ଶ୍ରୀମନ୍ଦିର ସେବାୟତ ରତ୍ନ ସିଂହାସନରେ ହେଲେ ମୁହାଁମୁହିଁ । ବେଶ ଛାଡି ଅଧାରୁ ଉଠିଗଲେ ସେବାୟତ, ପାଇଜାମାକୁ ନେଇ ଉପୁଜିଛି ବିବାଦ !

ଯେତେ ଯାହା ହେଲେ ବି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତି ଅବହେଳା କମୁନାହିଁ

92

କନକ ବ୍ୟୁରୋ : ଯେତେ ଯାହା ହେଲେ ବି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତି ଅବହେଳା କମୁନାହିଁ। ଶ୍ରୀମନ୍ଦିରରେ ପୁଣି ଥରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ମହାପ୍ରଭୁଙ୍କ ପାଇଜାମାକୁ ନେଇ ଶ୍ରୀମନ୍ଦିର ରତ୍ନ ସିଂହାସନରେ ଦୁଇ ସେବାୟତ ମୁହାଁମୁହିଁ ହୋଇଛନ୍ତି। ସ୍ଥାନ, କାଳ, ପାତ୍ର ଭୁଲିଯାଇ ଏମିତି ଆଚରଣ ପ୍ରଦର୍ଶନ କରିଥିଲେ ଯେ ଉପସ୍ଥିତ ଥିବା ଶହ ଶହ ଶ୍ରଦ୍ଧାଳୁ ହତବାକ୍ ହୋଇଯାଇଥିଲେ। ପରିଣାମ ହେଲା, ମେକାପ ସେବକଙ୍କ ଅଶ୍ରାବ୍ୟ ଭାଷାରେ ଗାଳିକୁ ବିରୋଧ କରି ସେବକମାନେ ମଙ୍ଗଳ ଆଳତି ମଇଲମ ବେଶ ନକରି ଓହ୍ଲାଇ ଆସିଥିଲେ। ସିଂହାରୀମାନେ ଗାରଦରେ ଅଭିଯୋଗ କରିବା ପରେ କମାଣ୍ଡର ମାମଲାର ଆପୋସ ସମାଧାନ କରିଥିଲେ। ହେଲେ ଏଥି ପାଇଁ ଠାକୁରଙ୍କ ନୀତି ୩୦ ମିନିଟ୍ ବିଳମ୍ବ ହୋଇଥିଲା।

ଗତ ସପ୍ତାହରେ ଶ୍ରୀମନ୍ଦିରରେ ଶୃଙ୍ଖଳା ନେଇ ଖୋଦ୍ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ବୈଠକ କରିଥିଲେ। ପ୍ରତି ତିନି ମାସରେ ସମନ୍ୱୟ ବୈଠକ ନେଇ ଆେଲାଚନା ହୋଇଥିଲା। ଶନିବାର ଆମିକସ କ୍ୟୁରି ରୋକଠୋକ ଜଣାଇଥିଲେ ଯେ ଆଚରଣରେ ପରିବର୍ତନ ନ ହେଲେ ଉତ୍ତରାଧିକାରୀ ସତ୍ୱ ପ୍ରତି ବିପଦ ରହିଛି। ହେଲେ ଏହାର ସାମାନ୍ୟତମ ପ୍ରଭାବ ଯେମିତି ସେବକମାନଙ୍କ ଉପରେ ପଡିନାହିଁ ।

ମଙ୍ଗଳ ଆଳତି ପରେ ଠାକୁରଙ୍କର ମଇଲମ ହୋଇଥିଲା। ଏହା ପରେ ବେଶ ହେବାର ବିଧି ରହିଛି। ତଦନୁଯାୟୀ ସିଂହାରୀମାନେ ରତ୍ନ ସିଂହାସନର ତିନିବାଡ଼ରେ ବେଶ କରିବାକୁ ଉପସ୍ଥିତ ଥିଲେ। ପରମ୍ପରା ଅନୁଯାୟୀ ମେକାପ ସେବକ ଆଣି ବେଶ ସାମଗ୍ରୀ ଯୋଗାଇବା କଥା। ସକାଳ ପ୍ରାୟ ୬ଟା୧୦ରୁ ୬ଟା ୨୫ ମଧ୍ୟରେ ମେକାପ ସେବକ ନାଲି ପାଇଜାମା ଆଣି ସିଂହାରୀଙ୍କୁ ଦେଇଥିଲେ। ସୋମବାର ଠାକୁର ନାଲି ପାଇଜାମା ପିନ୍ଧନ୍ତି ନାହିଁ। ଏହାକୁ କାହିଁକି ଆଣିଲ ବୋଲି ସିଂହାରୀମାନେ ପଚାରିବାରୁ ମେକାପ ସେବକ ଜଣକ ପାଟିତୁଣ୍ଡ କରିଥିଲେ। ଏଥିରେ ସିଂହାରୀମାନେ ପ୍ରତିବାଦ କରିବାରୁ ସଂପୃକ୍ତ ମେକାପ ସେବକ ଅଶ୍ରାବ୍ୟ ଭାଷାରେ ଗାଳି ଗୁଲଜ କରିଥିଲେ। ଏହାକୁ କେନ୍ଦ୍ର କରି ଦୁଇ ସେବକ ଗୋଷ୍ଠୀ ସିଂହାସନ ଉପରେ ମୁହାଁମୁହିଁ ହୋଇଥିଲେ। ବେଶ ଅଟକି ଯାଇଥିଲା।