ପୁଣି ଭାଇରାଲ ହେଲା ଶ୍ରୀ ମନ୍ଦିରର ଫଟୋ! ଏଥର ସୋସିଆଲ ମିଡିଆ ନୁହେଁ ପୁସ୍ତକରେ ପ୍ରକାଶ ପାଇଲା ଶ୍ରୀମନ୍ଦିର ଭିତରର ଫଟୋ

45

କନକ ବ୍ୟୁରୋ : ପୁଣି ଶ୍ରୀମନ୍ଦିରର ଭିତର ଫଟୋ ଭାଇରାଲ ।କିନ୍ତୁ ଏଥର କୌଣସି ସୋସିଆଲ ମିଡିଆରେ ନୁହେଁ ବରଂ ପୁସ୍ତକରେ ଶ୍ରୀମନ୍ଦିର ଦେବଦେବୀଙ୍କ ଫଟୋ ଭାଇରାଲ ହୋଇଛି । ଆଉ ଏହି ଫଟୋକୁ ଭାଇରାଲ କରିଛନ୍ତି ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା ବା ଏଏସଆଇର ଅବସରପ୍ରାପ୍ତ ଅଧିକାରୀ ଡଃ ରବି ନାରାୟଣ ଦାଶ । ସେ ଏହିସବୁ ଫଟୋକୁ ନେଇ ଏକ ପୁସ୍ତକ ଲେଖିଛନ୍ତି । ଯାହାର ନାଁ ରହିଛି ଜଗନ୍ନାଥ ଇନ ହିଷ୍ଟୋରିକାଲ ପ୍ରସପେକ୍ଟିଭ । ୨୦୦୮ ମସିହାରେ ଛପା ଯାଇଥିବା ଏହି ବହିରେ ୨୮୮ ପୃଷ୍ଟା ରହିଥିବା ବେଳେ ୯୭ଟି କଳାଧଳା ଓ ରଙ୍ଗୀନ ଫଟୋ ଶ୍ରୀମନ୍ଦିରର ନୀଳଚକ୍ର ଠାରୁ ଆରମ୍ଭ କରି ପାର୍ସ୍ୱଦେବାଦେବୀ ମୁର୍ତି , ଗରୁଡ ସ୍ତମ୍ଭ ଆଦିର ଫଟୋ ରହିଛି । ଏହି ବହିର ମୁଲ୍ୟ ୨୫ଶହ ଟଙ୍କା ରହିଥିବା ବେଳେ ଏହା ଦେଶ ବିଦେଶରେ ମଧ୍ୟ ବିକ୍ରି ହୋଇସାରିଛି ।

ତେବେ ନିୟମ ଅନୁସାରେ ଏଏସଆଇ ଶ୍ରୀମନ୍ଦିରର ଫଟୋକୁ ଡକୁମେଣ୍ଟେସନ ପାଇଁ ରଖିପାରିବ । ହେଲେ ତାହାକୁ ଭାଇରାଲ କରିବା ବା ପବ୍ଲିସ କରିପାରିବ ନାହିଁ ହୋଲି ନିୟମ ରହିଛି । ତେବେ ଡଃ ଦାଶ ଏହାକୁ କିଭଳି ଛାପି ଏକ ବହି କଲେ । କାହା ଅନୁମତିରେ ଏହି ବହି ଛାପିଲେ ତାହା ଏବେ ବଡ ପ୍ରଶ୍ନ । ସେ ମଧ୍ୟ ରାଜ୍ୟ ସଂଗ୍ରହାଳୟର ୧୯୯୪ ମସିହାରେ ସୁପରିଟେଣ୍ଡେଣ୍ଟ ରହିଛନ୍ତି । ତାଙ୍କର ଏହି ବହିଟିକୁ ଭୋପାଳର ଇନ୍ଦିରା ଗାନ୍ଧୀ ରାଷ୍ଟ୍ରୀୟ ମାନବ ସଂଗ୍ରହାଳୟରେ ରଖିଯାଇଛି । ଏହାକୁ ଜଣେ ସେବାୟତ ଜାଣିବା ପରେ ତାହାର ଫଟୋ ଉତ୍ତୋଳନ କରି ଆଣିଛନ୍ତି । ଆଉ ଏହାକୁ ଛତିଶା ନିଯୋଗ ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ନଜରକୁ ମଧ୍ୟ ଆଣିବା ସହ କାର୍ୟ୍ୟାନୁଷ୍ଠାନ ପାଇଁ ଦାବୀ କରିଛନ୍ତି । ଖାଲି ସେତିକି ନୁହେଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସେହି ବହିର ଲେଖକ ତଥା ପୂର୍ବତନ ଏଏସଆଇ ଅଧିକାରୀ ଡଃ ରବି ନାରାୟଣ ଦାଶଙ୍କୁ ନୋଟିସ ଜାରୀ କରିବାକୁ ମଧ୍ୟ ଅନୁରୋଧ କରିଛନ୍ତି ସେବାୟତ ।