ଗୁଣ୍ଡିଚା ମନ୍ଦିରର ଯାଞ୍ଚ ରିପୋର୍ଟ ହାଇକୋର୍ଟରେ ଦାଖଲ କଲେ ଏଏସଆଇ : ମରାମତିର ଅଗ୍ରଗତିକୁ ଧ୍ୟାନ ଦେବା ପାଇଁ କହିଲେ କୋର୍ଟ

23

କନକ ବ୍ୟୁରୋ : ଶ୍ରୀମନ୍ଦିରର ସୁରକ୍ଷାକୁ ନେଇ ହାଇକୋର୍ଟରେ ଅନେକ ସମୟରେ ମାମଲା ରୁଜୁ ହୋଇଛି । ଏପରିକି ପ୍ରତ୍ୟେକ ସମୟରେ କୋର୍ଟ ମନ୍ଦିରର ଅବସ୍ଥା ସମ୍ପର୍କରେ ଶୁଣାଣି କରିବା ସହ ଏଏସଆଇକୁ କୋର୍ଟରେ ହାଜର ହେବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଏହାରି ମଧ୍ୟରେ ଜୟବିଜୟ ଦ୍ୱାର ମରାମତି  କାର୍ଯ୍ୟ ଶେଷ ହୋଇଛି। ଶ୍ରୀଜଗନ୍ନାଥ ମନ୍ଦିର ସଂପର୍କିତ ଜନସ୍ୱାର୍ଥ ମାମଲାର ଶୁଣାଣି ସମୟରେ ଭାରତୀୟ ପ୍ରତ୍ନତତ୍ତ୍ଵ ସର୍ବେକ୍ଷଣ ସଂସ୍ଥା (ଏଏସ୍ଆଇ) ଏ ନେଇ ଦାଖଲ ସତ୍ୟପାଠ ଦାଖଲ କରିଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ ଭିନିତ ସରନ ଓ ଡକ୍ଟର ଜଷ୍ଟିସ ବି.ଆର୍.ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠରେ ମାମଲାର ଶୁଣାଣି ସମୟରେ ଏଏସଆଇ ସୁପରିଟେଣ୍ଡିଂ ଆର୍କିଓଲୋଜିଷ୍ଟ ଏଚ୍.ଏ.ନାୟକଙ୍କ ପକ୍ଷରୁ ଏହି ସତ୍ୟପାଠ ଦାଖଲ କରାଯାଇଥିଲା। ଏଥିରେ କୁହାଯାଇଛି, ରଥଯାତ୍ରା ସମୟରେ ଜୟବିଜୟ ଦ୍ୱାର ମରାମତି, ନାଟମଣ୍ଡପ ଅନୁଧ୍ୟାନ, ଭୋଗମଣ୍ଡପ ଓ ରୋଷଘର ମରାମତି ଉପରେ ଏଏସଆଇ ଗୁରୁତ୍ୱ ଦେଇଥିଲା।

ତେବେ ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ଥିବା ଅନ୍ୟ ମନ୍ଦିର ଗୁଡିକର ମରାମତି ଆଗେଇ ପାରି ନଥିଲା। ରଥଯାତ୍ରା ପରେ ପୁଣି ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ଥିବା ଅନ୍ୟ ମନ୍ଦିରଗୁଡିକର ସଂରକ୍ଷଣ ଓ ମରାମତି କାର୍ଯ୍ୟ ଆରମ୍ଭ ହୋଇଛି। ନାଟମଣ୍ଡପର ପ୍ରସ୍ତାବିତ ମରାମତି ପାଇଁ ଯୋଜନା, ଡ୍ରଇଂ, ଡିଜାଇନ୍ ଓ ଅନ୍ୟାନ୍ୟ ଆବଶ୍ୟକ ମଞ୍ଜୁରି ପାଇଁ ଏଏସଆଇ ମୁଖ୍ୟାଳୟକୁ ପଠାଯାଇଛି। ଜଗମୋହନ ପୋର୍ଟାଲ ଫ୍ରେମରେ ସିବିଆରଆଇ ଲୋଡ୍ ସେଲ୍ ସ୍ଥାପନ କରିଛି। ମାଉସୀ ମା’ ଓ ଗୁଣ୍ଡିଚା ମନ୍ଦିର ସ୍ଥିତି ଏଏସ୍ଆଇ ବିଶେଷଜ୍ଞଙ୍କ ସହିତ ରାଜ୍ୟ ସରକାରଙ୍କ ଅଧିକାରୀଙ୍କ ଉପସ୍ଥିତିରେ ଜୁଲାଇ ୨୪ ଦିନ ଅନୁଧ୍ୟାନ କରାଯାଇଥିଲା। ଗୁଣ୍ଡିଚା ମନ୍ଦିରର ଢାଞ୍ଚା ଅବସ୍ଥା ଠିକ୍ ଥିବା ବେଳେ ଶେଷ ଥର ୧୯୯୪ ମସିହାରେ ସଂରକ୍ଷଣ କାମ କରାଯାଇଥିଲା। ଭୋଗମଣ୍ଡପ (ତୃତୀୟ ଚାମ୍ବର), ନାଟମଣ୍ଡପ(ତୃତୀୟ ଚାମ୍ବର) ଓ ଗୁମୁଟ ପ୍ରବେଶ ଦ୍ୱାର ନିକଟରେ ପାଣି ଗଳୁଥିବା ଚିହ୍ନ ରହିଛି। ଦ୍ୱିତୀୟ, ତୃତୀୟ ଓ ଚତୁର୍ଥ ଚାମ୍ବର ଛାତ ଓ କାନ୍ଥର ପଲସ୍ତରା ଦୁର୍ବଳ ହୋଇ ପଡିଛି। ଛାତର ଜଏଣ୍ଟ ସ୍ଥାନ ଗୁଡିକରେ ଫାଟ ଦେଖା ଦେଇଛି ବୋଲି ଏଏସଆଇ ପକ୍ଷରୁ ଦାଖଲ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ତେବେ ପୂର୍ବରୁ ଜଗମୋହନଠାରୁ ଆରମ୍ଭ କରି ଜୟବିଜୟ ଦ୍ୂାର ଆଦି ଅନେକ ଅଞ୍ଚଳର ସ୍ଥାନ କିପରି ରହିଛି ତାହାର ସମୀକ୍ଷା କୋର୍ଟ କରିଛନ୍ତି । ତେଣୁ ଶ୍ରୀମନ୍ଦିରର ସୁରକ୍ଷାକୁ ନେଇ କୈାଣସି ପ୍ରକାର ଭୁଲକୁ କୋର୍ଟ ବରାଦାସ୍ତ କରିବେ ନାହିଁ ବୋଲି ପୂର୍ବରୁ ସ୍ପଷ୍ଟ କରିଛନ୍ତି ।