ଆନନ୍ଦ ବଜାରକୁ ଟଙ୍କତୋରାଣି ମନା ! ପଶି ପାରିବେନି ମାଗେନ୍ତା ଓ ହକର

284

କନକ ବ୍ୟୁରୋ: ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆନନ୍ଦ ବଜାରରେ ଶୃଙ୍ଖଳା ଆଣିବା ପ୍ରକ୍ରିୟା ଲଗାତାର ଜାରି ରହିଛି । ରାସ୍ତାରେ ବସି ଅବଢ଼ା ବିକିବା, ଭିତର ବେଢ଼ାରେ ଅବଢ଼ା ବିକିବା ଉପରେ କଟକଣା ପରେ ଗତକାଲି ନୂଆ କଟକଣା ଜାରି ହୋଇଛି । କୌଣସି ନାବାଳକ ଅବଢ଼ା ବିକ୍ରି ସହ ଅନ୍ୟ କୌଣସି କାମ କରିପାରିବେ ନାହିଁ । ଆନନ୍ଦ ବଜାରରେ ଟଙ୍କ ତୋରାଣି ଓ ରାବିଡ଼ି ବିକ୍ରି ମଧ୍ୟ ହୋଇପାରିବ ନାହିଁ ।

ଏଥିସହ ସେଠାରେ ବୁଲି ଭକ୍ତମାନଙ୍କୁ ପଇସା ମାଗୁଥିବା ମାଗେନ୍ତାଙ୍କ ପ୍ରବେଶ ଉପରେ ମଧ୍ୟ କଟକଣା ଜାରି କରାଯାଇଛି । ଆନନ୍ଦ ବଜାରରେ ଛିଡ଼ା ହୋଇ ବିଭିନ୍ନ ସୁଆରଙ୍କ ଅବଢ଼ା ବିକ୍ରି ପାଇଁ ଭକ୍ତଙ୍କୁ ଡାକୁଥିବା ଯୁବକମାନଙ୍କୁ ପ୍ରବେଶ ବାରଣ କରାଯାଇଛି । ଏ ସବୁ କଟକଣା ଶୁକ୍ରବାର ଠାରୁ ଲାଗୁ ହୋଇଛି । ଶନିବାର ତଥା ଆଜି ଠାରୁ ଚଢ଼ଉ ଜୋରଦାର ହେବ। ଏଥିପାଇଁ ପୂର୍ବରୁ ଗଠିତ ସ୍କ୍ଵାଡ୍ ଆନନ୍ଦ ବଜାରରେ ଲଗାତାର ଚଢ଼ଉ ଜାରି ରଖିବ । କଟକଣା ଅବମାନନା ହେଲେ ବା ଏହି ଆଦେଶ ଅବଜ୍ଞା ହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ବିଧିବଦ୍ଧ ଭାବରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏଥିନେଇ ନୋଟିସ୍ ଜାରି କରାଯାଇଛି । ପୂର୍ବରୁ ଏଥିପାଇଁ ସଚେତନ କରାଯାଇଥିବା ବେଳେ ଅନେକ ଥର ମୌଖିକ ଭାବେ ବୁଝାଇ ଦିଆଯାଇଛି । ଏଣୁ ଏବେ ଏହି କଟକଣା ଅବମାନନା କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ।

ଉଲ୍ଲେଖଯୋଗ୍ୟ, ଆନନ୍ଦ ବଜାରରେ ଟଙ୍କ ତୋରାଣି ବିକ୍ରି ହେବା ନେଇ କୌଣସି ବିଧି ବ୍ୟବସ୍ଥା ନାହିଁ । ଏହାକୁ ଜଣେ ବିକ୍ରି ଆରମ୍ଭ କରିବା ପରେ ଏହା ଏବେ ୨୦ରୁ ୨୫ ଜଣ ବିକ୍ରି କରୁଛନ୍ତି । ସେହିଭଳି ମହାପ୍ରସାଦ ସହ ରାବିଡ଼ିର କୌଣସି ସମ୍ପର୍କ ନ ଥିଲେ ମଧ୍ୟ ଏହାକୁ ବିକ୍ରି କରିବା ଯୋଗୁଁ ଆନନ୍ଦ ବଜାରର ମର୍ଯ୍ୟାଦା କ୍ଷୁଣ୍ଣ ହେଉଛି । ସେହିପରି ଆନନ୍ଦ ବଜାର ଭିତରେ କେତେକ ବ୍ରାହ୍ମଣ ବେଶରେ ବୁଲୁଛନ୍ତି । ହାତରେ ଛୋଟ ଛୋଟ ଓଳି ଧରିଛନ୍ତି । ସେଥିରେ ମହାପ୍ରସାଦ ରହିଛି । ଭକ୍ତଙ୍କୁ ଧରି ତାଙ୍କ ପାଟିରେ ଜବରଦସ୍ତ ଅବଢ଼ା ଦେଇ ପଇସା ମାଗୁଛନ୍ତି । ଅବଢ଼ା ପାଇବା ପରେ ଭକ୍ତ ଅନିଚ୍ଛା ସତ୍ତେ୍ଵ ପଇସା ଦେବାକୁ ବାଧ୍ୟ ହେଉଛି । ଫଳରେ ଭକ୍ତମାନେ ଏଠାରୁ ଏକ ତିକ୍ତ ଅନୁଭୂତି ନେଇ ଫେରୁଛନ୍ତି ।