ଅଣସର ପିଣ୍ଡିରେ ମହାପ୍ରଭୁ ସଂପୂର୍ଣ୍ଣ ସୁସ୍ଥ : ଆଜି ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଶୃଙ୍ଗାର ଓ ବନକଲାଗି, କାଲି ନବଯୌବନ ଦର୍ଶନ ଦେବେ ଚତୁର୍ଦ୍ଧାମୂରତି

105

କନକ ବ୍ୟୁରୋ :  ଆଜି ମହାପ୍ରଭୁଙ୍କ ଶ୍ରୀଅଙ୍ଗକୁ ବଜ୍ର, ସଶକ୍ତ, ସୁଶୋଭିତ କରିବା ପାଇଁ ଲାଗି ହେବ ଦିବ୍ୟ ପ୍ରଲେପ ବା ଖଳି ପ୍ରସାଦ । ଏହା ପରେ ଶ୍ରୀଜୀଉଙ୍କ ଶୃଙ୍ଗାର କରାଯାଇ ବନକନୀତି ହେବ । ଆସନ୍ତାକାଲି ମହାପ୍ରଭୁ ନବଯୌବନ ବେଶରେ ଦର୍ଶନ ଦେବେ । ସ୍ନାନବେଦିରେ ୧୦୮ ଗରା ଅଧିବାସ ଜଳରେ ସ୍ନାନ ପରେ ଜ୍ୱରରେ ପଡ଼ି ମହାପ୍ରଭୁ ଶ୍ରୀମନ୍ଦିର ଅଣସର ପିଣ୍ଡିରେ ଅବସ୍ଥାନ କରୁଥିଲେ । ଦଇତାପତିମାନେ ଅଣସର ଘରେ ନାନାଦି ଗୁପ୍ତନୀତି ସଂପାଦନ କରିବା ପରେ ଅସୁସ୍ଥ ମହାପ୍ରଭୁ ଏହା ଭିତରେ ସୁସ୍ଥ ହୋଇଛନ୍ତି । ଚକାବିଜେ ପରେ ଶୋଇ ରହିଥିବା ମହାପ୍ରଭୁ ଅଣସର ପିଣ୍ଡିରେ ଉଠି ବସିଛନ୍ତି । କିନ୍ତୁ ବହୁଦିନ ଧରି ଜ୍ୱରରେ ପଡ଼ିବା ପରେ ଦୁର୍ବଳ ଅନୁଭବ କରୁଛନ୍ତି ମହାପ୍ରଭୁ । ଏଣୁ ମହାପ୍ରଭୁଙ୍କ ଶ୍ରୀଅଙ୍ଗକୁ ବଜ୍ର, ସଶକ୍ତ, ସୁଶୋଭିତ କରିବା ତଥା ମହାପ୍ରଭୁଙ୍କୁ ନବଯୌବନ ଆଣିଦେବା ପାଇଁ ଆଜି ଶ୍ରୀମନ୍ଦିରକୁ ଖଳି ପ୍ରସାଦ (ଦିବ୍ୟ ପ୍ରଲେପ) ବିଜେ କରାଯାଇଛି ।

PURI

 

ତିନି ଠାକୁରଙ୍କ ମୁଖ୍ୟ ଶୁଦ୍ଧ ସୁଆର ସେବକମାନେ ଖଳି ପ୍ରସାଦକୁ ନିଜ ନିଜ ଘରେ ପ୍ରସ୍ତୁତ କରି ଆଜି ଅପରାହ୍‌ଣ ପ୍ରାୟ ୨ଟାରେ ଶୁଭ୍ର ପୁଷ୍ପରେ ଖଳିହାଣ୍ଡିକୁ ଶ୍ରୀମନ୍ଦିରକୁ ବିଜେ କରାଇଛନ୍ତି । ଶ୍ରୀମନ୍ଦିରରୁ ବିଜେ କାହାଳୀ ବାଜି ଦୋଳମଣ୍ଡପସ୍ଥିତ ଶୁଦ୍ଧ ସୁଆରଙ୍କ ଘରେ ପହଞ୍ଚିବା ପରେ ଅପରାହ୍‌ଣ ୨ଟାରେ ଶ୍ରୀମନ୍ଦିରରେ ଖଳି ବିଜେ ହୋଇଥିଲା । ତେବେ ଆଜି ରାଜନଅରକୁ ଖଡ଼ି ପ୍ରସାଦ ବିଜେ ନୀତି ରହିଥିବାବେଳେ ବିଳମ୍ବ ଯୋଗୁ ଏହି ନୀତି ଆଜି ସଂପନ୍ନ ହୋଇପାରିନି । ଆସନ୍ତାକାଲି ସକାଳେ ଏହି ନୀତି ସଂପନ୍ନ ହେବ ବୋଲି ଜଣାପଡ଼ିଛି ।

ନୀଳାଦ୍ରି ମହୋଦୟ ଶାସ୍ତ୍ର ଅନୁସାରେ ମହାପ୍ରଭୁଙ୍କଠାରେ ଫୁଲୁରି ତେଲ, ଓଷ ଲାଗି, ଦଶମୂଳ ଲାଗି, ସର୍ବାଙ୍ଗ ଚନ୍ଦନ, ରାଜପ୍ରସାଦ ବିଜେ ପରେ ଆଜି ଖଳିପ୍ରସାଦ ବିଜେ ନୀତି ସଂପନ୍ନ ହୋଇଛି । ପରମ୍ପରା ମୁତାବକ, ଗତକାଲି ନିଶାର୍ଦ୍ଧ ରାତିରେ ଶ୍ରୀମନ୍ଦିରରେ ଘନ ଅନ୍ଧକାର ଭିତରେ ବିରୂପ ବିସର୍ଜନ କରାଯାଇ ଏହାକୁ ଜଳସମାଧି ଦିଆଯାଇଥିଲା । ଘନ ଅନ୍ଧକାର ଭିତରେ ଶ୍ରୀମନ୍ଦିରରେ ଶୋଧ କାର୍ଯ୍ୟ ସଂପନ୍ନ ହୋଇଥିଲା । ତ୍ରୟୋଦଶୀ ତିଥିରେ ଖଳି ପ୍ରସାଦ ଶ୍ରୀମନ୍ଦିର ବିଜେ କରିବାର ପରମ୍ପରା ରହିଛି । ଏଥିପାଇଁ ଗତକାଲି ସଂଧ୍ୟା ଧୂପ ପରେ ଖଳି ପ୍ରସାଦ ପ୍ରସ୍ତୁତ ପାଇଁ ବିମଳାଙ୍କ କୂଅରୁ ଜଳ ଆସିଥିଲା ।

ଶୁଦ୍ଧ ସୁଆରମାନେ ଏହି ଜଳରେ ତିନି ଠାକୁରଙ୍କ ପାଇଁ ଖଳି ପ୍ରସାଦ ପ୍ରସ୍ତୁତ କରିଥିଲେ । ଶ୍ରୀଜଗନ୍ନାଥଙ୍କ ମୁଖ୍ୟ ସୁଆର ସେବକ ରାମଚନ୍ଦ୍ର ସୁଆର, ବଳଭଦ୍ରଙ୍କ ମୁଖ୍ୟ ସୁଆର ସେବକ ଲୋକନାଥ ସୁଆର ଓ ମା ସୁଭଦ୍ରାଙ୍କ ମୁଖ୍ୟ ସୁଆର ସେବକ ଶ୍ରୀଧର ସୁଆର ନିଜ ନିଜ ଘରେ ଏହି ଦିବ୍ୟ ପ୍ରଲେପ ପ୍ରସ୍ତୁତ କରିଥିଲେ । ବଳଭଦ୍ରଙ୍କ ମୁଖ୍ୟ ତଥା ବରିଷ୍ଠ ସୁଆର ସେବକ ଲୋକନାଥ ସୁଆର କହିଛନ୍ତି, ଖଳିପ୍ରସାଦ ସଂପର୍କରେ ବିଭିନ୍ନ ଶାସ୍ତ୍ରରେ ବିସ୍ତୃତ ଭାବେ ଉଲ୍ଲେଖ ରହିଛି । ଏହି ଦିବ୍ୟ ପ୍ରଲେପ ମହାପ୍ରଭୁଙ୍କ ଦେହରେ ଲାଗି ହେବା ପରେ ଏହା ମହାପ୍ରଭୁଙ୍କ ଶ୍ରୀଅଙ୍ଗକୁ ବଜ୍ର କରିଥାଏ । ଏହା ଏକ ଗୁପ୍ତନୀତି ହୋଇଥିବାରୁ ଶୁଦ୍ଧ ସୁଆର ସେବକମାନେ ଏ ସଂପର୍କରେ କାହାରି ଆଗରେ କିଛି ପ୍ରକାଶ କରିନଥାନ୍ତି ।