ଏନଏସଜିକୁ ଶ୍ରୀମନ୍ଦିର ସୁରକ୍ଷା ଚିନ୍ତା ! ମେଘନାଦ ପାଚେରି ପାଖରୁ ନିର୍ମାଣ ଭାଙ୍ଗିବା ସହ ୱାଚ୍ ଟାୱାରକୁ ଅଧିକ ପ୍ରଭାବୀ କରିବାକୁ ପରାମର୍ଶ

51

କନକ ବ୍ୟୁରୋ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରି ପାଖରୁ ସବୁ ନିର୍ମାଣ ଭାଙ୍ଗିବାକୁ ଏନଏସଜିର ପରାମର୍ଶ । ପାଚେରିକୁ ଲାଗି କୌଣସି ନିର୍ମାଣ ଏପରିକି ଶ୍ରୀମନ୍ଦିର ସାମ୍ନାରେ ଥିବା ଜୋତା ଦୋକନ ବି ରହିବା ନିରାପଦ ନୁହେଁ । ମେଘନାଦ ପାଚେରୀ ସଂଲଗ୍ନ ଚାରିପାଖ ପ୍ରଶସ୍ତ ରହିବା ଦରକାର ବୋଲି ପରାମର୍ଶ ଦେଇଛି ଏନଏସଜି ।

ଜଗନ୍ନାଥ ମନ୍ଦିର ପ୍ରତି ଆତଙ୍କବାଦୀ ଆକ୍ରମଣ ଭୟ ଥିବା ପରିପ୍ରେକ୍ଷୀରେ ଏମିତି କିଛି ପଦକ୍ଷେପ ନେବା ଲାଗି ଏନଏସଜି କର୍ତୃପକ୍ଷ ଶ୍ରୀମନ୍ଦିର ପ୍ରଶାସନକୁ ସତର୍କ କରାଇ ଦେଇଥିବା ସୂଚନା ମିଳିଛି । କେବଳ ସେତିକି ନୁହେଁ ସେବାୟତ ଓ ଶ୍ରୀମନ୍ଦିର ଅଧିକାରୀଙ୍କୁ ପରିଚୟ ପତ୍ର ଦେବା ସହ ସେମାନଙ୍କୁ ସୁରକ୍ଷା ସମ୍ପର୍କିତ ପ୍ରଶିକ୍ଷଣ ଦେବାର ଆବଶ୍ୟକତା ରହିଥିବା ରିପୋର୍ଟରେ ଉଲ୍ଳେଖ ରହିଛି ।

ନିକଟରେ ଏନଏସଜିର ଅଧିକାରୀମାନେ ଆସି ଏକ ରେକି କରିଥିଲେ । ଏହାପରେ ଶ୍ରୀମନ୍ଦିର ପ୍ରଶାସନକୁ ଏକ ରିପୋର୍ଟ ଦିଆଯାଇଛି । ଏଥିରେ ସୁରକ୍ଷା ସମ୍ପର୍କରେ ଅନେକ ପଦକ୍ଷେପ ନେବା ଲାଗି କୁହାଯାଇଛି । ମେଘନାଦ ପାଚେରୀକୁ ଲାଗି ଯେତିକି ନିର୍ମାଣ ହୋଇଛି ତାହା ଶ୍ରୀମନ୍ଦିର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରୁଛି । ଏହାକୁ ମାଧ୍ୟମ କରି ଯେ କେହି ଶ୍ରୀମନ୍ଦିରକୁ ପ୍ରବେଶ କରିପାରିବ ।

ଏଣୁ କର୍ତ୍ତୃପକ୍ଷ ତୁରନ୍ତ ନିର୍ମାଣକୁ ଭାଙ୍ଗିବା ସହ ମେଘନାଦ ପାଚେରିଠାରୁ ନିର୍ଦ୍ଧିଷ୍ଟ ଦୂରତା ପର୍ଯ୍ୟନ୍ତ କୌଣସି ନିର୍ମାଣକୁ ପ୍ରଶୟ ଦେବା ଉଚିତ ନୁହେଁ ବୋଲି ଏନଏସଜି ନିଜ ରିପୋର୍ଟରେ ଉଲ୍ଲେଖ କରିଛନ୍ତି । ଏହାସହ ଶ୍ରୀମନ୍ଦିର ନିକଟରେ ଥିବା ୱାଚ ଟାୱାରକୁ ଅଧିକ ପ୍ରଭାବୀ କରିବାକୁ ପରାମର୍ଶ ଦିଆଯାଇଛି ।