କାହାକୁ ସାହା ହେବେ କାଳିଆ ସାଆନ୍ତ? ପୁରୀରେ ପ୍ରଥମ ଥର ପଦ୍ମ ଫୁଟିବ ନା ପୁଣିଥରେ ଶଙ୍ଖ ଧ୍ୱନି ଶୁଭିବ । ୩୫ ବର୍ଷ ପରେ ପୁଣି ଥରେ ‘ହାତ’ ଟେକିବ କି କଂଗ୍ରେସ ?

1,026

କନକ ବ୍ୟୁରୋ: ଜଗନ୍ନାଥଧାମରେ କାହାର ହେବ ଜୟ । ୨୦୧୯ରେ ପୁରୀରେ କିଏ ଉଡାଇବ ବିଜୟ ବାନା । କଳା ଠାକୁରଙ୍କ ଆର୍ଶୀବାଦରେ କାହାର ଫିଟିବ ଭାଗ୍ୟ । ପୁଣିଥରେ ଶଙ୍ଖ ବାଜିବ, ନା ୩୫ ବର୍ଷ ପରେ ହାତ ଉଠିବ ନା ପ୍ରଥମ ଥର ପାଇଁ ପଦ୍ମ ଫୁଟିବ । ୨୦୧୯ ନିର୍ବାଚନ ଘୋଷଣା ପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇଥିବା ବେଳେ ଏଭଳି ଚର୍ଚ୍ଚା ଏବେ ପୁରୀ ରାଜନୀତିକୁ ଉଷ୍ମ କରିଛି । ଶ୍ରୀମନ୍ଦିର ମଧ୍ୟରେ ଶଙ୍ଖ ବଜାଇବା ପରମ୍ପରା ନଥିବା ବେଳେ ପୁରୀ ରାଜନୀତି ମୈଦାନରେ କିନ୍ତୁ ଗତ ୪ଟି ନିର୍ବାଚନରେ ଶୁଭୁଛି ଶଙ୍ଖ ଧ୍ୱନି । ଆଉ ଏହି ଶଙ୍ଖ ଦୀର୍ଘ ୧୯ ବର୍ଷ ଧରି ବଜାଇ ଆସୁଛନ୍ତି ବିଜେଡିର ମହେଶ୍ୱର ମହାନ୍ତି । ବିଜେଡି ଗଠନ ପରଠାରୁ ପୁରୀକୁ ନିଜର ଗଡ କରି ରଖିଛନ୍ତି ମହେଶ୍ୱର । କିନ୍ତୁ ଚଳିତଥର ଏହି ଗଡ ବଞ୍ଚାଇବ ରଖିବା ମହେଶ୍ୱରଙ୍କ ପାଇଁ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି । ଉଭୟ କଂଗ୍ରେସ ଓ ବିଜେପି ମହେଶ୍ୱରଙ୍କ ବିରୋଧରେ ରଣହୁଙ୍କାର ଦେବା ସହ ପୁରୀ ଗଡ ଦଖଲ କରିବା ପାଇଁ ରଣନୀତି ପ୍ରସ୍ତୁତ କରିଛନ୍ତି ।

୧୯୮୫ ମସିହାରୁ ପୁରୀ ବିଧାନସଭା ଆସନରେ କେବଳ ଅଣକଂଗ୍ରେସ ଦଳ ହିଁ ଏଠାରେ ରାଜୁତି କରି ଆସିଛି। ଏହାପୂର୍ବରୁ ୧୯୮୦ରେ ଶେଷ ଥର ପାଇଁ ଗଦାଧର ମିଶ୍ର କଂଗ୍ରେସ ପ୍ରାର୍ଥୀ ହୋଇ ନିର୍ବାଚିତ ହୋଇଥିଲେ। ୧୯୮୫ରୁ ଆଜି ପର୍ଯ୍ୟନ୍ତ ଅର୍ଥାତ ୩୫ ବର୍ଷ ହେବ ପୁରୀ ଆସନ କଂଗ୍ରେସ ମୁହଁ ଦେଖି ନାହିଁ। ଗତ ୩୫ ବର୍ଷ ଭିତରେ ଜନତା ଦଳ ୧୫ ବର୍ଷ କ୍ଷମତା ଦଖଲ କରିଥିବା ବେଳେ ବିଜେଡି ଗତ ୪ଟି ନିର୍ବାଚନରେ ଏହି ଆସନକୁ ଦଖଲ କରି ରଖିଛି। ତେବେ ଏହି ୩୫ ବର୍ଷ ଭିତରେ ବ୍ରଜ ତ୍ରିପାଠୀଙ୍କୁ ୧୦ ବର୍ଷ ସୁଯୋଗ ମିଳିଛି ଓ ମନ୍ତ୍ରୀ ମହେଶ୍ବର ମହାନ୍ତି ଲଗାତର ୧୯୯୫ରୁ ପାଞ୍ଚ ଥର ବିଧାୟକ ଭାବେ ନିର୍ବାଚିତ ହୋଇ ଆସୁଛନ୍ତି। ସମସ୍ତ ପ୍ରତିଦ୍ବନ୍ଦ୍ବୀକୁ ଦମନ କରିବାରେ ମହେଶ୍ବର ସଫଳ ହୋଇଛନ୍ତି।

ତେବେ ପୁଣିଥରେ ଏହି ଗଡର ରକ୍ଷା କରିବାକୁ ମହେଶ୍ୱର ଅଣ୍ଟା ଭିଡିଛନ୍ତି । କିନ୍ତୁ ମହେଶ୍ୱରଙ୍କ ପାଇଁ ଗଡ ରକ୍ଷା କରିବା ଚଳିତଥର ଏତେ ସହଜ ହେବନି । କାରଣ ଗତ ୫ ବର୍ଷ ମଧ୍ୟରେ ପୁରୀ ଓ ଶ୍ରୀମନ୍ଦିରରେ ଯେଉଁସବୁ ବିବାଦମୟ ଘଟଣା ସବୁ ଘଟିଛି ତାହା ମହେଶ୍ୱରଙ୍କୁ ବ୍ୟାକଫୁଟକୁ ଟାଣିଆଣିଛି । ମହେଶ୍ୱରଙ୍କ ଲୋକପ୍ରିୟତା ଥିଲେ ମଧ୍ୟ ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ, ଶ୍ରୀମନ୍ଦିର ସଂସ୍କାର ବିବାଦ, ପୁରୀ ହିଂସା, ବିକାଶର ଦେଖା ନଥିବା ବେଳେ ବଢୁଥିବା ଅପରାଧକୁ ନେଇ ପୁରୀ ବାସୀ କ୍ଷୁବ୍ଧ ରହିଛନ୍ତି । ତେବେ ଏହାର ପ୍ରଭାବ ଦଳ ଉପରେ ନ ପଡିଲେ ମଧ୍ୟ ନେତାଙ୍କ ଭୋଟ ବାକ୍ସ ଉପରେ ପଡିବ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି । ତଥାପି ଦଳର ଭରସାଯୋଗ୍ୟ ସିପାହୀ ଭାବେ ମହେଶ୍ୱର ହାତରେ ଗଡ ରକ୍ଷା କରିବାର ଦାୟିତ୍ୱ ଦେଇପାରନ୍ତି

ଏହାବାଦ୍ ମହେଶ୍ୱରଙ୍କ ପାଇଁ ଆଶ୍ୱସ୍ତି ଆଣିଛନ୍ତି କଂଗ୍ରେସ ନେତା ଉମା ବଲ୍ଲଭ ରଥ । ଗତ ୧୯୯୫ରୁ ଲଗାତର ଭାବେ ମହେଶ୍ବରଙ୍କ ସହିତ ପ୍ରତିଦ୍ବନ୍ଦ୍ବିତା କରି ପରାଜୟ ସ୍ବୀକାର କରି ଆସୁଥିବା ଉମା ବଲ୍ଲଭ ରଥ ଏଥର ବାଧ୍ୟ ହୋଇ ପୁରୀ ଛାଡିଛନ୍ତି। କଂଗ୍ରେସ ନେତା ଉମାବଲ୍ଲଭ ପୁରୀ ଛାଡି ଆଠଗଡ଼ ଯାଇଛନ୍ତି। ତେଣୁ ପ୍ରଥମ କରି ପୁରୀ ଉମାଙ୍କ ବିନା ପ୍ରତିଦ୍ବନ୍ଦ୍ବିତା ହେବା ଏକ ପ୍ରକାର ନିଶ୍ଚିତ ରହିଛି। କିନ୍ତୁ ଅନ୍ୟପଟେ ମହେଶ୍ୱରଙ୍କ ବିରୋଧରେ ଦଳରୁ ମଧ୍ୟ ଉଠିଛି ବିରୋଧର ସ୍ୱର । ଯୁବ ନେତା ଶୁଭାଶିଷ ଖୁଣ୍ଟିଆ ମଧ୍ୟ ନିଜକୁ ବିଜେଡିର ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନମଣ୍ଡଳୀରେ ପ୍ରୋଜେକ୍ଟ କରୁଛନ୍ତି । ଯେହେତୁ ନବୀନଙ୍କ ଫୋକସରେ ଯୁବ ଗୋଷ୍ଠୀ ରହିଛନ୍ତି ତେଣୁ ତାଙ୍କୁ ଟିକେଟ ମିଳିବା ନେଇ ସେ ଆଶାବାଦୀ ଅଛନ୍ତି ।

ଅନ୍ୟପଟେ ବିଜେଡି ଗଡକୁ ଭାଙ୍ଗିବା ପାଇଁ ପୁରୀ କଂଗ୍ରେସ ଦଳର ନବକଳେବର ହୋଇଛି । ଉମା ବଲ୍ଲଭ ରଥ ପୁରୀ ଛାଡିବା ପରେ ମହାପ୍ରଭୁଙ୍କ ସେବାୟତଙ୍କ ସାହାରାରେ ନିର୍ବାଚନ ବୈତରଣୀ ପାର ହେବାକୁ ଲକ୍ଷ୍ୟ ରଖିଛି ଦଳ । ଏପରିକି ମହାପ୍ରଭୁଙ୍କ ସେବାୟତ ବିନାୟକ ଦାସ ମହାପାତ୍ରଙ୍କୁ ଦଳ ମହେଶ୍ୱରଙ୍କ ବିରୋଧରେ ପ୍ରାର୍ଥୀ କରିବ ବୋଲି ଏକରକମ ସ୍ଥିର ହୋଇସାରିଛି । ଏହାଛଡା କଂଗ୍ରେସର ବିଶ୍ୱଜିତ ମହାନ୍ତି ମଧ୍ୟ ପୁରୀ ଆସନ ପାଇଁ ଟିକେଟ ଦୌଡରେ ରହିଛନ୍ତି ।

କଂଗ୍ରେସ ଭଳି ବିଜେପି ମଧ୍ୟ ମହାପ୍ରଭୁଙ୍କ ସେବାୟତଙ୍କ ସାହାରାରେ ପୁରୀରେ ପଦ୍ମ ଫୁଟାଇବା ପାଇଁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଛି । ଯେହେତୁ ପୁରୀରେ ସେବାୟତଙ୍କ ବଡ ଭୋଟବ୍ୟାଙ୍କ ରହିଛି ଓ ସେବାୟତଙ୍କ ସହ ପୁରୀବାସୀଙ୍କ ଭାବାବେଗ ଜଡିତ ରହିଛି ତେଣୁ ଏହି ଚାଲ ଚଳାଇ ନିର୍ବାଚନ ବୈତରଣୀ ପାର ହେବାକୁ ଲକ୍ଷ୍ୟ ରଖିଛି ଦଳ । ଏହାଛଡା ପୁରୀ ଲୋକସଭା ଆସନରୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରାର୍ଥୀ କରି ଦଳ ଏଠାରେ ପଦ୍ମ ଫୁଟାଇବ ବୋଲି ଚର୍ଚ୍ଚା ହେଉଥିଲା । କିନ୍ତୁ ସେଭଳି ଚର୍ଚ୍ଚାରେ ଏବେ ସାମୟିକ ଭାବେ ପୂର୍ଣ୍ଣଛେଦ ପଡିଛି । ଏହାଛଡା ମହିଳା ଭୋଟ ହାତେଇବା ପାଇଁ ପୁରୀରେ ମହିଳା ସମାବେଶ କରିଛି ଦଳ । ଏସଭୁ ଭିତରେ ବିଜେପି ପକ୍ଷରୁ ଭବାନୀ ଦାସ ମହାପାତ୍ର ଓ କୃଷ୍ଣଚନ୍ଦ୍ର ପଣ୍ଡା ଟିକେଟ ରେସରେ ରହିଛନ୍ତି । ତେଣୁ ଦଳ କାହା ଉପରେ ଭରସା କରୁଛି ତାହା ଟିକେଟ ଘୋଷଣା ପରେ ସ୍ପଷ୍ଟ ହୋଇଯିବ । ଏଭଳି ରାଜନୈତିକ ଛକାପଞ୍ଝା ମଧ୍ୟରେ ଜଗନ୍ନାଥଧାମରେ ଜିତିବ କିଏ ତାହା ସବୁଠୁ ପ୍ରଶ୍ନ ଭାବେ ଉଭା ହୋଇଛି ।