ପୁରୀରେ ସ୍ଥିତି ଅଣାୟତ୍ତ । ଧାଡ଼ି ଦର୍ଶନକୁ ବିରୋଧ କରି ଆନ୍ଦୋଳନକାରୀଙ୍କ ଲଙ୍କା କାଣ୍ଡ । ବଡ଼ ଦାଣ୍ଡ ପାଲଟିଲା ରଣକ୍ଷେତ୍ର ।

51

କନକ ବ୍ୟୁରୋ: ଘରେ ପସୁ ପସୁ ମୁଣ୍ଡରେ ବାଜିଲା ଚାଳ ! ଏ ଉକ୍ତିର ଯଥାର୍ଥ ହେଉଛି ଆମିକସ କ୍ୟୁରୀଙ୍କ ପୁରୀ ଗସ୍ତ ସାରି ଫେରିବାର କିଛି ଦିନ ପରେ ଆରମ୍ଭ ହୋଇଛି ନୂଆ ବିବାଦ । ସଂସ୍କାରକୁ ନେଇ ପୁରୀରେ ଦେଖିବାକୁ ମିଳିଛି ବଡ଼ ବିଭ୍ରାଟ । ଅଶାନ୍ତ ହେବାରେ ଲାଗିଛି ପୁରୀ ! ସଂସ୍କାରକୁ ବିରୋଧ କରି ଆତଙ୍କରାଜ ଖେଳାଇଛନ୍ତି ଆନ୍ଦୋଳନକାରୀ । ଶ୍ରୀମନ୍ଦିରରେ ଧାଡି ଦର୍ଶନକୁ ବ୍ୟବସ୍ଥାକୁ ବିରୋଧ କରି ୧୨ ଜଣ୍ଟିଆ ପୁରୀ ବନ୍ଦ ପାଳନ କରୁଛନ୍ତି ଜଗନ୍ନାଥ ସେନା । ହେଲେ ବନ୍ଦ ବେଳେ ପୁରୀରେ ସୃଷ୍ଟି ହୋଇଛି ଅପ୍ରୀତିକର ପରିସ୍ଥିତ । କାରଣ ଶ୍ରୀମନ୍ଦିର ଚାରି ଦ୍ୱାରରେ ଲାଗିଥିବା ହୋର୍ଡିଂକୁ ଚିରି ଦେବା ସହ ୨ଟି ସ୍କାନର ମେସିନ୍, ୪ଟି ମେଟାଲ ଡିକ୍ଟେଟର ଭାଙ୍ଗିବା ସହ ବ୍ୟାପକ ଭଙ୍ଗାରୁଜା କରିଛନ୍ତି ଆନ୍ଦୋଳନକାରୀ ।
ଶ୍ରୀମନ୍ଦିରରେ ସଂସ୍କାର ଆଣିବା ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ପ୍ରସ୍ତୁତି ଆରମ୍ଭ କରିଥିଲେ ଶ୍ରୀମନ୍ଦିର ପ୍ରଶାସନ । ଏବଂ ଏହାର ପ୍ରାଥମିକ ପର୍ଯ୍ୟାୟରୁ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଧାଡ଼ି ଦର୍ଶନର ବ୍ୟବସ୍ଥା ଗତ ୧ ଦିନରୁ ଆରମ୍ଭ କରାଯାଇଥିଲା । ଯେଉଁଥି ପାଇଁ ପ୍ରଶାସନ ତରଫରୁ ବ୍ୟାରିକେଡ଼ର ବ୍ୟବସ୍ଥା କରାଯାଇଥିଲା । ହେଲେ ଏହାକୁ ବିରୋଧ କରି ୯ ଦଫା ଦାବିରେ ପୁରୀରେ ଆଜି ଶ୍ରୀଜଗନ୍ନାଥ ସେନା ପକ୍ଷରୁ ୧୨ ଘଂଟିଆ ବନ୍ଦ ଡାକରା ଦିଆ ଯାଇଛି । ଏହାକୁ ବିଭିନ୍ନ ଅନୁଷ୍ଠାନ ଓ ରାଜନୈତିକ ଦଳ ମଧ୍ୟ ସମର୍ଥନ କରୁଛନ୍ତି । ଫଳରେ ପୁରୀରେ ଯାତାୟତ ଠପ୍ ହୋଇପଡ଼ିଥିବା ସହ ଆନ୍ଦୋଳନକାରୀଙ୍କ ଲଙ୍କା କାଣ୍ଡ ଦେଖିବାକୁ ମିଳିଛି ।

ଧାଡି ଦର୍ଶନକୁ ବିରୋଧ କରି ଜଗନ୍ନାଥ ସେନା ଏବଂ ହଜାର ହଜାର ଆନ୍ଦୋଳନକାରୀମାନେ ସାମ୍ବାଦିକଙ୍କୁ ମାଡ, ବ୍ରହ୍ମ ବିଭ୍ରାଟ ଓ ରତ୍ନଭଣ୍ଡାର ଚାବି ହଜିବା ଭଳି ପ୍ରସଙ୍ଗକୁ ନେଇ ପୁରୀ ଉତ୍ତେଜନା ବଢ଼ିବାରେ ଲାଗିଛି । ବଡ଼ ଦାଣ୍ଡରେ ଟାୟାର ଜାଳିବା ବ୍ୟାରିକେଡ଼ ଭାଙ୍ଗିବା ସହ ଜିଲ୍ଲାପାଳ ଅଫିସକୁ ଧସେଇ ପସିବା ଏବଂ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଭଙ୍ଗାରୂଜା କରିବା ସହ ବ୍ୟାପକ କ୍ଷୟକ୍ଷତି ଘଟାଇଛନ୍ତି ।