ପରିଚାଳନା କମିଟିକୁ ନେଇ ଭାଗ ଛିଡ଼ୁନି ! ସଦସ୍ୟ କେବଳ ପରାମର୍ଶ ଦେବେ, ନିଷ୍ପତ୍ତି ନେବେ ମୁଖ୍ୟ ପ୍ରଶାସକ

2

କନକ ବ୍ୟୁରୋ: ଶ୍ରୀମନ୍ଦିର ପରିଚାଳନା କମିଟିର କାର୍ଯ୍ୟକାଳ ପୂରିଛି । ଚଳିତ ମାସ ପାଇଁ ପରିଚାଳନା କମିଟି ବୈଠକ ବସିବାର ତାରିଖ ଧାର୍ଯ୍ୟ ହୋଇଥିଲେ ମଧ୍ୟ ନୂଆ କମିଟି ଗଠନ ହୋଇନଥିବାରୁ ବୈଠକ ବସି ପାରୁନାହିଁ । କମିଟିକୁ ସଦସ୍ୟମାନଙ୍କର ନାମ ସୁପାରିସ ହୋଇ ପାରୁନାହିଁ । ବାସ୍ତବରେ ଭାଗ ଛିଡ଼ୁନି । ସଦସ୍ୟଙ୍କ ସଂଖ୍ୟା ଠାରୁ ସୁପାରିସ ସଂଖ୍ୟା ଯଥେଷ୍ଟ ବେଶି ହୋଇଥିବାରୁ କାହାକୁ କାଟିବେ କାହାକୁ ଛାଡ଼ିବେ ତାକୁ ନେଇ ହିସାବ ଗୋଳମାଳ ହୋଇଛି । ଫଳରେ ନାମ ଯାଇ ପାରୁନାହିଁ କିମ୍ବା କମିଟି ଗଠନ ହୋଇ ପାରୁନାହିଁ ।

ଅନ୍ୟପଟେ, ଶ୍ରୀମନ୍ଦିର ପରିଚାଳନା କମିଟିକୁ ନେଇ ଏକ ନୂଆ ନିୟମ ଆସିବାକୁ ଯାଉଛି । ଏଥର ପରିଚାଳନା କମିଟି ସଦସ୍ୟ କେବଳ ସୁପାରିସ କରିବେ । ଆଉ ତାହା ଆଧାରରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ନିଷ୍ପତ୍ତି ନେବେ । ଅର୍ଥାତ୍ ଏହି ସଦସ୍ୟମାନଙ୍କର ଆଉ ପୂର୍ବଭଳି ଗୁରୁତ୍ଵ ରହିବ ନାହିଁ । ସମସ୍ତ ସୁପାରିସ କାର୍ୟ୍ୟକାରୀ ହେବ ବୋଲି ନିଶ୍ଚିତ ନାହିଁ । ଏଭଳି ଏକ ଚର୍ଚ୍ଚା ଏବେ ନୂଆ କମିଟିକୁ ଯିବାକୁ ସଜବାଜ ହେଉଥିବା ସଦସ୍ୟଙ୍କୁ ହତାଶ କରିଛି । ଚର୍ଚ୍ଚାର ସତ୍ୟାସତ୍ୟ ଉନ୍ମୋଚନ ପାଇଁ ମନ୍ତ୍ରୀଙ୍କ ପାଖରେ ପହଞ୍ଚିଛନ୍ତି ।

ଉଲ୍ଲେଖନୀୟ, ଶ୍ରୀମନ୍ଦିର ପରିଚାଳନା କମିଟିରେ ଗଜପତି ଅଧ୍ୟକ୍ଷ ରହିଥିବା ବେଳେ ସ୍ଥାୟୀ ସଦସ୍ୟ ଭାବରେ ମୁଖ୍ୟ ପ୍ରଶାସକ, ଉପମୁଖ୍ୟ ପ୍ରଶାସକ(ଜିଳ୍ଲାପାଳ), ଏସପି, ଚାଟାର୍ଡ ଆକାଉଣ୍ଟାଣ୍ଟ, ମଠ ମହନ୍ତ, ଦେବାତ୍ତର କମିସନର, ଏଏସଆଇ ସୁପରିଣ୍ଟେଣ୍ଡେଣ୍ଟ, ଅତିରିକ୍ତ ବିଧି ସଚିବ ରହିଥାନ୍ତି । ଏହାର ଆଉ ଜଣେ ସ୍ଥାୟୀ ସଦସ୍ୟ କାର୍ଯ୍ୟକାରୀ ଅଧ୍ୟକ୍ଷ ରହିଛନ୍ତି । ସେବାୟତଙ୍କ ମଧ୍ୟରୁ ୫ ଜଣ ସଦସ୍ୟ ଆସୁଥିବା ବେଳେ ମୁକ୍ତିମଣ୍ଡପ ପଣ୍ଡିତ ସଭାରୁ ଜଣେ, ସଂସ୍କୃତି ଓ ସାଧାରଣ ବ୍ୟକ୍ତିତ୍ଵଙ୍କ ମଧ୍ୟରୁ ୨ ଜଣ ରହିଥାନ୍ତି । ଗତ ମାସ ୧୪ ତାରିଖରେ କମିଟି ବୈଠକ ବସିଥିଲା । ବିଧି ମତେ ଏହାର ମାସକ ପରେ ବୈଠକ ବସିବାକୁ ଥିଲା । ମାତ୍ର ସଦସ୍ୟ ତାଲିକା ଅଟକଥିବାରୁ ଏ ଯାବତ୍ କମିଟି ଗଠନ ହୋଇନାହିଁ । ସୁତରାଂ ବୈଠକ ବି ବସିପାରୁନାହିଁ ।

Comments are closed.