ବିହାର ନେଇଗଲା ପୁରୀ ଖଜା! ରସଗୋଲା ପରେ ଜିଆଇ ଟ୍ୟାଗ୍ ପାଇବାରୁ ବଂଚିତ ହେଲା ଖଜା

448

କନକ ବ୍ୟୁରୋ : ରସଗୋଲା ପରେ ପୁରୀ ଖଜା । ଖଜାର ଉତ୍ପତି କେଉଁଠି ପୁରୀ ନା ବିହାର , ଏବେ ଏହାକୁ ନେଇ ଆରମ୍ଭ ହୋଇଯାଇଛି ବିବାଦ । ଶ୍ରୀମନ୍ଦିର ସ୍ୱତ୍ୱଲିପି କହୁଛି ମନ୍ଦିରରେ ସନ୍ଧ୍ୟାଧୂପରେ ଖଜା ଭୋଗ ହୋଇଥାଏ । ତେବେ ଖଜାର ଉତ୍ପତି ବିହାରରେ ବୋଲି ସରକାରୀ ମାନ୍ୟତା ମିଳିବା ପରେ ଏବେ ରାଜ୍ୟ ସରକାରଙ୍କ ସଂସ୍କୃତିକୁ ବଂଚାଇ ରଖିବା ପାଇଁ କିପରି ଉଦ୍ୟମ ହେଉଛି, ତା ଉପରେ ରହିଛି ସମସ୍ତଙ୍କ ନଜର ।

ରସଗୋଲା ପରେ ଏବେ ଖଜାକୁ ନେଇ ବିବାଦ । ବିହାର ନେଇଗଲା ପୁରୀ ଖଜା । କିଛି ଏପରି ପ୍ରଶ୍ନ ଏବେ ଖଜାର ଜନ୍ମକୁ ନେଇ ପ୍ରଶ୍ନ ଉଠାଇଛି । ଡିସେମ୍ବର ୧୧ ତାରିଖରେ ଖଜା ବିହାରର ବୋଲି ସରକାରୀ ଭାବେ ପାଇଲା ମାନ୍ୟତା । ଏହି ସରକାରୀ ଘୋଷଣା ଏବେ ବିବାଦକୁ ଅଧିକ ଖୋରାକ ଯୋଗାଇଛି । କାହିଁକି ଖଜା ପୁରୀର ବୋଲି ଆବେଦନ କରାଗଲା ନାହିଁ ସେ ନେଇ ପ୍ରଶ୍ନ ଉଠାଇଛନ୍ତି ସଂସ୍କୃତି ବିଶେଷଜ୍ଞ । ତେଣୁ ସରକାର ତତ୍ପର ନହେଲେ ଆମର ସ୍ୱତନ୍ତ୍ର ପରିଚୟ ହଜିଯିବ ବୋଲି ଅଭିଯୋଗ ହୋଇଛି ।

ଖଜାର ଉତ୍ପତି ଏବଂ ଶ୍ରୀମନ୍ଦିର ମଧ୍ୟରେ ଥିବା ସମ୍ପର୍କ ବେଶ ପୁରୁଣା । ଶ୍ରୀମନ୍ଦିରରେ ଏହି ଶୁଖିଲି ଭୋଗର ସୃଷ୍ଟି ଅନ୍ୟୁନ ୬୦୦ବର୍ଷ ପୁୁରୁଣା । କାରଣ ଶ୍ରୀମନ୍ଦିରରେ ପ୍ରାଚୀନ ଦ୍ୱାଦଶ ଯାତ୍ରା ମଧ୍ୟରେ ଅନ୍ତର୍ଭୁକ୍ତ ମକର ସଂକ୍ରାନ୍ତି ଦିନ ସର୍ବାଧିକ ୮୪ ପ୍ରକାରର ଉଭୟ ସଙ୍ଖୁଡି ଓ ନିସଙ୍ଖୁଡି ଭୋଗ ଶ୍ରୀବିଗ୍ରହଙ୍କ ନିକଟରେ ଅର୍ପଣ ହୋଇଥାଏ । ଏହି ୮୪ ପ୍ରକାର ଭୋଗ ମଧ୍ୟରେ ରହିଛି ଖଜା । ୧୯୧୦ ମସିହା ବେଳେ ଶ୍ରୀମନ୍ଦିରରେ ସନ୍ଧ୍ୟାଧୂପରେ ଖଜା ଭୋଗ ହେଉଥିବା ସ୍ୱତ୍ୱଲିପିରୁ ଜଣାଯାଏ । ଇତିହାସର ପୃଷ୍ଠାରେ ଶ୍ରୀମନ୍ଦିରର ୫୬ଭୋଗର ବିବରଣୀରେ ସ୍ଥାନ ପାଇଛି ଖଜା । ଏସବୁ ସତ୍ୱେ ଜଗନ୍ନାଥ ପରମ୍ପରା ସହିତ ଜଡିତ ଖଜାର ମାନ୍ୟତା ପାଇବା କ୍ଷେତ୍ରରେ ସରକାର ଯେତିକି ଯତ୍ନବାନ ହେବା କଥା ହୋଇନାହାନ୍ତି ବୋଲି ଅଭିଯୋଗ ହୋଇଛି ।

ରସଗୋଲା ପାଇଁ ଯେତେବେଳେ ଟଣାଓଟରା ଲାଗିଥିଲା ସେତେବେଳେ ମଧ୍ୟ ରାଜ୍ୟ ସରକାରଙ୍କ ଉପରକୁ ଅଙ୍ଗୁଳି ଉଠିଥିଲା । ଟ୍ୟାଗ ପାଇବା ପାଇଁ କାହିଁକି ସରକାର ପ୍ରଥମେ ଆବେଦନ କଲେ ନାହିଁ ବୋଲି ଉଠିଥିଲା ପ୍ରଶ୍ନ । ଏବେ ଖଜାର ଉତ୍ପତି ଏବଂ ବ୍ୟବହାର ପୁରୀ ଶ୍ରୀମନ୍ଦିରରେ ହୋଇଥିବା ନେଇ ତଥ୍ୟ ପ୍ରମାଣ ରହିଥିଲେ ମଧ୍ୟ ଏହା ସରକାରୀ ଟ୍ୟାଗ ପାଇବାରୁ ବଂଚିତ ହୋଇଛି ।