ଏ ସଂପର୍କରେ କୁହାଯାଇଛି, ଗଜପତି ‘‘ରଥ ଅନୁକୂଳଠାରୁ ନିର୍ମାଣ ଶେଷ ପର୍ଯ୍ୟନ୍ତ ବ୍ୟକ୍ତିଗତ ତଦାରଖ କରନ୍ତି’’ ଏବଂ ରାଜଗୁରୁ ‘‘ଗଜପତିଙ୍କ ବ୍ୟକ୍ତିଗତ ତଦାରଖରେ ଗଜପତିଙ୍କୁ ସହାୟତା କରନ୍ତି।’’ କିନ୍ତୁ ଶ୍ରୀମନ୍ଦିର ସ୍ୱତ୍ଵଲିପି ବା ଅନ୍ୟ କୌଣସି ସୂତ୍ରରୁ ଏ ବାବଦରେ ସୂଚନା ମିଳେନାହିଁ।

‘ଶ୍ରୀମନ୍ଦିର ସ୍ୱତ୍ଵଲିପି’ର ସେବକ ତାଲିକା କ୍ରମ-୧ ଓ କ୍ରମ-୨ରେ ଯଥାକ୍ରମେ ‘ଗଜପତି’ ଓ ‘ପରିଛା ବା ରାଜଗୁରୁ’ ସେବାର ବିବରଣୀ ଲିପିବଦ୍ଧ ହୋଇଛି। କ୍ରମ-୧ର ବିବରଣୀ ଅନୁସାରେ- ଏହା ଆଦ୍ୟସେବକ ଗଜପତି ମହାରାଜା ସେବା। ଏହା ପୁରୀ ରାଜବଂଶର ପାରମ୍ପରିକ ସେବା ଏବଂ ତହିଁରେ ମନ୍ଦିର ଶାସନ-କର୍ତ୍ତୃତ୍ଵର ସଂପର୍କ ନାହିଁ। ଏଣୁ ସ୍ୱାଭାବିକ୍‌ ଭାବରେ, ଏହି ସ୍ୱତ୍ଵଲିପି ଅନୁସାରେ, ରଥ ନିର୍ମାଣ ସଂକ୍ରାନ୍ତ ସମସ୍ତ ଦାୟିତ୍ଵ ଶ୍ରୀମନ୍ଦିର ପ୍ରଶାସନର। ଏ ଦୃଷ୍ଟିରୁ ଗଜପତି ମହାରାଜା ରଥ ନିର୍ମାଣ ତଦାରଖ କରନ୍ତି ନାହିଁ ବା ତାହା ତାଙ୍କର ବ୍ୟକ୍ତିଗତ କାର୍ଯ୍ୟ ଓ ଦାୟିତ୍ଵ ପରିସରଭୁକ୍ତ ନୁହେଁ। ସେ ରଥ ନିର୍ମାଣ ତଦାରଖ କରୁ ନଥିବାରୁ ରାଜଗୁରୁ ବା ପରିଛା ତାଙ୍କୁ ସେଥିରେ ସହାୟତା କରିବାର କୌଣସି ଆବଶ୍ୟକତା ନଥାଏ।

ତେବେ ‘ସ୍ୱତ୍ଵଲିପି’ରେ ଥିବା ଉଲ୍ଲେଖ ଅନୁସାରେ- ଓଡ଼ିଶା ରାଜାମାନଙ୍କ କାଳରେ ପରିଛା ହିଁ ମନ୍ଦିରର ଚାଳକ ଥିଲେ ଏବଂ ସବୁ ନୀତି ତଦାରଖ କରି ସେବକମାନଙ୍କ କାମ ତଦାରଖ କରୁଥିଲେ। ସେବକ କାମରେ ତ୍ରୁଟି କଲେ ତଦାରଖ କରି ରାଜାଙ୍କୁ ରିପୋର୍ଟ ଦେଉଥିଲେ ଓ କେତେକ ପରିମାଣରେ ନିଜେ ଦଣ୍ଡବିଧାନ କରୁଥିଲେ। ୧୯୦୩ରେ ଇଂରେଜଙ୍କ ପୁରୀ ଆକ୍ରମଣ ଓ ଖୋରଧା ରାଜା ମନ୍ଦିର ଓ ରାଜ୍ୟ ହରାଇବାଠାରୁ କାଳକ୍ରମେ ଏହାଙ୍କର ସବୁକାମ ଲୋପ ପାଇ କେତେକ ନିର୍ଦ୍ଦିଷ୍ଟ କାମ କରୁଛନ୍ତି।

ଗଜପତିଙ୍କ ସେବା ମଧ୍ୟରେ ସ୍ନାନବେଦୀ ଓ ଦୋଳବେଦୀରେ ଏବଂ ରଥ ଓ ବାହୁଡ଼ାରେ ଛେରାପହଁରା ଏବଂ ଦୋଳପୂନେଇ, ବାମନ ଜନ୍ମ ଆଦି ରାଜବେଶମାନଙ୍କରେ ମନ୍ଦିରକୁ ବିଜେ କଲେ ରାଜ-ନୀତି ରହିଛି। କିନ୍ତୁ ଶ୍ରୀଗୁଣ୍ଡିଚା ଯାତ୍ରାର ରଥନିର୍ମାଣ ତଦାରଖ ଦାୟିତ୍ଵ ନାହିଁ।

ଏ ପ୍ରସଙ୍ଗରେ ସୂଚନାଯୋଗ୍ୟ ଯେ ପ୍ରତିବର୍ଷର ରଥ-ନିର୍ମାଣ ତଦାରଖ ନିମନ୍ତେ, ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏକ କମିଟି ଗଠିତ ହୋଇଥାଏ। ସାଧାରଣତଃ ସେଥିରେ ଶ୍ରୀମନ୍ଦିର ପ୍ରଶାସନର ଜଣେ ପ୍ରଶାସକଙ୍କ ସମେତ ରାସ୍ତା ଓ ଗୃହନିର୍ମାଣ ଡିଭିଜନ୍‌ର ନିର୍ବାହୀ ଯନ୍ତ୍ରୀ, ପୁରୀ ବନ୍ୟପ୍ରାଣୀ ଡିଭିଜନର ବନଖଣ୍ଡ ଅଧିକାରୀ, ପ୍ରଶାସନର ଜଣେ ଅଧୀକ୍ଷଣ ଯନ୍ତ୍ରୀ, ତିନିରଥର ମୁଖ୍ୟ ବାଡ଼ଗ୍ରାହୀ ବିଶ୍ୱକର୍ମା ସେବକମାନଙ୍କ ସମେତ ଭୋଇ ସର୍ଦ୍ଦାର ଓ ୱାର୍କ ସରକାର ରହିଥାଆନ୍ତି। ସେହି କମିଟି ରଥ ନିର୍ମାଣଠାରୁ ରଥଯାତ୍ରା ଶେଷ ପର୍ଯ୍ୟନ୍ତ ରଥ ନିର୍ମାଣ ଓ ମରାମତି ଇତ୍ୟାଦି କାମର ତଦାରଖ ଶ୍ରୀଜଗନ୍ନାଥ ମନ୍ଦିରର ମୁଖ୍ୟ ପ୍ରଶାସକ ଓ ଉପମୁଖ୍ୟ ପ୍ରଶାସକ, ପୁରୀ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ପରାମର୍ଶ ଓ ତତ୍ତ୍ଵାବଧାନରେ କରିଥାନ୍ତି। ଏଥିପାଇଁ ଶ୍ରୀଜଗନ୍ନାଥ ମନ୍ଦିର କାର୍ଯ୍ୟାଳୟରୁ ପ୍ରାୟ ଦୁଇମାସ ତଳୁ ସ୍ୱତନ୍ତ୍ର ଆଦେଶନାମା ଜାରି ହୋଇ ତାହାର ନକଲ ପୁରୀ, ନୟାଗଡ଼ ଓ ଖୋର୍ଦ୍ଧା ବନଖଣ୍ଡ ଅଧିକାରୀଙ୍କୁ ଦିଆଯାଇଥାଏ।

ତେବେ ପୂର୍ବବ୍ୟବସ୍ଥା ଅନୁସାରେ, ଶ୍ରୀଜଗନ୍ନାଥଙ୍କର ଆଦ୍ୟ ସେବକ ବା ପୁରୀ ମନ୍ଦିରର ସୁପରିଣ୍ଟେଣ୍ଡେଣ୍ଟ ଭାବରେ, ଆଭ୍ୟନ୍ତରୀଣ ବ୍ୟବସ୍ଥା ପୂର୍ଣ୍ଣ ଅଧିକାର ସହ ଚଳାଇବାର ଭାର ଗଜପତିଙ୍କ ଉପରେ ନ୍ୟସ୍ତ ଥିଲେ ମଧ୍ୟ ଏବେ ଆଉ ତାହା ନାହିଁ। ଫଳରେ ରଥ ନିର୍ମାଣର ତଦାରଖ ସେ କରୁ ନାହାନ୍ତି। ରାଜଗୁରୁ ସେଥିରେ ତାଙ୍କୁ ସହାୟତା କରିବାର ପ୍ରଶ୍ନ ବି ଉଠୁନାହିଁ।

ଏଣୁ ଶେଷରେ ସଂକ୍ଷେପରେ ପୁନର୍ବାର କେବଳ ଏତିକି କୁହାଯାଇପାରେ ଯେ- ୩୬, ୪୧ କି ୬୪ ବା ସେମିତି କିଛି ସଂଖ୍ୟା ବିଶିଷ୍ଟ ସେବକ ନୁହନ୍ତି- ୧. ଓଝା ମହାରଣା, ୨. ବଢ଼େଇ ମହାରଣା, ୩. ରଥଭୋଇ, ୪. ଦରଜି, ୫. ତାମରା ବିଶୋଇ, ୬. ରୂପକାର ଓ ୭. ଚିତ୍ରକାର- ଏହି ସପ୍ତ ସେବକଗୋଷ୍ଠୀ ହିଁ ଶ୍ରୀଗୁଣ୍ଡିଚା ଯାତ୍ରାର ସପ୍ତବିନ୍ଧାଣି ବା ସପ୍ତ ରଥକାର ଭାବରେ ଏବେ ରଥ ନିର୍ମାଣ କରୁଛନ୍ତି।