ଜଗମୋହନ ମରାମତି ନେଇ ବଦଳୁଛି ନିଷ୍ପତି ! ଖୋଳାଯିବନି ଚଟାଣର ଦ୍ୱିତୀୟ ସ୍ତର

28

କନକ ବ୍ୟୁରୋ : ଜଗମୋହନ ମରାମତି ନେଇ ବଦଳୁଛି ନିଷ୍ପତି । ଚଟାଣର ଦ୍ୱିତୀୟ ସ୍ତରର ପଥର ବାହାର କରାଯିବା ଯୋଜନାକୁ ପୁଣି ସ୍ଥଗିତ ରଖାଯାଇଛି । ଏବେ ଖୋଳାଯାଇଥିବା ଗୋଟିଏ ସ୍ତର ପଥର ତଳେ ପୋର୍ଟାଲ୍ ଫ୍ରେମର ବେସକୁ ସ୍ଥାପନ କରିବା ପାଇଁ କର୍ତୃପକ୍ଷ ଚିନ୍ତା କଲେଣି । ଏଏସଆଇ ନିର୍ଦେଶକ ରୋମେଲ୍ ସିଂ ଜାମୱେଲ୍ ଶ୍ରୀମନ୍ଦିର ଜଗମୋହନ ପରିଦର୍ଶନ କରିବା ପରେ ଏହି ନିଷ୍ପତି ନିଆଯାଇଥିବା ସୂଚନା ମିଳିଛି ।

ଅନ୍ୟପକ୍ଷରେ ପଥର ଅବସ୍ଥା କିଭଳି ରହିଛି ତାହା ଜାଣିବା ଲାଗି ଦ୍ୱିତୀୟ ଓ ତୃତୀୟ ସ୍ତର ପଥର ନମୁନା ପରୀକ୍ଷାଗାରକୁ ପଠାଯିବା ପାଇଁ ସ୍ଥିର ହୋଇଛି । ପୂର୍ତ ବିଭାଗ ପକ୍ଷରୁ ଆଜି ଡ୍ରିଲ୍ ସାହାର୍ଯ୍ୟରେ ବୋର୍ କରି ଏହି ନମୁନା ସଂଗ୍ରହ କରିବେ । ପଥର ଭଲ ଥିବା ନେଇ ସମସ୍ତେ ଆଶାବାଦୀ ଅଛନ୍ତି । ଆଉ ଯଦି ପଥର ମାନ ଠିକ୍ ନଥାଏ ତେବେ ମରାମତିର ଭବିଷ୍ୟତ କଣ ହେବ ତାକୁ ନେଇ ସବୁ ମହଲରେ ଚିନ୍ତା ବଢିବାରେ ଲାଗିଛି ।