ନବୀନଙ୍କ ସୁରକ୍ଷା ଚିନ୍ତା : ବିରୋଧୀଙ୍କୁ ମୁକାବିଲା କରିବା ପାଇଁ ପୁରୀ ପାଲଟିଛି ପୋଲିସ ଛାଉଣୀ

34

ପୁରୀ ବ୍ୟୁରୋ , କନକ ନ୍ୟୁଜ୍ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିରୋଧୀ ଡର । ନିଜ ରାଜ୍ୟରେ ଅସୁରକ୍ଷିତ ମନେ କରୁଛନ୍ତି ନବୀନ । ପୁରୀରେ ଆଜି ହେବାକୁ ଥିବା ରଥଯାତ୍ରା ସମନ୍ୱୟ ବୈଠକରେ ତାଙ୍କୁ ସୁରକ୍ଷା ଦେବା ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଗୋପବନ୍ଧୁ ଆୟୁର୍ବେଦିକ କଲେଜ ସମ୍ମିଳନୀ କକ୍ଷରେ ହେବାକୁ ଥିବା ଏହି ବୈଠକ ପାଇଁ ସଭାସ୍ଥଳକୁ ସଂପୂର୍ଣ୍ଣ ସିଲ୍ କରିଦିଆଯାଇଛି । ମୋଟ ୨୨ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି । ଏହାଛଡା ବୈଠକରେ ଯୋଗଦେବାକୁ ଥିବା ବ୍ୟକ୍ତି ବିଶେଷ ଓ ବିଭାଗୀୟ ଅଧିକାରୀଙ୍କ ସଂଖ୍ୟାକୁ ସୀମିତ ରଖାଯାଇଛି । ଏପରିକି ସୁରକ୍ଷା ବ୍ୟବସ୍ଥା ନେଇ ଏସପିଙ୍କ ନେତୃତ୍ୱରେ ରିହାରସାଲ ମଧ୍ୟ କରାଯାଇଛି । ଭୁବନେଶ୍ୱରରୁ ପୁରୀ ରାଜପଥକୁ ମଧ୍ୟ ପୋଲିସ ଛାଉଣୀ କରିଦିଆଯାଇଛି । ବରଗଡରେ କେନ୍ଦ୍ରମନ୍ତ୍ରୀଙ୍କ ଗାଡିକୁ ବିଜେଡି କର୍ମୀଙ୍କ ଆକ୍ରମଣ ଘଟଣା ପରେ ବିଜେପି ମୁଖ୍ୟମନ୍ତ୍ରୀଙ୍କୁ ବିରୋଧ କରିବା ନେଇ ଚେତାବନୀ ଦେଇସାରିଛି । ସେପଟେ ନବରଙ୍ଗପୁରରେ କଂଗ୍ରେସ ନେତା ପ୍ରଦୀପ ମାଝୀଙ୍କ ଗିରଫଦାରୀକୁ କଂଗ୍ରେସ ବିରୋଧ କରୁଛି । ତେଣୁ ନବୀନଙ୍କ ପୁରୀ ଗସ୍ତ ବେଳେ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହେବା ସମ୍ଭାବନା ଥିବାରୁ ପୋଲିସ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦେଇଛି । ଏପରିକି ଗଣମାଧ୍ୟମ ଉପରେ ମଧ୍ୟ କେତେକ କଟକଣା ଲାଗୁ କରାଯାଇଥିବା ସୂଚନା ମିଳିଛି ।