ଶ୍ରୀମନ୍ଦିର ଜଗମୋହନର ଆରମ୍ଭ ହେଲା ମରାମତି କାମ : ଦେଢମାସ ମଧ୍ୟରେ ସରିବ କାମ !

36

କନକ ବ୍ୟୁରୋ : ବିବାଦ ପରେ ବିବାଦ । ଶ୍ରାମନ୍ଦିରର ସୁରକ୍ଷାକୁ ନେଇ ଅନେକ ସମୟରେ ଉଠିଛି ପ୍ରଶ୍ନ । ମନ୍ଦିରର ସୁରକ୍ଷା ଦାୟିତ୍ୱ ବର୍ତ୍ତମାନ ସମୟରେ ଏଏସଆଇ ହାତରେ ରହିଛି । ତେବେ ଗତ ସପ୍ତାହରେ ମୁଖ୍ୟ ମନ୍ଦିରରୁ ବର୍ଷା ପାଣି ଠାକୁରଙ୍କର ଗୋପାଳବଲ୍ଲଭ ଭୋଗରେ ପଡିଥିବା କଥା ଜଣାପଡିବା ପରେ ପୁରୀ ସମେତ ସାରା ଓଡିଶାରେ ଏହି ଘଟଣାକୁ ନିନ୍ଦା କରାଯାଇଥିଲା । ହାଇକୋର୍ଟଙ୍କ ପାଖରେ ମନ୍ଦିରର ଯେଉଁ ରିପୋର୍ଟ ଦାଖଲ ବିଗତ ଦିନରେ କରାଯାଇଛି ତାହା ଉପରେ ମଧ୍ୟ ପ୍ରଶ୍ନ ଉଠାଇଥିଲେ ସେବାୟତ । ତେବେ ମନ୍ଦିରରେ ପଡୁଥିବା ବର୍ଷାଜଳକୁ କିପରି ଅଟକାଯିବ ସେନେଇ ଗତକାଲିଠାରୁ କାମ ଆରମ୍ଭ ହୋଇଥିବା ଜଣାପଡିଛି । ପ୍ରଥମେ ଚୂନ ଛଡାଯିବା ପରେ ମନ୍ଦିରରେ କେତେ ଫାଚ ରହିଛି ତାହା ଅନୁଧ୍ୟାନ କରାଯିବ । ଏଏସଆଇର ପ୍ରତ୍ୟକ୍ଷ ତତ୍ତ୍ୱବଧାନରେ ଏହି କାମ ଚାଲିଥିବା ସୂଚନା ମିଳିଛି । ଆଗାମୀ ଦେଢମାସ ମଧ୍ୟରେ ସମସ୍ତ କାମ ସମ୍ପୂର୍ଣ୍ଣ ହେବ ବୋଲି ଜଣାପଡିଛି । ମନ୍ଦିରରୁ ପାଣି ପଡିବା ନେଇ ରାଜ୍ୟ ପ୍ରତ୍ନତତ୍ତ୍ୱ ସଂସ୍ଥାର ପ୍ରାକ୍ତନ ଅଧୀକ୍ଷକ ବିଜୟ କୁମାର ରଥ କହିଛନ୍ତି ଯେ, ଶ୍ରୀମନ୍ଦିରର ନିର୍ମାଣ କାର୍ଯ୍ୟ ବହୁପୁରୁଣା ।

 

ତେଣୁ ଅନେକ ଦିନ ତଳେ ତିଆରି ହୋଇଥିବାରୁ ବର୍ତ୍ତମାନ ସମୟରେ ଅନେକ ସ୍ଥାନରେ ପାଣି ପଡୁଥିବା ଦେଖାଦେଇଛି । ଏହା ଏକ ସ୍ୱାଭାବିକ କଥା କିନ୍ତୁ ନିୟମିତ ଭାବରେ ଏହାର ମରାମତି କାମ କଲେ ମନ୍ଦିର ସୁରକ୍ଷିତ ରହିବ ବୋଲି ଶ୍ରୀ ରଥ ସୂଚନା ଦେଇଛନ୍ତି । ଏହାସହ ବେଢା ମଧ୍ୟରେ ଥିବା ସୂର୍ଯ୍ୟମନ୍ଦିରର ଗର୍ଭଗୃହର ମରାମତି କାମ ମଧ୍ୟ ଆରମ୍ଭ ହୋଇଥିବା ଜଣାପଡିଛି । ୨୦୧୧ ମସିହାରୁ ଜଗମୋହନର ବାହାର ଓ ଭିତରକାମ ପର୍ଯ୍ୟାୟକ୍ରମେ ଚାଲୁଅଛି । ତେବେ ଶ୍ରୀମନ୍ଦିରର ନାଟ ମଣ୍ଡପକୁ ନେଇ ଚିନ୍ତାରେ ଏଏସଆଇ । ନାଟମଣ୍ଡପର ମରାମତି ଲାଗି ରାଜ୍ୟ ଓ ରାଜ୍ୟ ବାହରର ବିଶେଷଜ୍ଞମାନଙ୍କ ପରାମର୍ଶ ନିଆଯିବ ଏଏସଆଇ କହିବା ସହ ଏକ ୩ ଦିନିଆ କର୍ମଶାଳା ମଧ୍ୟ କରାଯାଇଛି । ରଥଯାତ୍ରା ପୂର୍ବରୁ ନାଟମଣ୍ଡପର ଗରୁଡସ୍ତମ୍ଭ ପାଖରେ ଫାଟ ସୃଷ୍ଟି ହୋଇଥିଲା ତେଣୁ ତାହାକୁ ଷ୍ଟେନଲେସ ଷ୍ଟିଲ ଫ୍ରେମ ସପୋର୍ଟ ଦିଆଯାଇଥିଲା । ତେବେ ଶ୍ରୀମନ୍ଦିରର ମରାମତି କାମରେ ଯେପରି କୈାଣସି ଭୁଲ ନହୁଏ ସେଥିପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ସମସ୍ତ କାମ କରାଯାଉଛି ।