ଶରଧାବାଲିରେ ତିନି ଠାକୁର : ରଥ ଉପରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂରତି, ଆସନ୍ତାକାଲି ଆଡପ ମଣ୍ଡପକୁ କରିବେ ବିଜେ

43

କନକ ବ୍ୟୁରୋ : ଶରଧାବାଲିରେ ତନି ଠାକୁର । ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ରଥ ଉପରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂରତି । ଆଜି ସକାଳୁ ସକାଳୁ ବର୍ଷାରେ ଭିଜି ଭିଜି ଶରଧାବାଲିକୁ ମହାପ୍ରଭୁଙ୍କୁ ଟାଣି ଟାଣି ନେଇଛନ୍ତି ଭକ୍ତ । ଗତକାଲି ବଡଠାକୁରଙ୍କ ତାଳଧ୍ୱଜ ଓ ସୁଭଦ୍ରାଙ୍କ ଦେବଦଳନ ପହଂଚିଥିବାବେଳେ ଆଜି ପହଂଚିଛି କାଳିଆ ସାଆନ୍ତଙ୍କ ନନ୍ଦିଘୋଷ ।

ଆଜି ତିନି ଠାକୁର ରଥରେ ରହିବେ ଓ ରଥ ଉପରେ ଶୁଖିଲା ଭୋଗ ହେବ । ଭକ୍ତମାନେ ଚତୁର୍ଦ୍ଧାମୂରତିକୁ ଦର୍ଶନ କରିବେ । ଶ୍ରୀବିଗ୍ରହମାନଙ୍କ ଆଡପ ମଣ୍ଡପ ବିଜେ ଆସନ୍ତାକାଲି ଅନୁଷ୍ଠିତ ହେବ । ବଡଠାକୁରଙ୍କ ରଥ ଓ ମା ସୁଭଦ୍ରାଙ୍କ ରଥ ଗତକାଲି ସନ୍ଧ୍ୟା ପୂର୍ବରୁ ଶ୍ରୀଗୁଣ୍ଡିଚା ମନ୍ଦିରରେ ପହଂଚିଯାଇଥିଲା । କିନ୍ତୁ ଲୀଳାମୟ ପ୍ରଭୁ ଜଗନ୍ନାଥଙ୍କ ରଥ ସନ୍ଧ୍ୟା ପୂର୍ବରୁ ପହଂଚିପାରିନଥିଲା । ଭକ୍ତଙ୍କୁ ଦର୍ଶନ ଦେବାକୁ ବଳଗଣ୍ଡି ଛକରେ ଅଟକି ଯାଇଥିଲେ । ତେଣୁ ସନ୍ଧ୍ୟା ପରେ ଆଉ ରଥ ଟଣା ଯାଇନଥିଲା ।

ସେହିଭଳି ବିଦେଶରେ ବି ରଥଯାତ୍ରା ପାଳିତ ହୋଇଛି । ସିଙ୍ଗାପୁର ସହ ଆମେରିକାର କାଲିଫର୍ଣ୍ଣିଆ, ଓ ୱାଂଶିଟନ ଡିସିରେ ଲୋକେ ଆନନ୍ଦର ସହ ରଥଯାତ୍ରାରେ ସାମିଲ ହୋଇଥିଲେ । ସିଙ୍ଗାପୁରର ହୋଗାଙ୍ଗ ଷ୍ଟାଡିମୟରେ ଅନ୍ତର୍ଜାତିୟ କୃଷ୍ଣମନ୍ଦିର ପକ୍ଷରୁ ଏହି ରଥଯାତ୍ରା ପାଳିତ ହୋଇଥିଲା । ସେଠାରେ ରହୁଥିବା ଓଡିଆ ମାନେ ଏଥିରେ ସାମିଲ ହୋଇଥିଲେ । ସେହିଭଳି କାଲିଫର୍ଣ୍ଣିଆ ଓ ୱାଂଶିଟନ ଡିସିରେ ବି ରଥଯାତ୍ରା ପାଳିତ ହୋଇଛି ।