ଜଗନ୍ନାଥଙ୍କୁ ଭୋକରେ ରଖିଲା କିଏ? ସାମ୍ନାକୁ ଆସିଲା ନୀତି ପ୍ରଶାସନର ବିସ୍ଫୋରକ ରିପୋର୍ଟ, ଜାଣନ୍ତୁ କିଏ କିଏ ଥିଲେ ଏହି ଯୋଜନାରେ ସାମିଲ

52

କନକ ବ୍ୟୁରୋ : ଶ୍ରୀମନ୍ଦିର ନୀତି ବିଭ୍ରାଟ ପାଇଁ କିଛି ସେବାୟତ ଓ ନିଯୋଗ ଦାୟୀ । ଏଭଳି ବିସ୍ଫୋରକ ରିପୋର୍ଟ ଦେଇଛନ୍ତି ଶ୍ରୀମନ୍ଦିର ନୀତି ପ୍ରଶାସକ । ତିନି ଜଣ ସେବାୟତଙ୍କ ନାଁ ରିପୋର୍ଟରେ ଦର୍ଶାଯାଇଛି । ସେବକ ଓ ନିଯୋଗ ମିଳିମିଶି ନୀତି ବିଭ୍ରାଟକୁ ଉସୁକାଇଥିଲେ ଏବଂ ଇଚ୍ଛାକୃତ ଭାବେ ବିଶୃଙ୍ଖଳା ସୃଷ୍ଟି କରିଥିଲେ ବୋଲି ରିପୋର୍ଟରେ ଦର୍ଶାଇଛନ୍ତି ନୀତି ପ୍ରଶାସକ । ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ କରାଯାଇଛି ।

କାହିଁକି ନୀତି ବିଭ୍ରାଟ ହେଲା, କାହିଁକି ଉପବାସ ରହିଲେ ଠାକୁର, କାହିଁକି ଭକ୍ତମାନଙ୍କୁ ୪ ଦିନ ଧରି ମିଳିପାରିଲାନି ଅବଢ଼ା, କାହିଁକି ଲକ୍ଷ ଲକ୍ଷ ଟଙ୍କା ଅବଢ଼ାକୁ ଫିଙ୍ଗିବାକୁ ପଡିଲା, ଏଥିପାଇଁ ଦାୟୀ କିଏ? ଏସବୁ ପ୍ରଶ୍ନ ଏବେ କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କୁ ଆନ୍ଦୋଳିତ କରି ରଖିଛି । ଶ୍ରୀମନ୍ଦିର ନୀତି ପ୍ରଶାସକ ଏ ନେଇ ଶ୍ରୀମନ୍ଦିର ପ୍ରଶାସକକୁ ବିସ୍ତୃତ ରିପୋର୍ଟ ଦେଇଛନ୍ତି । ଏପ୍ରିଲ୍ ୧୬ ତାରିଖ ଦିନ ଯାହା ଘଟିଥିଲା, ତା’ର ଟିକିନିକି ରିପୋର୍ଟ ଦେଇଛନ୍ତି ଶ୍ରୀମନ୍ଦିର ନୀତି ପ୍ରଶାସକ ପ୍ରଦୀପ ଦାସ । ବିଶୃଙ୍ଖଳା ପାଇଁ ବିଶେଷ ଭାବେ ତିନି ଜଣଙ୍କ ଆଡକୁ ଆଙ୍ଗୁଳି ଉଠାଇଛନ୍ତି ନୀତି ପ୍ରଶାସକ । ସୁଆର ମହାସୁଆର ନିଯୋଗର ଦାମୋଦର ମହାସୁଆର, ଜଗନ୍ନାଥ ବାଡ଼ର ଭିତରଛୁ ଭବାନୀ ମହାପାତ୍ର, ପୂଜାପଣ୍ଡା ନିଯୋଗର ମାଧବ ପୂଜାପଣ୍ଡା । ଏହି ସେବକମାନେ ନୀତି ବିଭ୍ରାଟକୁ ଉସୁକାଇଥିଲେ ଓ ଇଚ୍ଛାକୃତ ଭାବେ ବିଶୃଙ୍ଖଳା ସୃଷ୍ଟି କରିଥିଲେ ବୋଲି ରିପୋର୍ଟରେ ଦର୍ଶାଯାଇଛି ।

ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ କରାଯାଇଛି ସୁପାରିଶ । ସେହିପରି ପ୍ରଧାନୀ ନିଯୋଗ, ମହାଜନ ନିଯୋଗଙ୍କୁ ସମପରିମାଣରେ ଦାୟୀ କରିଛନ୍ତି ନୀତି ପ୍ରଶାସକ । ୫ଟି ନିଯୋଗର ସେବାୟତ ମିଳିମିଶି ମହାପ୍ରଭୁଙ୍କ ନିତିକାନ୍ତିକୁ କରିଦେଇଥିଲେ ଅଚଳ । ନୀତି ପ୍ରଶାସକଙ୍କ ରିପୋର୍ଟ ଅନୁସାରେ ସବୁକିଛି ଥିଲା ଯୋଜନା ମୁତାବକ । ସେବକ ଓ ନିଯୋଗ ମିଳିମିଶି କରିଦେଇଥିଲେ ନୀତି ଅଚଳ । ହାଇକୋର୍ଟ ନିର୍ଦ୍ଦେଶକୁ ଭୁଲ ଭାବେ ଊପସ୍ଥାପନା କରାଯାଇଥିଲା । ମଙ୍ଗଳା ଆରତି ନୀତିରୁ ଆରମ୍ଭ ହୋଇଥିଲା ବିଭ୍ରାଟ ।

puriଏପ୍ରିଲ ୧୬ ତାରିଖ ଦିନ ମଙ୍ଗଳା ଆରତି ବେଳେ ହାତ ଧୋଇବା ପାଇଁ ପୁଷ୍ପାଳକ ସେବକ ପାଣି ମାଗିଥିଲେ ଗରାବଡୁ ସେବକ ସୂର୍ଯ୍ୟନାରାୟଣ ମହାପାତ୍ରଙ୍କୁ । ସେଦିନର ପାଳିଆ ସେବକ ଅସୁସ୍ଥ ଥିବାରୁ ତାଙ୍କ ବଦଳରେ ସୂର୍ଯ୍ୟନାରାୟଣଙ୍କୁ ନିଯୁକ୍ତି ଦିଆଯାଇଥିଲା । ତେବେ ତାଙ୍କୁ ଏହି କାର୍ଯ୍ୟ କରିବାକୁ ବାରଣ କରିଥିଲେ ଦାମୋଦର ମହାସୁଆର ଓ ଭିତରଛୁ ଭବାନୀ ମହାପାତ୍ର । ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଆଳ କରି କେବଳ ପାଳିଆ ସେବକ ଯାଇପାରିବେ ଅନ୍ୟ ସେବକ ଯାଇପାରିବେ ନାହିଁ ଜିଦ୍ ଧରିଥିଲେ ଭବାନି ମହାପାତ୍ର । ଏଇଠୁ ଆରମ୍ଭ ହୋଇଥିଲା ପ୍ରାଥମିକ ବିଭ୍ରାଟ । ଏହି କାରଣରୁ ଅଢେଇ ଘଂଟା ବିଳମ୍ବ ହୋଇଥିଲା ମଙ୍ଗଳା ଆରତି ନୀତି । ତେବେ ଜିଲ୍ଲାପାଳ ଓ ଶ୍ରୀମନ୍ଦିର ପ୍ରଶାସନ ଉପରେ ସବୁ ଦୋଷ ଲଦିଦେଇଛନ୍ତି ଦାମୋଦର ମହାସୁଆର ।

ନୀତି ପ୍ରଶାସକ ତାଙ୍କ ରିପୋର୍ଟରେ ଦର୍ଶାଇଛନ୍ତି, ମଙ୍ଗଳା ଆରତି ପରେ ରୋଷ ହୋମ ନୀତିରେ କେଁ ପୂରାଇଥିଲେ ପୂଜାପଣ୍ଡା ନିଯୋଗର ସଂପାଦକ ମାଧବ ପୂଜାପଣ୍ଡା । ୩୦ ବର୍ଷ ଅଚଳ ହୋଇ ରହିଥିବା ଏକ ପରମ୍ପରାକୁ ପୁଣି ଚଳାଇବା ଜିଦରେ ଏହି ନୀତିକୁ ୩ ଘଂଟା ଅଚଳ କରି ଦେଇଥିଲେ ପ୍ରଧାନୀ ନିଯୋଗ ଓ ପୂଜାପଣ୍ଡା ନିଯୋଗ । ଏହିପରି ଇଚ୍ଛାକୃତ ଭାବେ ନୀତିରେ ବିଭ୍ରାଟ କରିଚାଲିଥିଲେ ସେବାୟତ ଓ ନିଯୋଗ । ଗୋଟିଏ ପଟେ ଶ୍ରୀମନ୍ଦିର ପ୍ରଶାସନ ସେବାୟତଙ୍କୁ ଦାୟୀ କରିଥିବା ବେଳେ ସେବାୟତମାନେ ଦୋଷ ଦେଉଛନ୍ତି ପ୍ରଶାସନକୁ । ଭକ୍ତଙ୍କ ଭାବାବେଗ ସହ ଚାଲିଛି ସାଂଘାତିକ ଖେଳ ।