ପୁରୀରେ ଚଳିବନି ଧର୍ମ ରାଜନୀତି । ବିଜେପିର ଏଜେଣ୍ଡା ଉପରେ ପ୍ରଶ୍ନ ଉଠାଇଲେ ମହେଶ୍ୱର ? କହିଲେ, ସମ୍ବିତ ପାତ୍ରଙ୍କ ସ୍ୱପ୍ନ ହେବନି ସାକାର ।

ସମ୍ବିତ ପାତ୍ରଙ୍କୁ ମହେଶ୍ୱରଙ୍କ ଜବାବ୍ । ଧର୍ମୀୟ ରାଜନୀତିକୁ ବିରୋଧ କରିବେ ପୁରୀବାସୀ । ନିଜେ କହିଥିଲେ ‘ଶଙ୍ଖ’ ଫୁଟୁ ପୁରୀରେ ‘ଶଙ୍ଖ’ ନିଶ୍ଚୟ ଫୁଟିବ ।

229

କନକ ବ୍ୟୁରୋ: ହାତରେ ଜଗନ୍ନାଥ ବିଗ୍ରହଙ୍କୁ ଧରି ପୁରୀ ବିଜେପି ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର ନିର୍ବାଚନୀ ପ୍ରଚାର କରିବା ପ୍ରସଙ୍ଗ ନେଇ ତେଜିଲା ବିବାଦ । ଏନେଇ ପୁରୀ ବିଧାନସଭା ବିଜେଡି ପ୍ରାର୍ଥୀ ମହେଶ୍ୱର ମହାନ୍ତି କହିଛନ୍ତି ଯେ, ଯେଉଁମାନେ ଧର୍ମୀୟ ରାଜନୀତି କରିବାକୁ ଷଡ଼ଯନ୍ତ୍ର କରିଛନ୍ତି ସେମାନଙ୍କୁ ପୁରୀବାସୀ ଦୃଢ଼ ପ୍ରତିବାଦ କରିବେ । ନିର୍ବାଚନରେ କୌଣସି ପ୍ରକାର ଧର୍ମୀୟ ରାଜନୀତି ହେବା ଉଚିତ୍ ନୁହେଁ । ତେଣୁ ବିଜେପି ଏଭଳି କୁପ୍ରକୃତି ଚିନ୍ତାଧାରାରୁ ନିବୃତ ରହୁ ବୋଲି କହିଛନ୍ତି ମହେଶ୍ୱର ।
ସେହିଭଳି ନିକଟରେ ସମ୍ବିତ ପାତ୍ର ପୁରୀରେ ‘ଶଙ୍ଖ’ ଫୁଟୁ ବୋଲି ଦେଇଥିବା ମନ୍ତବ୍ୟ ନେଇ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା । ଏହାକୁ ନେଇ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ମହେଶ୍ୱର ଏବଂ କହିଛନ୍ତି, ସେ ଯଦି ନିଜେ କହୁଛନ୍ତି ପୁରୀ ଭଳି ଧର୍ମୀୟ ସ୍ଥାନରେ ‘ପଦ୍ମ’ ବଦଳରେ ‘ଶଙ୍ଖ’ ଫୁଟୁ ତେବେ ପୁରୀରେ ନିଶ୍ଚୟ ‘ଶଙ୍ଖ’ ଫୁଟିବ । ପୁରୀବାସୀ ଦୀର୍ଘ ବର୍ଷ ହେବ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବିଜେଡି ପ୍ରତି ଆସ୍ଥା ପ୍ରକଟ କରିଛନ୍ତି । ତେଣୁ ପୁଣି ପୁରୀରେ ବିଜେଡି ବହୁମାତ୍ରାରେ ବିଜୟ ହେବେ ବୋଲି କହିଛନ୍ତି ପୁରୀ ବିଧାନସଭା ପ୍ରାର୍ଥୀ ମହେଶ୍ୱର ମହାନ୍ତି ।