ସନ୍ଦେହ ଘେରରେ ଅଫିସରଙ୍କ ଭୂମିକା : କାହା ଅନୁମତିରେ ଖୋଳିଲେ ବାଇଶି ପାହାଚ?ଶ୍ରୀମନ୍ଦିରରେ ଧାଡି ଦର୍ଶନ ବ୍ୟବସ୍ଥାକୁ ନେଇ ପ୍ରଶାସନ ବିରୋଧରେ ଗର୍ଜିଲେ ବିଜୟ

37

କନକ ବ୍ୟୁରୋ: ଶ୍ରୀମନ୍ଦିରର ଯେକୌଣସି ଅଂଶର ମରାମତି କିମ୍ବା ପୁନଃନିର୍ମାଣ ପାଇଁ କେବଳ ଭାରତୀୟ ପ୍ରତ୍ନତାତ୍ତ୍ୱିକ ବିଭାଗ ହିଁ ଅଧିକୃତ ସଂସ୍ଥା। ଏଣୁ ଏଏସଆଇ ବିନା ଅନୁମତିରେ ବାଇଶି ପାହାଚ ଖୋଳି ବ୍ୟାରିକେଡ୍ ନିର୍ମାଣ ଲାଗି ପ୍ରଶାସନକୁ ଅନୁମତି ଦେଲା କିଏ? ଶ୍ରୀଜଗନ୍ନାଥ ମନ୍ଦିର ଭାରତର କୌଣସି ମନ୍ଦିର ସହିତ ତୁଳନୀୟ ନୁହେଁ। ଜଣେ ଦୁଇଜଣ ଆଇଏଏସ ଓ ଆଇପିଏସ୍ ଅଫିସର ଦେଶର କିଛି ପ୍ରମୁଖ ମନ୍ଦିର ବୁଲି ଆସି କହିଲେ ଧାଡ଼ି ଦର୍ଶନର ବ୍ୟବସ୍ଥା ହେବ। କାହା ସହ ଆଲୋଚନା କରିଥିଲେ? ଉଚ୍ଚ ପଦବିରେ ଥିବା କିଛି ବରିଷ୍ଠ ଅଧିକାରୀ ନିଜ ଇଚ୍ଛାକୁ ଲଦିଦେବେ କିପରି?

ଶ୍ରୀମନ୍ଦିରରେ ଧାଡି ଦର୍ଶନ ବ୍ୟବସ୍ଥାକୁ ନେଇ ଗତକାଲି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ଏମିତି ଢଙ୍ଗରେ ସରକାରଙ୍କ ବିରୋଧରେ ଗର୍ଜିଛନ୍ତି। କେବଳ ସେତିକି ନୁହେଁ, ୩ ତାରିଖରେ ପୁରୀରେ ଯେଉଁ ହିଂସା ଦେଖାେଦଲା, ସେ ନେଇ ମଧ୍ୟ ପ୍ରଶାସନିକ ଅପାରଗତା ଆଡକୁ ଆଙ୍ଗୁଠି ଉଠାଇଛନ୍ତି ବିଜୟ। ସେପଟେ ରାଜ୍ୟ ସରକାରଙ୍କ ବରିଷ୍ଠ ମନ୍ତ୍ରୀ ମହେଶ୍ବର ମହାନ୍ତିଙ୍କ ପରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସମତାକ୍ରାନ୍ତି ଦଳ ନେତା ବ୍ରଜ କିଶୋର ତ୍ରିପାଠୀ ମଧ୍ୟ ଧାଡି ଦର୍ଶନକୁ ବିରୋଧ କରିବା ସହିତ ପୁଲିସର ଦମନଲୀଳାକୁ କଡ଼ା ସମାଲୋଚନା କରିଛନ୍ତି। ଏଥିସହିତ ଧାଡି ଦର୍ଶନ ବ୍ୟବସ୍ଥା ନିଷ୍ପତ୍ତି ବିତର୍କ ଭିତରକୁ ଠେଲି ହୋଇଯାଇଛି। କେବଳ ସେତିକି ନୁହେଁ, ଆଗ ପଛ ବିଚାର ନ କରି ଶ୍ରୀମନ୍ଦିର ପ୍ରଶାସନ ଯେଭଳି ତରବରିଆ ନିଷ୍ପତ୍ତି ନେଲେ, ଓଡ଼ିଶାବାସୀଙ୍କ ଭାବନାକୁ ଖୋଳିବାକୁ ଯାଇ ବାଇଶି ପାହାଚ ଖୋଳିଲେ। ଏବେ ପୁଣି ପୁରୀ ସହର ଓ ବାହାର ଭକ୍ତଙ୍କୁ ବିଭାଜିତ କରିବା ଲାଗି ଉଦ୍ୟମ ଚାଲିଛି। ଏହାକୁ ନେଇ ଅସନ୍ତୋଷ କ୍ରମଶଃ ତେଜିବାରେ ଲାଗିଲାଣି। ପ୍ରଶାସନିକ ଅପରାଗତା କାରଣରୁ ଶ୍ରୀମନ୍ଦିରରେ ଗତ କିଛି ବର୍ଷ ଧରି ଯେଉଁଭଳି ଭାବେ ଗୋଟିଏ ପରେ ଗୋଟିଏ ଅଘଟଣ ଘଟୁଛି, ସେ ମଧ୍ୟକୁ ରାଜ୍ୟ ସରକାର ମଧ୍ୟ ଧୀରେ ଧୀର ଟାଣି ହୋଇଗଲାଣି। କୌଣସି ଗୋଟିଏ ବି ଘଟଣାରେ ରାଜ୍ୟ ସରକାର କଠୋର କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରିବା କିମ୍ବା ବ୍ୟବସ୍ଥା ସଜାଡିବା ଲାଗି ଠୋସ୍ ପଦକ୍ଷେପ ନେଇ ନଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି।

ଉଲ୍ଲେଖଯୋଗ୍ୟ, ପୁରୀରେ ଧାଡି ଦର୍ଶନ ଓ ହିଂସା ପ୍ରସଙ୍ଗକୁ ନେଇ ସବୁ ମହଲରେ ଅସନ୍ତୋଷ ଗୁମୁରିଲାଣି। ୩ ତାରିଖର ହିଂସାକୁ ସବୁ ମହଲରେ କଠୋର ସମାେଲାଚନା କରାଯାଇଛି। ଦୃଷ୍ଟାନ୍ତମୂଳକ କାର‌୍ୟ୍ୟାନୁଷ୍ଠାନ ଲାଗି ଦାବି ଉଠିଛି। ହେଲେ ଏହି ଘଟଣା ପଛର ପ୍ରଶାସନିକ ଦୋଷତ୍ରୁଟି ଓ ମନମାନିକୁ ସରକାର ଯେଭଳି ହଜମ କରି ଚାଲିଛନ୍ତି ଓ ପୁରୀ ପ୍ରଶାସନର ଦୋଷତ୍ରୁଟିକୁ ଗିଳି ଦେଲେଣି, ତାହା ସମସ୍ତଙ୍କୁ ତାଜୁବ୍ କଲାଣି। ଶ୍ରୀ ମହାପାତ୍ର କହିଛନ୍ତି, ସୁପ୍ରିମ୍ କୋର୍ଟଙ୍କ ନିର୍ଦ୍ଦେଶକୁ ଆଳ କରି ଶ୍ରୀଜଗନ୍ନାଥ ମନ୍ଦିରରେ ରାଜନୀତି ଆରମ୍ଭ ହୋଇଛି। ପୁରୀ ବଡ଼ ଦାଣ୍ଡରେ ରକ୍ତର ତାଣ୍ଡବ ଲୀଳା ହେବ ବୋଲି କେହି ସ୍ୱପ୍ନରେ ସୁଦ୍ଧା ଭାବି ନଥିଲେ । ସମସ୍ତେ ଜାଣିଥିଲେ ଯେ ଧାଡ଼ି ଦର୍ଶନକୁ ବିରୋଧ କରି ଜଗନ୍ନାଥ ସେନା ପୁରୀ ବନ୍ଦ ଡାକରା ଦେଇଥିଲା । କିନ୍ତୁ ପ୍ରଶାସନ ଘଟଣାଟିକୁ ଅତି ହାଲୁକାଭାବେ ଗ୍ରହଣ କରିବାରୁ ଆଜି ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ବର୍ତ୍ତମାନ ଯେତେ ଯିଏ ଏହି ଘଟଣାକୁ ଘଣ୍ଟ ଘୋଡାଇବାକୁ ଚେଷ୍ଟା କଲେ ମଧ୍ୟ ପ୍ରଶାସନର ଫୁଙ୍ଗୁଳା ଦେହ ରାଜ୍ୟବାସୀଙ୍କ ସମ୍ମୁଖରେ ମୁକୁଳା ହୋଇଯାଇଛି। ଯେତେବେଳେ ଘଟଣା ଘଟୁଥିଲା କେହିବି ଏହାକୁ ବିରୋଧ କଲେ ନାହିଁ । ନା ପ୍ରଶାସନ, ନା ଖୋଦ ଗଜପତି କେହି ଏହାକୁ ବିରୋଧ କରି ନଥିଲେ।

ସେ କହିଲେ, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଥିଲା ଧାଡ଼ି ଦର୍ଶନରେ କିଭଳି ଭକ୍ତମାନେ ଶୃଙ୍ଖଳିତ ଭାବେ ମହାପ୍ରଭୁଙ୍କ ଦର୍ଶନ କରିବେ। ସେଥିରେ ରାଜ୍ୟବାସୀ ଏବଂ ଜଗନ୍ନାଥପ୍ରେମୀ ମାନେ ଏକମତ ହୋଇଥିଲେ । କିନ୍ତୁ ଶୃଙ୍ଖଳିତ ନାମରେ ବିଶୃଙ୍ଖଳ କାର‌୍ୟ୍ୟ କରିବାକୁ ପ୍ରଶାସନକୁ କିଏ ଅନୁମତି ଦେଲା? ଉଚ୍ଚ ପଦବିରେ ଥିବା କିଛି ବରିଷ୍ଠ ଅଧିକାରୀ ମନମୁଖି ନିଷ୍ପତ୍ତି ଶ୍ରୀମନ୍ଦିର ଉପରେ ଲଦି ଦିଆନଯାଉ। ବରଂ ଶ୍ରୀମନ୍ଦିର ସୁରକ୍ଷା ଏବଂ ସମ୍ପୂର୍ଣ୍ଣ ସଂସ୍କାର ପାଇଁ ବିଶଦ ଆଲୋଚନା ଆବଶ୍ୟକ େବାଲି କହିଛନ୍ତି। ଶ୍ରୀମନ୍ଦିର ବିେରାଧରେ ଷଡ଼ଯନ୍ତ୍ର ଚାଲିଛି ଓ ପରିସ୍ଥିତି ଆଗକୁ ଭୟାଭୟ ହେବ ବୋଲି ଶ୍ରୀ ମହାପାତ୍ର ସତର୍କ କରାଇ ଦେଇଛନ୍ତି।

ଅନ୍ୟପକ୍ଷରେ ପୁରୀ ସାଲବେଗ ପୀଠରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ତ୍ରିପାଠୀ କହିଛନ୍ତି, ବ୍ରହ୍ମ ବିଭ୍ରାଟ, ନବକଳେବର ଟଙ୍କା ହେରଫେର, ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗକୁ ନେଇ ଜନମାନସରେ ଅସନ୍ତୋଷ ଭରି ରହିଥିଲା। ଏହାରି ଭିତରେ ଶ୍ରୀମନ୍ଦିର ପ୍ରଶାସନ କାହା ସହ କିଛି ପରାମର୍ଶ ନକରି ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ବ୍ୟବସ୍ଥା ଲାଗୁ କଲେ। ଏହାକୁ ନେଇ ଭକ୍ତ, ସେବାୟତ, ପୁରୀ ସହରବାସୀଙ୍କ ମନରେ ଦୀର୍ଘଦିନରୁ ଚାପି ହୋଇ ରହିଥିବା କ୍ରୋଧର ପରିପ୍ରକାଶ ଗତ ୩ ତାରିଖରେ ଦେଖିବାକୁ ମିଳିଥିଲା। ତେବେ ଶାନ୍ତିପୂର୍ଣ୍ଣ ବନ୍ଦ ପାଳନ ହିଂସାକାଣ୍ଡର ରୂପ ନେବା ବେଳେ କାହିଁକି ପୁଲିସ ରୋକିଲା ନାହିଁ, ଜଳାପୋଡ଼ା ଶେଷ ହେବା ପରେ ଏସ୍ପି, ଆଇଜି ଆସି ସ୍ଥିତି ନିୟନ୍ତ୍ରଣକୁ ନେଲେ ତାହାକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି। ବଂଶାନୁକ୍ରମିକ ଅଧିକାର ନକରିବା, ଧାଡ଼ି ଦର୍ଶନ ବନ୍ଦ କରିବା, ବ୍ରହ୍ମବିଭ୍ରାଟ ରିପୋର୍ଟକୁ ସାର୍ବଜନୀନ କରିବା, ନବକଳେବର ଟଙ୍କାରେ ବ୍ୟାପକ ଦୁର୍ନୀତି ଓ ଅନିୟମିତତାର ବିଚାର ବିଭାଗୀୟ ତଦନ୍ତ କରିବାକୁ ଶ୍ରୀ ତ୍ରିପାଠୀ ଦାବି କରିଛନ୍ତି। ଏଥିସହିତ ଶ୍ରୀଜଗନ୍ନାଥଙ୍କ ଧର୍ମ, ସଂସ୍କୃତି ଓ ପରମ୍ପରା ଉପରେ ସୁପ୍ରିମକୋର୍ଟ ଅଯଥା ହସ୍ତକ୍ଷେପ ନକରିବାକୁ ଶ୍ରୀ ତ୍ରିପାଠୀ ମତ ରଖିଛନ୍ତି।