ଉତ୍ସାହଜନକ ହୋଇପାରୁନି ପୁରୁଣା ରଥଚକର ବିକ୍ରି : ଚକର ମୂଲ୍ୟ ଅଧିକ ରହୁଥିବାରୁ ବିକ୍ରି ହେଉନଥିବାର ସେବାୟତଙ୍କ ଅଭିଯୋଗ

39

କନକ ବ୍ୟୁରୋ :  ଶ୍ରୀ ଜଗନ୍ନାଥ ସଂସ୍କୃତିର ପ୍ରଚାର ଓ ପ୍ରସାର ପାଇଁ ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ ପୁରୁଣା ରଥଚକ ବିକ୍ରି ପାଇଁ ନିଷ୍ପତି ନିଆଯାଇଥିଲା । ଆଉ ଏହି ରଥ ଚକ ବିକ୍ରିପାଇଁ ନିଜସ୍ୱ ୱେବସାଇଟରେ ମୂଲ୍ୟ ସହ ଫଟୋ ମଧ୍ୟ ଦିଆଯାଇଥିଲା । କିନ୍ତୁ ଚକର ମୂଲ୍ୟ ଅଧିକ ରହୁଥିବାରୁ ରଥ ଚକର ଉତ୍ସାହଜନକ ବିକ୍ରି ହୋଇପାରୁନାହିଁ ।

୨୦୧୩ରେ ପୁରୁଣା ରଥ ଚକ ବିଭିନ୍ନ ଧର୍ମାନୁଷ୍ଠାନ, ଶିକ୍ଷାନୁଷ୍ଠାନ, ଓ କର୍ପୋରେଟ ହାଉସକୁ ବିକ୍ରି କରାଯିବାପାଇଁ ନିଷ୍ପତି ନିଆଯାଇଥିଲା । ଆଉ ଏଥିପାଇଁ ୱେବସାଇଟରେ ଏହି ଚକର ଫଟୋ ସହ ମୂଲ୍ୟ ମଧ୍ୟ ଲେଖାଯାଇଥିଲା । ତେବେ ରଥ ଚକର ମୂଲ୍ୟ ୫୦ ହଜାର ରହିଥିବାରୁ ଏହାର ବିକ୍ରି ସେତେଟା ଭଲ ହୋଇପାରିନଥିଲା । ଯାହାଫଳରେ ଏହି ମୂଲ୍ୟ ୨୫ହଜାରକୁ କମାଇଦିଆଯାଇଛି । ଅନ୍ୟପଟେ ରଥଚକଗୁଡିକ ବିକ୍ରି ହୋଇପାରିନଥିବାରୁ ଏବେ ଏହା ନଷ୍ଟ ହେବାକୁ ବସିଲାଣି ।

ଅନ୍ୟପଟେ ଦର ଅଧିକ ଥିବାରୁ ରଥକାଠ ବିକ୍ରି ହୋଇପାରୁନି କହିଛନ୍ତି ସେବାୟତ । ପ୍ରତିବର୍ଷ ତିନି ରଥ ପାଇଁ ବନବିଭାଗ ୬୫ ଲକ୍ଷ ଟଙ୍କା ମୂଲ୍ୟର କାଠ ଦେଇଥାଏ । ଆଉ ରଥଯାତ୍ରା ସରିବା ପରେ ଏଗୁଡିକୁ ଗୁଣ୍ଡିଚା ମନ୍ଦିରରେ କେବଳ ସାଇତି ରଖାଯାଇଛି । ଭଲଭାବେ ପ୍ରଚାର ପ୍ରସାର କରି ଏହି ରଥଚକ ସବୁକୁ ବିକ୍ରି କରାଯିବାକୁ ବୁଦ୍ଧିଜୀବୀମାନେ ଦାବି କରିଛନ୍ତି ।