ପୁରୀରେ କିଏ ଦେଖାଇବ ପରାକ୍ରମ ! ଶ୍ରୀକ୍ଷେତ୍ର ମାଟିରେ ପୁଣିଥରେ ଶୁଭିବ କି ଶଙ୍ଖ ନା ପ୍ରଥମ ଥର ଫୁଟିବ ପଦ୍ମ । ୨୨ ବର୍ଷ ପରେ ପୁଣିଥରେ କମବ୍ୟାକ୍ କରିବ କି କଂଗ୍ରେସ?

295

କନକ ବ୍ୟୁରୋ : ନିର୍ବାଚନ ପୂର୍ବରୁ ଚର୍ଚ୍ଚାରେ ରହିଛି ପୁରୀ ଲୋକସଭା ନିର୍ବାଚନମଣ୍ଡଳୀ । ତାହା ବି ପୁଣି ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରାର୍ଥୀତ୍ୱକୁ ନେଇ । ୨୦୧୯ରେ ପୁରୀରୁ ପ୍ରଧାନମନ୍ତ୍ରୀ ମୋଦି ବିଜେପିରୁ ପ୍ରାର୍ଥୀ ହୋଇପାରନ୍ତି ବୋଲି ଦୀର୍ଘଦିନ ଧରି ଚର୍ଚ୍ଚା ହୋଇ ଆସୁଛି । ଦୀର୍ଘ ୨୨ ବର୍ଷ ଧରି ବିଜେଡିର ଗଡ ହୋଇ ରହି ଆସିଥିବା ପୁରୀରେ ମୋଦିଙ୍କୁ ପ୍ରାର୍ଥୀ କରି ବିଜେପି ଗୋଟିଏ ଗୁଳିରେ ଦୁଇଟି ଶିକାର କରିବାକୁ ଲକ୍ଷ୍ୟ ରଖିଥିବା ଚର୍ଚ୍ଚା ହେଉଥିଲା । ପ୍ରଥମତଃ ବିଜେଡିର ଏହି ଗଡରେ ଗେରୁଆ ବାନା ଉଡାଇବା ଓ ମୋଦିଙ୍କ ପ୍ରାର୍ଥୀତ୍ୱର ଡିଣ୍ଡିମ ପିଟି ଓଡିଶା ଦଖଲ ଅଭିଯାନକୁ ସହଜ କରିବାକୁ ଲକ୍ଷ୍ୟ ରଖିଥିଲା ବିଜେପି । କିନ୍ତୁ ପୁରୀରୁ ମୋଦିଙ୍କ ପ୍ରାର୍ଥୀତ୍ୱକୁ ନେଇ ଏବେ ପର୍ଯ୍ୟନ୍ତ ଭୋଟରଙ୍କୁ ସସପେନ୍ସରେ ରଖିଛି ପଦ୍ମ ଦଳ ।

ଉପକୂଳ ଓଡିଶାର ସମ୍ମାନଜନକ ଲୋକସଭା ଆସନ ମଧ୍ୟରେ ପୁରୀ ଅନ୍ୟତମ । ପୁରୀ ଜିଲ୍ଲାର ପୁରୀ, ସତ୍ୟବାଦୀ, ବ୍ରହ୍ମଗିରି, ପିପିଲି ଓ ନୟାଗଡ ଜିଲ୍ଲାର ରଣପୁର, ନୟାଗଡା, ଖୋର୍ଧା ଜିଲ୍ଲାର ଚିଲିକା ବିଧାନସଭା କ୍ଷେତ୍ରକୁ ନେଇ ଗଠିତ ପୁରୀ ଲୋକସଭା ଆସନରେ ଉଭୟ କଂଗ୍ରେସ ଓ ବିଜେଡି ନିଜର ଦବଦବା ଜାହିର କରି ଆସିଛନ୍ତି । ୧୯୯୭ରେ ବିଜେଡି ଗଠନ ପରେ ପୁରୀ ଲୋକସଭା ଆସନକୁ ଦଳ ହସ୍ତମୁଦି କରି ରଖିଛି । ଅଥାର୍ତ ପୁରୀକୁ ବିଜେଡିର ସେଫ୍ ଜୋନ କହିଲେ ଅତ୍ୟୁକ୍ତି ହେବ ନାହିଁ । ତେବେ ଏହା ପୂର୍ବରୁ କଂଗ୍ରେସ ଏଠାରେ ୬ ଥର ବିଜୟ ହୋଇ ନିଜର ଦବଦବା ଜାହିର କରି ଆସିଛି । ଶେଷ ଥର ପାଇଁ କଂଗ୍ରେସ ୧୯୯୬ରେ ଏହି ଆସନ ଦଖଲ କରିଥିଲା । ସେତେବେଳେ କଂଗ୍ରେସକୁ ବିଜୟ ଦେଇଥିବା ପିନାକୀ ମିଶ୍ର ଏବେ ବିଜେଡି ଟିକେଟରେ ୨୦୦୯ ଓ ୨୦୧୪ରେ ବିଜୟୀ ହୋଇ କଂଗ୍ରେସକୁ ପରାଜୟର ବାଟ ଦେଖାଇଛନ୍ତି ।

ବିଜେଡି ଗଠନ ପରଠାରୁ ପୁରୀ ମୈଦାନରେ ପରାକ୍ରମ ଦେଖାଇ ଆସିଛି ବିଜେଡି । ୧୯୯୮,୧୯୯୯ ଓ ୨୦୦୪ରେ ଏହି ଆସନରେ ବିଜେଡି ଟିକେଟରେ ବ୍ରଜ କିଶୋର ତ୍ରିପାଠୀ ସାଂସଦ ଭାବେ ନିର୍ବାଚିତ ହୋଇ ଆସୁଥିଲେ । ତେବେ ଶଙ୍ଖ ଦଳରୁ ବ୍ରଜ ବିଦା ହେବା ପରେ ୧୯୯୬ ମସିହାରେ ପ୍ରଥମ ଥର ପାଇଁ ସାଂସଦ ହୋଇଥିବା ପିନାକୀ ମିଶ୍ର ଦଳବଦଳ କରି ବିଜେଡିରେ ମିଶିଥିଲେ । ୨୦୦୯ରେ ପ୍ରଥମ ଥର ପାଇଁ ପ୍ରାର୍ଥୀ ହେବା ସହ କଂଗ୍ରେସ ପ୍ରାର୍ଥୀଙ୍କୁ ମାତ୍ ଦେଇ ବିଜେଡି ଗଡକୁ ବଞ୍ଚାଇଥିଲେ । ଏହାପରେ ୨୦୧୪ରେ ମଧ୍ୟ ପୁରୀରେ ବିଜେଡିର ବିଜୟ ରଥକୁ ଆଗକୁ ନେଇଥିଲେ । ଆଉ ୨୦୧୯ରେ ଏହି ଧାରାକୁ ବଜାୟ ରଖିବା ସହ ହ୍ୟାଟ୍ରିକ ବିଜୟ ଲକ୍ଷ୍ୟରେ ରହିଛନ୍ତି ପିନାକୀ ।

ଅନ୍ୟପଟେ ବିଜେଡି ଗଡକୁ ଭାଙ୍ଗିବା ପାଇଁ ବିଜେପି ଓ କଂଗ୍ରେସ ବହୁବାର ପ୍ରୟାସ କରିଥିଲେ ମଧ୍ୟ ବିଫଳ ହୋଇଛନ୍ତି । ତେବେ ଚଳିତ ଥର ବିଜେଡି ଗଡକୁ ଭାଙ୍ଗିବା ପାଇଁ ଦୁଇ ଦଳ ପାଖରେ ସୁବର୍ଣ୍ଣ ସୁଯୋଗ ରହିଥିବା ଚର୍ଚ୍ଚା ହେଉଛି । ବିଜେଡି ଟିକେଟ ପାଇଁ ପିନାକୀ ମିଶ୍ର ପ୍ରମୁଖ ଦାବିଦାର ଥିବା ବେଳେ ବିଜେପି ଏଯାଏଁ ପ୍ରାର୍ଥୀ ଚୂଡାନ୍ତ କରିପାରୁନାହିଁ । ପୂର୍ବରୁ ପୁରୀରେ ବିଜେପି ଟିକେଟରେ ପ୍ରଧାନମନ୍ତ୍ରୀ ମୋଦି ଲଢିବା ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଦଳୀୟ ନେତା ମୁହଁ ଖୋଲୁନଥିବାରୁ ଏହି ଚର୍ଚ୍ଚାରେ ଏବେ ଏକରକମ ପୂର୍ଣ୍ଣଛେଦ ପଡିଛି । ତେବେ ଏହି ଆସନରେ ପିନାକୀଙ୍କୁ ମାତ୍ ଦେବା ଭଳି ପ୍ରାର୍ଥୀ ଖୋଜୁଛି ବିଜେପି । ଆଉ ତାଲିକାରେ ସର୍ବାଗ୍ରେ ରହିଛି ଅଭିନେତ୍ରୀରୁ ନେତ୍ରୀ ପାଲଟିଥିବା ମହେଶ୍ୱତା ରାୟ । ମହେଶ୍ୱତା ପୁରୀର ଝିଅ ହୋଇଥିବାରୁ ପିନାକୀଙ୍କୁ କଡା ଟକ୍କର ଦେବେ ବୋଲି ବିଜେପି ଅଳିନ୍ଦରେ ଅଙ୍କକଷା ଚାଲିଛି । ଏହାଛଡା ସିନେ ଜଗତରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବାରୁ ମହେଶ୍ୱତା ବିଜେପିର ଭୋଟହାର ମଧ୍ୟ ବଢାଇ ପାରିବେ ଚର୍ଚ୍ଚା ହେଉଛି ।

ମହେଶ୍ୱତାଙ୍କ ବ୍ୟତୀତ ଏହି ତାଲିକାରେ ବିଶିଷ୍ଟ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ବସନ୍ତ ପତି, ଗୁଜୁରାଟର ପୂର୍ବତନ ଡିଜି ତଥା ଅହମ୍ମଦାବାଦର ପୂର୍ବତନ ପୁଲିସ କମିସନର ପୁରୀର ମୂଳବାସିନ୍ଦାଯୋଗେଶ୍ୱର ମହାପାତ୍ରଙ୍କ ନାମ ମଧ୍ୟ ର୍ଚଚ୍ଚାରେ ରହିଛି। ପ୍ରଧାନମନ୍ତ୍ରୀଙ୍କ ବିଶ୍ବସ୍ତ ଶ୍ରୀ ମହାପାତ୍ରଙ୍କୁ ପୁରୀରୁ ସୁଯୋଗ ମିଳିବ ବୋଲି କୁହାଯାଉଛି। ବିଜେପି ଏହି ଆସନରେ ସବୁବେଳେ ନିରାଶ ହୋଇଥିବା ବେଳେ ୨୦୧୯ରେ ବିଜୟର ସ୍ୱାଦ ଚାଖିବାକୁ ଜୋରଦାର ଉଦ୍ୟମ ଚଳାଇଛି ।

ପୂର୍ବରୁ କଂଗ୍ରେସ ଏହି ଆସନରେ ନିଜର ଦବଦବା ଜାହିର କରି ଆସୁଥିବା ବେଳେ ପିନାକୀ ଦଳର ହାତ ଛାଡିବା ପରେ ସତେଯେମିତି ବନବାସକୁ ଚାଲିଯାଇଛି କଂଗ୍ରେସ । ତେବେ ପ୍ରତିଥର ବିଜେଡିକୁ କଡା ଟକ୍କର ଦେଇ ଆସୁଛି କଂଗ୍ରେସ । ପ୍ରତିଥର ପ୍ରାର୍ଥୀ ବଦଳାଉଥିଲେ ମଧ୍ୟ ଦଳକୁ ଏଯାଏଁ ମିଳିନି ସଫଳତା । କିନ୍ତୁ ଏଥର କଂଗ୍ରେସ ପୁଣିଥରେ କମବ୍ୟାକ୍ କରିବାକୁ ଲକ୍ଷ୍ୟ ରଖିଛି । କଂଗ୍ରେସରୁ ଗତଥର ପ୍ରାର୍ଥୀ ହୋଇଥିବା ସୁଚରିତା ମହାନ୍ତି, କଂଗ୍ରେସ କିଷାନ ସେଲ ଅଧ୍ୟକ୍ଷ ଅମୀୟ ପଟ୍ଟନାୟକ, ଆଇନଜୀବୀ ଜୟ ନାରାୟଣ ପଟ୍ଟନାୟକ ପ୍ରମୁଖ ଆଶାୟୀ ତାଲିକାରେ ରହିଛନ୍ତି।  ତେବେ କାହାକୁ ଟିକେଟ ଦିଆଯିବ ସେନେଇ ଦଳ ନିଜର କାର୍ଡ ଖୋଲିନାହିଁ । ପୁରୀର ଏହି ଗୋଳମାଳିଆ ରାଜନୀତି ଭିତରେ ଆଗାମୀ ନିର୍ବାଚନରେ କେଉଁ ଦଳର ପଲା ଭାରି ରହିବ ତାହା ଉପରେ ସମସ୍ତଙ୍କର ନଜର ।