ ନିଆଁ ଲଗାଇ ଦେଇଛନ୍ତି କେହି ଦୁର୍ବୃତ । ପ୍ଲାଷ୍ଟିକ ବାଲି ବସ୍ତାରେ ନିଆଁ ଲାଗି ନଷ୍ଟ ହୋଇଯାଇଥିବାରୁ ବାଲି ଖସିବା ଆରମ୍ଭ ହୋଇଛି । ଆଉ ଅସରାଏ ବର୍ଷା ହେଲେ ପୋଲ ସଂପୂର୍ଣ୍ଣ ଭୁଷୁଡି ପଡିବା ଆଶଙ୍କା ଦେଖାଦେଇଛି । ନବକଳେବର ଭିତିଭୂମି ନାଁରେ ତରବରିଆ ଭାବେ ଏହି ପୋଲ ତିଆରି ହୋଇଥିବାରୁ ବାରମ୍ବାର ଏଭଳି ବିପଦ ସୃଷ୍ଟି ହେଉଥିବା କୁହାଯାଉଛି । ଆଗକୁ ରଥଯାତ୍ରା ଥିବାରୁ ଦୁର୍ବଳ ବାଲିବସ୍ତା ଉପରେ ପୋଲର ସ୍ଥାୟୀତ୍ୱ ନେଇ ବି ସନ୍ଦେହ ଉପୁଜିଛି ।

ସବୁଠାରୁ ବଡ କଥା ହେଉଛି, ପ୍ରଥମକରି ଚୀନ ଜ୍ଞାନକୌଶଳରେ ସଂପୂର୍ଣ୍ଣ ବାଲି ବସ୍ତା ପକାଇ ତାରି ଉପରେ ଛିଡା କରାଯାଇଥିଲା ଏତେବଡ ପୋଲ । ନବକଳେବର ଭିତିଭୂମି ବିକାଶ ନାଁରେ ତରବରିଆ ଭାବେ ଏଭଳି ପୋଲ ନିର୍ମାଣକୁ ନେଇ ଦେଖାଦେଲା ବିବାଦ, ଯେତେବେଳେ ପୋଲରେ ଫାଟ ସୃଷ୍ଟିହେଲା । ଆଉ ଏବେ ପୁଣି ଅସରାଏ ବର୍ଷା ହେଲେ ପୋଲତଳେ ଥିବା ବାଲିବସ୍ତା ଧଶିଯିବା ଆଶଙ୍କା ଦେଖାଦେଇଛି । ଆଉ ପୋଲିସରେ ଏଫଆଇଆର କରି ଚୁପ ବସିଛି ଜାତୀୟ ରାଜପଥ ପ୍ରାଧୀକରଣ ।

ପ୍ରଶ୍ନ ଉଠୁଛି
– ବାଲି ବସ୍ତା ଉପରେ ତିଆରି ପୋଲର ସୁରକ୍ଷା ଦାୟିତ୍ୱ କାହାର?
– ଦହନଶୀଳ ଜିଓ ବ୍ୟାଗ୍ ଓ ଗ୍ରିଡ ବ୍ୟବହାର ହୋଇଥିଲେ ବି ସୁରକ୍ଷା ବ୍ୟବସ୍ଥା କାହିଁକି ଗ୍ରହଣ କରାନଗଲା ?
– ୭୦ କୋଟି ଟଙ୍କା ବ୍ୟୟରେ ତିଆରି ଏହି ପୋଲର ରକ୍ଷଣାବେକ୍ଷଣ ଦାୟିତ୍ୱ କାହାର?
– ଆଗକୁ ରଥ ଯାତ୍ରା ଥିବାବେଳେ ଏହି ପୋଲ ଲୋକଙ୍କ ବ୍ୟବହାରରେ ଆସିବ ତ?