ତୁଟିଲା ବିବାଦ, ମିଳିବ ବରାଦୀ ‘ଅବଢା’

30

କନକ ବ୍ୟୁରୋ: ହବିଷ୍ୟାଳୀ ଯୋଜନାରେ ମହାପ୍ରସାଦ ମିଳିବ । ସୁଆର ମହସୁଆର ନିଯୋଗ ସଦସ୍ୟମାନେ ବରାଦୀ ଅବଢ଼ା ବି ରାନ୍ଧିବେ । ଶନିବାର ସନ୍ଧ୍ୟାରେ ସୁଆର ମହାସୁଆର ନିଯୋଗ ସହ ପ୍ରଶାସନର ଆଲୋଚନା ପରେ ମହାପ୍ରସାଦ ପରିବେଷଣକୁ କେନ୍ଦ୍ର କରି ଲାଗି ରହିଥିବା ସମସ୍ତ ଆଶଙ୍କା ବସ୍ତୁତଃ ଦୂର ହୋଇଛି ।

ଉଲ୍ଲେଖଯୋଗ୍ୟ, ‘ମହାପ୍ରସାଦ ନିଲାମ ହେବ’- ଏଭଳି ଏକ ପ୍ରସ୍ତାବ ବା ଘୋଷଣା ମହାପ୍ରସାଦର ମର୍ଯ୍ୟାଦା କ୍ଷୁଣ୍ଣ କରୁଥିବାରୁ ସେଥିରୁ ନିଲାମ ଶବ୍ଦକୁ ହଟାଇ ଏହାର ବିକଳ୍ପ ଶବ୍ଦ ବ୍ୟବହାର ହେବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି । ଏହି ଶବ୍ଦ ହଟିବା ପରେ ହବିଷ୍ୟାଳୀ ଯୋଜନାରେ ସୁଆର ମହାସୁଆର ନିଯୋଗ ପୂର୍ବବତ୍ ସହଯୋଗ କରିବ ବୋଲି ପ୍ରତିଶ୍ରୁତି ଦେଇଛି । ସେହିଭଳି ଆନନ୍ଦ ବଜାରକୁ ଟଙ୍କ ତୋରାଣି ଫେରିବାକୁ ଯାଉଛି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଶ୍ରୀମନ୍ଦିର ଭିତରେ ଟଙ୍କ ତୋରାଣି ବିକ୍ରିକୁ ନିଷିଦ୍ଧ କରାଯିବା ନେଇ ନୋଟିସ୍ ଜାରି ହେବା ପରେ ସ୍କ୍ଵାଡ୍ ଲଗାତାର ଚଢ଼ଉ କରି ଏହି ବିକ୍ରି ସମ୍ପୂର୍ଣ୍ଣ ବନ୍ଦ କରି ଦେଇଛି । ଏବେ ଏହି ଟଙ୍କ ତୋରାଣି ଆନନ୍ଦ ବଜାରକୁ ପୁଣି ଫେରିବାକୁ ଯାଉଛି ।

ଏଠାରେ କେତେ ଟଙ୍କ ତୋରାଣି ବିକ୍ରି ହେବ, କେଉଁମାନେ ବିକ୍ରି କରିବେ, କିଏ ଏହାର ମାନ ଠିକ୍ ବୋଲି ଘୋଷଣା କରିବ, କେଉଁଠି ବିକ୍ରି ହେବ ଏହାକୁ ନେଇ ସୁଆର ମହାସୁଆର ନିଯୋଗ ଏକ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିବ । ସୀମିତ ପରିମାଣରେ ଏହାର ବିକ୍ରି ନେଇ ନିଯୋଗ ପ୍ରସ୍ତୁତ କରିଥିବା ବ୍ଲୁପ୍ରିଣ୍ଟକୁ ଶ୍ରୀମନ୍ଦିର ପ୍ରଶାସନ ବିଚାର କରିବା ପରେ ଟଙ୍କ ତୋରାଣି ଫେରିବ । ଗତକାଲି ମୁଖ୍ୟ ପ୍ରଶାସକ ପ୍ରଦୀପ ଜେନାଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ, ଏସ୍ପି ଡା. ସାର୍ଥକ ଷଡ଼ଙ୍ଗୀ, ପ୍ରଶାସକ(ନୀତି) ଡ. ପ୍ରଦୀପ ଦାଶ, ପ୍ରଶାସକ(ସୁରକ୍ଷା) ପ୍ରଫୁଲ୍ଲ ମିଶ୍ରଙ୍କ ସମେତ ସୁଆର ମହାସୁଆର ନିଯୋଗର ସଭାପତି ଦାମୋଦର ମହାସୁଆର ଓ ସମ୍ପାଦକ କୃଷ୍ଣଚନ୍ଦ୍ର ସାନ୍ତରା ଓ ସମସ୍ତ ସଦସ୍ୟ ଯୋଗ ଦେଇଥିଲେ ।

ସେହିପରି, ଶ୍ରୀମନ୍ଦିର ନୀତିକାନ୍ତିରେ ଶୁଦ୍ଧ ଓମଫେଡ୍ ଘିଅ ବ୍ୟବହାର କରିବା ନେଇ ମଧ୍ୟ ମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଛି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଓମଫେଡ ସହାୟତାରେ ମନ୍ଦିର ଭିତରେ ଷ୍ଟଲ ଖୋଲାଯାଇଛି । କିନ୍ତୁ ଶ୍ରୀମନ୍ଦିରରେ ବିକ୍ରି ହେଉଥିବା ଓମଫେଡ ଘିଅର ମାନକୁ ନେଇ ଉଠିଛି ବିବାଦ । ଓମଫେଡ ପକ୍ଷରୁ ଦିଆଯାଉଥିବା ଘିଅ ନିମ୍ନମାନର ବୋଲି ଅଭିଯୋଗ କରିଛି ସୁଆର ମହାସୁଆର ନିଯୋଗ । ଭଲ ଘିଅ ତରଳ ରହିବା କଥା କିନ୍ତୁ ଓମଫେଡ ଘିଅ ପୁରା ଟାଣ ଓ ଚିକିଟା ରହୁଛି ।

ଫଳରେ କିଭଳି ଓମଫେଡ ଘିଅ ଶୁଦ୍ଧ ହେଲା ବୋଲି ପ୍ରଶ୍ନ କରିଛନ୍ତି ସୁଆର ମହାସୁଆର ନିଯୋଗ ସଭାପତି ଦାମୋଦର ମହାସୁଆର । କୋଠ ଭୋଗ ପାଇଁ ଶ୍ରୀମନ୍ଦିର ପ୍ରଶାସନ ଓମଫେଡ ଶୁଦ୍ଧ ଘିଅର ବ୍ୟବହାର ପାଇଁ କହିଥିବା ବେଳେ ମହାପ୍ରସାଦ ରାନ୍ଧିବାରେ କିଭଳି ନିମ୍ନମାନର ଘିଅ ବ୍ୟବହାର କରାଯିବ ବୋଲି ସୁଆର ମହାସୁଆର ନିଯୋଗ ପ୍ରଶ୍ନ କରିଛି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଓମଫେଡ ଘିଅର ମାନକୁ ଯାଂଚ କରି ତାକୁ ବ୍ୟବହାର କରିବାକୁ ଦିଅନ୍ତୁ ଏବଂ ଖୁବ ଶୀଘ୍ର ଏନେଇ ପଦକ୍ଷେପ ନେବାକୁ ନିଯୋଗ ସଭାପତି ଦାବି କରିଛନ୍ତି ।