ଶ୍ରୀମନ୍ଦିର ଇତିହାସରେ ପ୍ରଥମ ! ୧୩ ଘଣ୍ଟା ଧରି ମହାପ୍ରଭୁଙ୍କ ନୀତିକାନ୍ତି ଠପ୍, ବାହାରେ ବିକଳ ହୋଇ କାନ୍ଦିଲେ ଭକ୍ତ ।

1,636

କନକ ବ୍ୟୁରୋ : ଆଜି ଶ୍ରୀମନ୍ଦିର ଇତିହାସରେ ଯାହା ଘଟିଛି, ପୂର୍ବରୁ ଏପରି ପ୍ରାୟ ଦେଖିବାକୁ ମିଳିନଥିଲା । ପାଖାପାଖି ୧୩ ଘଂଟା ଧରି ନୀତିକାନ୍ତି ବନ୍ଦ ହୋଇପଡିଥିଲା, ଉପାସରେ ରହିଥିଲେ ଶ୍ରୀଜିଉ । ସାଧାରଣ ଦର୍ଶନରୁ ବଂଚିତ ହୋଇଥିଲେ ହଜାର ହଜାର ଭକ୍ତ । ସାଢ଼େ ୪ଟା ପର୍ଯ୍ୟନ୍ତ ସବୁ ନୀତି ବନ୍ଦ ରହିଥିଲା । ମହାପ୍ରଭୁଙ୍କ ଦର୍ଶନ ଲାଗି ସିଂହଦ୍ୱାରରେ ଭକ୍ତ କାନ୍ଦୁଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ଗୋଟିଏ ଛୋଟିଆ ଘଟଣାରୁ ଶ୍ରୀମନ୍ଦିରରେ ଅଚଳାବସ୍ଥା ସୃଷ୍ଟି କରିଥିଲେ କିଛି ସେବାୟତ । ଜିଲ୍ଲା ପ୍ରଶାସନ, ଶ୍ରୀମନ୍ଦିର ପ୍ରଶାସନର ସମସ୍ତ ଚେଷ୍ଟା ବିଫଳ ହୋଇଥିଲା । ଶେଷରେ ସେବାୟତମାନେ ନିଜ ତରଫରୁ ନୀତିକାନ୍ତି ଆରମ୍ଭ କରିଥିଲେ । ଅପରାହ୍ନ ୫ଟା ପରେ ଆରମ୍ଭ ହୋଇଥିଲା ସାଧାରଣ ଦର୍ଶନ । ତେବେ ଅସନ୍ତୋଷର ନିଆଁ ଏବେ ବି କୁହୁଳୁଛି, ଆହୁରି ଉଗ୍ର ରୂପ ମଧ୍ୟ ଦେଖିବାକୁ ମିଳିପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି । 

ଶ୍ରୀମନ୍ଦିର ଆଗରେ ଏହା ଏପରି ଏକ ଘଟଣା, ଯାହାକୁ ଦେଖିଲେ ଆପଣ ବିଚଳିତ ହୋଇପଡିବେ । ଘଂଟା ଘଂଟା ଧରି ସିଂହଦ୍ୱାର ଆଗରେ ଆତୁର ହୋଇ ହଜାର ହଜାର ଭକ୍ତ ଧାଡ଼ିରେ ଠିଆ ହୋଇ ରହିଥିଲେ, ଆଖିରୁ ଲୁହ ଗଡ଼ି ଯାଉଥିଲା, ହେଲେ ମହାପ୍ରଭୁଙ୍କ ଦର୍ଶନ ମିଳୁନଥିଲା । କାରଣ ବନ୍ଦ ରହିଥିଲା ଶ୍ରୀମନ୍ଦିରର ଭିତର ଦ୍ୱାର । ଗୋଟିଏ ପଟେ ବନ୍ଦ ପଡିଥିଲା ନୀତିକାନ୍ତି, ଉପାସରେ ରହିଥିଲେ ଶ୍ରୀଜିଉ, ଅନ୍ୟପଟେ ମହାପ୍ରଭୁଙ୍କ ଦର୍ଶନ ଲାଗି ଆତୁର ହୋଇ ପଡୁଥିଲେ ଶ୍ରଦ୍ଧାଳୁ । ପରିସ୍ଥିତି ବେଳକୁ ବେଳ ଅଣାୟତ ହୋଇଥିଲା, ବାରିକେଡ୍ ଭାଙ୍ଗି ଧସେଇ ପଶିବାକୁ ଉଦ୍ୟମ କରିଥିଲେ କିଛି ଶ୍ରଦ୍ଧାଳୁ । ପୋଲିସ ସହ ହୋଇଥିଲା ଧସ୍ତାଧସ୍ତି ।    

ଶ୍ରୀମନ୍ଦିର ଇତିହାସରେ ପ୍ରଥମ । ୧୩ ଘଂଟା ଧରି ନୀତିକାନ୍ତି ଠପ୍, ସାଧାରଣ ଦର୍ଶନ ବନ୍ଦ । ଶ୍ରୀମନ୍ଦିରରେ ଏପରି ଘଟଣା ଘଟିଛି, ଯାହା କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ଭାବାବେଗକୁ ଭାଙ୍ଗି ଚୁରମାର କରିଦେଇଛି । ଆଜି ଭୋରରୁ ଅପରାହ୍ନ ସାଢ଼େ ୪ଟା ପର୍ଯ୍ୟନ୍ତ ଶ୍ରୀମନ୍ଦିର ନୀତି ବନ୍ଦ ରହିଥିଲା, ପହଡ଼ ବି ଖୋଲିନଥିଲା, ସକାଳ ଧୂପଠାରୁ ଆରମ୍ଭ କରି ମଧ୍ୟାହ୍ନ ନୀତି ସବୁ କିଛି ଠପ୍ ହୋଇଯାଇଥିଲା । ଉପାସରେ ରହିଥିଲେ ମହାପ୍ରଭୁ । ବାହାରେ ଦର୍ଶନ ପାଇଁ ହଜାର ହଜାର ଭକ୍ତଙ୍କ ଭିଡ଼ ଲାଗିଥିଲା, ହେଲେ ଶ୍ରୀମନ୍ଦିର ବନ୍ଦ ହୋଇ ରହିଥିଲା ।

ଏହି ବିବାଦ ସୃଷ୍ଟି ହୋଇଥିଲା ଗତକାଲି ରାତିରେ ଜଣେ ଭକ୍ତଙ୍କ ପ୍ରବେଶ ନେଇ ସେବାୟତ ଓ ପୋଲିସ ମଧ୍ୟରେ ଗୋଟିଏ ଛୋଟିଆ ଘଟଣାକୁ ନେଇ । ପୋଲିସ ମାଡ଼ ମାରିଥିବା ଅଭିଯୋଗ କରିଥିଲେ ଜଣେ ସେବାୟତ । ଏହି ଛୋଟିଆ ଘଟଣା ସେତିକି ବେଳେ ସାଂଘାତିକ ରୂପ ନେଇଥିଲା, ଯେତେବେଳେ ସେବାୟତମାନେ ନୀତିକାନ୍ତି ବନ୍ଦ କରି ଦେଇଥିଲେ, ଖୋଲି ନଥିଲା ଶ୍ରୀମନ୍ଦିର । ସେବାୟତ ଓ ଶ୍ରୀମନ୍ଦିର ପ୍ରଶାସକ ମଧ୍ୟରେ ତୁହାକୁ ତୁହା ବୈଠକ ହେଉଥିଲା, ହେଲେ ଫଳ କିଛି ମିଳୁନଥିଲା । ଶ୍ରଦ୍ଧାଳୁଙ୍କୁ ଶ୍ରୀମନ୍ଦିର ଭିତରକୁ ଛାଡିନଥିଲା ପୋଲିସ । ବିବାଦର ସମାଧାନ ପାଇଁ ଭକ୍ତଙ୍କୁ ଅପେକ୍ଷା କରିବାକୁ କହିଥିଲେ ପୁରୀ ଏସପି । ତେବେ ପୁରୀ ବେଳାଭୂମିରେ ବୁଲିବା ପାଇଁ ଏସପି ପରାମର୍ଶ ଦେବା ପରେ ଉତ୍ୟକ୍ତ ହୋଇ ଉଠିଥିଲେ ଭକ୍ତ ।

ପୁଣିଥରେ ଭକ୍ତଙ୍କ ଭାବାବେଗ ସହ ହୋଇଛି ସାଂଘାତିକ ଖେଳ । କୋଟି କୋଟି ଭକ୍ତଙ୍କ ଆବେଗକୁ ବେଖାତିର କରି ନିଜ ଜିଦ୍ ପାଇଁ ସେବାୟତମାନେ ଶ୍ରୀମନ୍ଦିରରେ ଅଚଳାବସ୍ଥା ସୃଷ୍ଟି କରିଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ କ୍ଷୋଭ ପ୍ରକାଶ କରି ସରକାରଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ ଶ୍ରୀଜିଉଙ୍କ ପ୍ରଥମ ସେବକ ପୁରୀ ଗଜପତି । ନୂଆ ବର୍ଷ ଅବସରରେ ପ୍ରତିଦିନ ହଜାର ହଜାର ଭକ୍ତ ଦର୍ଶନ ପାଇଁ ଯାଉଥିବା ବେଳେ ଏପରି ସ୍ଥିତି ପୁଣିଥରେ ଶ୍ରୀମନ୍ଦିରର ଶୃଙ୍ଖଳା ଉପରେ ବଡ଼ ପ୍ରଶ୍ନଚିହ୍ନ ଲଗାଇ ଦେଇଛି । ସବୁସୀମା ଟପି ଯାଇଛି ଆଜିର ବିଶୃଙ୍ଖଳା ।