ରତ୍ନଭଣ୍ଡାରରେ ବାହାରିବେ ନାହିଁ ସାପ ! ଜାଣନ୍ତୁ କିଏ କହିଲେ ଏଭଳି କଥା

57

କନକ ବ୍ୟୁରୋ : ଆସନ୍ତା ୪ ତାରିଖରେ ଖୋଲିବ ରତ୍ନଭଣ୍ଡାର । ରତ୍ନଭଣ୍ଡାର ଖୋଲିବାକୁ ନେଇ ଯେତିକି ଉକ୍ରଣ୍ଠା ରହିଛି, ରତ୍ନଭଣ୍ଡାରକୁ ନେଇ ଥିବା ଲୋକକଥାକୁ ନେଇ ତାଠୁ ଅଧିକ ଚର୍ଚ୍ଚା ହେଉଛି । ବିଶ୍ୱାସ ରହିଛି ରତ୍ନଭଣ୍ଡାରକୁ ଜଗି ରହିଥାନ୍ତି ପ୍ରଭୁ ଲୋକନାଥ । ଆଉ ଏଭଳି କାଳ୍ପନିକ ବିଶ୍ୱାସ ଉପରେ ଆଜି ପ୍ରତିକ୍ରିୟା ରଖିଛି ଜିଲ୍ଲା ପ୍ରଶାସନ । ପୁରୀ ଏସପି କହିଛନ୍ତି- ରତ୍ନଭଣ୍ଡାରରେ ସାପ ବାହାରିବା ସମ୍ଭାବନା କମ୍ । କାରଣ ବିଭିନ୍ନ ସମୟରେ ବର୍ଷକୁ ୫ଥର ଖୋଲାହୁଏ ଭଣ୍ଡାରଗୃହ ।

ଆଉ ମାତ୍ର ୪ ଦିନ ପରେ ଅର୍ଥାତ୍ ଏପ୍ରିଲ ୪ ତାରିଖରେ ଖୋଲାଯିବ ଶ୍ରୀମନ୍ଦିର ରତ୍ନଭଣ୍ଡାର । ରତ୍ନଭଣ୍ଡାର ଭିତରେ ପ୍ରବେଶ ପାଇଁ ତାରିଖ ଓ ସମୟ ଧାର୍ଯ୍ୟ ହେବା ପରେ ଏହାକୁ ନେଇ ସାରା ରାଜ୍ୟବାସୀଙ୍କ ମନରେ ଉକ୍ରଣ୍ଠା ସୃଷ୍ଟି ହୋଇଛି । ଅବଶ୍ୟ ବର୍ଷ ବର୍ଷ ଧରି ରହସ୍ୟ ଘେରରେ ରହି ଆସିଥିବା ରତ୍ନଭଣ୍ଡାରର ମଂଜ ରହସ୍ୟ କିନ୍ତୁ ଖୋଲିବ ନାହିଁ । କାରଣ ରତ୍ନଭଣ୍ଡାର ଭିତରକୁ ପ୍ରବେଶ କରି ସଦସ୍ୟମାନେ କେବଳ ସ୍ଥିତି ପରଖିବେ, ରତ୍ନକୁ ଦେଖିବେ ନାହିଁ । ତେବେ ରତ୍ନଭଣ୍ଡାର ଭିତରେ ସାପ ବାହାରିବା ନେଇ କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ମନରେ ଭରିରହିଛି ସବୁଠାରୁ ବଡ଼ ଉକ୍ରଣ୍ଠା । ଏ ନେଇ ପୁରୀ ଏସପି କନକ ନ୍ୟୁଜକୁ ଦେଇଛନ୍ତି ଏକ୍ସକ୍ଲୁସିଭ ସୂଚନା । ସେ କହିଛନ୍ତି, ରତ୍ନଭଣ୍ଡାରରେ ସାପ ବାହାରିବା ସମ୍ଭାବନା କମ୍ ।

ଲୋକକଥା ଓ କିମ୍ବଦନ୍ତୀ ଅନୁସାରେ ଶ୍ରୀମନ୍ଦିର ରତ୍ନଭଣ୍ଡାରକୁ ଜଗି ରହିଛନ୍ତି ଶ୍ରୀଲୋକନାଥଙ୍କ ଚଳନ୍ତି ପ୍ରତିମା । ତେଣୁ ରତ୍ନଭଣ୍ଡାର ସହ ସାପର ସଂପର୍କ ନେଇ ଅନେକ କଥା ଶୁଣିବାକୁ ମିଳିଥାଏ । ଏହିସବୁ ଦୃଷ୍ଟିରୁ ରତ୍ନଭଣ୍ଡାରରେ ପ୍ରବେଶ ବେଳେ ସ୍ନେକ୍ ହେଲ୍ପଲାଇନର ସହାୟତା ନେବା ନେଇ ପ୍ରଶ୍ନର ଉତର ରଖିଥିଲେ ପୁରୀ ଏସପି । ତାଙ୍କ କହିବା ଅନୁଯାୟୀ, ବର୍ଷକୁ ୫ ଥର ଭଣ୍ଡାରଗୃହ ଖୋଲାଯାଉଥିବାରୁ ଏହି ସ୍ଥାନରେ ସାପ ବାହାରିବା ଆଶଙ୍କା କମ । କିନ୍ତୁ ପୂର୍ବରୁ ରହିଥିବା ଲୋକକଥା ଅନୁଯାୟୀ, ରତ୍ନଭଣ୍ଡାର ଭିତରୁ ସୁ ସୁ ଗର୍ଜନ ଆସିଥାଏ ତେଣୁ ଏ ବିଷୟରେ ଆଲୋଚନା କରାଯିବ ।

ରତ୍ନଭଣ୍ଡାରକୁ ଯେଉଁମାନେ ସ୍ଥିତି ଯାଂଚ ପାଇଁ ପ୍ରବେଶ କରିବେ ସେମାନେ କଡ଼ାକଡ଼ି ଯାଂଚର ସମ୍ମୁଖୀନ ହେବେ । ପ୍ରବେଶ ବେଳେ ଦେହରେ କୌଣିସି ଅଳଙ୍କାର, ମୁଦି କିମ୍ବା ଅନ୍ୟ କୌଣସି ପ୍ରସାଧନ ସାମଗ୍ରୀ ରହିବ ନାହିଁ । ଯେଉଁ ଧୋତି ଓ ଗାମୁଛା ପିନ୍ଧି ରତ୍ନଭଣ୍ଡାରକୁ ପ୍ରେବଶ କରିବେ, ସେ ପରିଧାନ ମଧ୍ୟ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯିବ । ଆଉ ଏକ ବଡ଼ କଥା ହେଉଛି ଏହି ଭିଡିଓଗ୍ରାଫ କେବଳ ରତ୍ନଭଣ୍ଡାରର ସୁରକ୍ଷା ପାଇଁ ଆବଶ୍ୟକ ହେଉଥିବା କାନ୍ଥ ଓ ଛାତ ଆଦିର କରାଯିବ । ରତ୍ନଭଣ୍ଡାରରେ ଥିବା କୌଣସି ସାମଗ୍ରୀ କିମ୍ବା ଅଳଙ୍କାରର କୌଣସି ଚିତ୍ର ଉତୋଳନ ହେବ ନାହିଁ ଏବଂ ଏହା ଭିତରେ କଣ ଅଛି ତାହା ଉପରେ ସଦସ୍ୟ ମାନେ ଆଖି ପକାଇବେ ନାହିଁ ଓ ବାହାରେ କାହାକୁ ଏ ବାବଦରେ କିଛି କହିବେ ନାହିଁ । ଏସବୁ ଭିତରେ ଅପେକ୍ଷା ଆସନ୍ତା ୪ ତାରିଖକୁ, ଯେତେବେଳେ ଖୋଲାହେବ ରତ୍ନଭଣ୍ଡାର ।