ଶେଷ ପର୍ଯ୍ୟାୟରେ ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ : ସରିଲା ତିନି ରଥର ଦୁଆର ବେଢ଼ା କାମ, ସେପଟେ ଶ୍ରୀକ୍ଷେତ୍ରରେ ପହଞ୍ଚିଲା ମହାପ୍ରଭୁଙ୍କ ରଥ ଦଉଡ଼ି

94

କନକ ବ୍ୟୁରୋ: ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ମହାପ୍ରଭୁଙ୍କ ତିନି ରଥ ନନ୍ଦିଘୋଷ, ତାଳଧ୍ୱଜ ଓ ଦର୍ପଦଳନ ରଥର ଦୁଆର ବେଢା କାମ ସରିଛି।  ମଙ୍ଗଳବାର ପ୍ରତି ରଥର ଦୁଇଟି ଲେଖା ଦୁଆର ବେଢା ସରିଥିବା ବେଳେ ଗତକାଲି ତିନି ରଥର ୪ଟି ଲେଖା ବେଢା କାମ ସରିଛି। ତିନି ରଥର ସିଂହାସନ, ବେଦି କାମ ଚାଲିଛି। ସେହିଭଳି ତିନି ରଥରେ ଧ୍ୱଜାବତା ବାଡିଆ କାମ ମଧ୍ୟ ଶେଷ ହୋଇଛି। ଚିତ୍ରକରମାନେ ଗତକାଲି ତିନି ରଥରେ ଲାଗିବାକୁ ଥିବା ଘୋଡାମାନଙ୍କର ରଙ୍ଗ କାମ ଶେଷ ପର୍ଯ୍ୟାୟରେ ପହଞ୍ଚାଇଛନ୍ତି। ତିନି ରଥର ୧୨ଟି ଘୋଡାର ରଙ୍ଗ କାମ ଶେଷ ହୋଇଛି।

ରୂପକାର ସେବକମାନେ ପ୍ରଭା ଖୋଦେଇ କରିଛନ୍ତି। ସେହିଭଳି ରଥ ସାରଥୀଙ୍କ ରଙ୍ଗ କାମ ମଧ୍ୟ ହୋଇଛି। ଅନ୍ୟପକ୍ଷରେ ତିନି ରଥରେ ଲାଗିବାକୁ ଥିବା ରଥକନାର ସିଲେଇ କାମ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଆଗେଇ ଚାଲିଛି। ଦାନ ସୂତ୍ରରେ ମିଳିଥିବା ୧୨୫୦ ମିଟର କନାର ସିଲେଇ କାମ ଦରଜିମାନେ ଆଗେଇ ନେଇଛନ୍ତି। ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ପାଇଁ ୪୨୫ ମିଟର, ବଡ ଠାକୁରଙ୍କ ତାଳଧ୍ୱଜ ରଥର ୪୨୫ ମିଟର ଓ ମା ସୁଭଦ୍ରାଙ୍କ ଦର୍ପଦଳନ ରଥ ପାଇଁ ୪୦୦ ମିଟର ରଥକନାର ସିଲେଇ କାମ ଚାଲିଛି। ଦରଜିମାନେ ବତା, ଦୁଆର ବେଢା, ଚନ୍ଦ୍ରଶାଳି, ଅଁଳାଶ୍ରୀ କାମ କରିଛନ୍ତି।

ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ଘୋଷ ଯାତ୍ରାରେ ରଥ ଦଉଡିକୁ ନେଇ ଲାଗି ରହିଥିବା ଅନିଶ୍ଚିତତା ଦୂର ହୋଇଛି। ଘୋଷ ଯାତ୍ରା ପାଇଁ ଆବଶ୍ୟକ ସମସ୍ତ ରଥଟଣା ଦଉଡିି ପୁରୀରେ ପହଞ୍ଚିଛି। ତିନି ରଥ ପାଇଁ ଆବଶ୍ୟକ ୧୨ଟି ଦଉଡି ସହିତ ସାଙ୍ଗରେ ଅଧିକ ୨ଟି ଦଉଡି ଆସିଛି। ଏଥି ସହିତ ଦୁଇଟି କର୍ଡନ( ଘେରି) ଦଉଡି ମଧ୍ୟ ଅଣାଯାଇଛି। ମୋଟ ୧୬ଟି ଦଉଡି ଗତକାଲି ଶ୍ରୀମନ୍ଦିର କାର୍ଯ୍ୟାଳୟ ନିକଟରେ ପହଞ୍ଚିବା ପରେ ଏ ସବୁକୁ ଗୋଦାମ ଘରେ ରଖାଯାଇଛି। ଚନ୍ଦନପୁର ନିକଟସ୍ଥ ବୀରପ୍ରତାପପୁର କତା ନିଗମ କାର୍ଯ୍ୟାଳୟରୁ ସମସ୍ତ ଦଉଡି ଅଣାଯାଇଛି। ତେବେ ଘେରି ପାଇଁ ଆବଶ୍ୟକ ଆଉ ୭ଟି ଦଉଡି ଅଣାଯିବ ବୋଲି ରଥ ତତ୍ତ୍ଵବଧାରକ ସୁଦର୍ଶନ ମେକାପ କହିଛନ୍ତି।