ଟ୍ରଲି ଚାଳକଙ୍କ ଝିଅ ଟପ୍ପର ! ଯୁକ୍ତ ଦୁଇ କଳାରେ ଶେଷ୍ଠ ୧୦ ଜଣଙ୍କ ମଧ୍ୟରେ ଅଛନ୍ତି ଶକୁନ୍ତଳା ।

46

କନକ ବ୍ୟୁରୋ : ନିଷ୍ଠା ଓ ଅଧ୍ୟାବସାୟ ଆଗରେ ପୁଣି ହାର ମାନିଛି ଦାରିଦ୍ର୍ୟ । ଯୁକ୍ତ ଦୁଇ କଳାରେ ଶ୍ରେଷ୍ଠ ଦଶ ଜଣଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି ଜଣେ ଟ୍ରଲି ଚାଳକଙ୍କ ଝିଅ । ଦୁଇ ଓଳି ଖାଇବା ପାଇଁ ଯେଉଁ ପରିବାର ନିତିଦିନ ସଂଘର୍ଷ କରେ, ସେହି ପରିବାରର ଝିଅ ଆଜି ସମସ୍ତଙ୍କ ଆଗରେ ରଖିଛନ୍ତି ଏକ ପ୍ରେରଣାଦାୟୀ ଉଦାହରଣ ।

ଓଡ଼ିଶାର ଶ୍ରେଷ୍ଠ ୧୦ ଜଣ ଯୁକ୍ତ ଦୁଇ କଳା ଛାତ୍ରୀଙ୍କ ମଧ୍ୟରେ ରହିଛନ୍ତି ପୁରୀ ଏସସିଏସ୍ କଲେଜର ଛାତ୍ରୀ ଶକୁନ୍ତଳା ନାୟକ । ପୁରୀ କୁମୁଟିପାଟଣା ଅଂଚଳରେ ଏକ ଭଡା ଘରେ ରୁହନ୍ତି ଶକୁନ୍ତଳାଙ୍କ ପରିବାର । ବାପା ପେଶାରେ ଜଣେ ଟ୍ରଲି ଚାଳକ ହୋଇଥିବା ବେଳେ ମା’ ପାଖ ପଡ଼ୋଶୀଙ୍କ ଘରେ କାମ କରନ୍ତି । ଅଭାବ-ଅନଟନର ଏହି ପାହାଡ଼ ଭିତରେ ସଫଳତାର ଶୀର୍ଷରେ ପହଂଚିଛନ୍ତି ଶକୁନ୍ତଳା । ମୋଟ ୬୦୦ ନମ୍ବରରୁ ସେ ରଖିଛନ୍ତି ୫୨୩ ନମ୍ବର ଏବଂ କଳା ଟପଟେନ୍ ତାଲିକାରେ ସ୍ଥାନ ପାଇଛନ୍ତି ।

ବାପା ମାଙ୍କ ସ୍ୱଳ୍ପ ରୋଜଗାର ଭିତରେ ଉଜ୍ଜଳ ଭବିଷ୍ୟତର ସ୍ୱପ୍ନ ଦେଖିବା ଶକୁନ୍ତଳା, ଏବେ ସଫଳତାର ସହ ଆଉ ଗୋଟିଏ ପାହାଚ ଅତିକ୍ରମ କରିଛନ୍ତି । ଆଗକୁ ଶିକ୍ଷୟତ୍ରୀ ଏବଂ ପରେ ଆଇଏଏସ୍ ହେବାର ଲକ୍ଷ୍ୟ ରଖିଥିବା ଶକୁନ୍ତଳା ଗରିବ ଝିଅମାନଙ୍କ ଶିକ୍ଷାର ଉନ୍ନତି ପାଇଁ କାମ କରିବେ ବୋଲି କହିଛନ୍ତି । ତୁଳସୀ ଦୁଇପତ୍ରରୁ ବାସିଲା ଭଳି ପିଲାଟି ବେଳରୁ ପାଠପଢ଼ାରେ ବେଶ ଆଗୁଆ ଥିଲେ ଶକୁନ୍ତଳା । ଚନ୍ଦନପୁର ଗାଁ ସ୍କୁଲରେ ପଢ଼ୁଥିବା ବେଳେ ମାଟ୍ରିକରେ ୮୬ ପ୍ରତିଶତ ନମ୍ବର ରଖି ସେ ଉତ୍ତୀର୍ଣ୍ଣ ହୋଇଥିଲେ । ଆଉ ଯୁକ୍ତ ଦୁଇରେ ଝିଅର ସଫଳତା ଦେଖି ବାପା-ମା ମଧ୍ୟ ଅନେକ ଖୁସି ଅଛନ୍ତି ।

ଗରିବ ମେଧାବୀ ଛାତ୍ର ହୋଇଥିବାରୁ ପୁରୀର ଏକ ଘରୋଇ ଶିକ୍ଷାନୁଷ୍ଠାନ ଶକୁନ୍ତଳାଙ୍କୁ ମାଗଣାରେ ଶିକ୍ଷାଦାନ କରିଥିଲେ । ଆଉ ଏବେ ଯୁକ୍ତ ଦୁଇରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବାରୁ ଆଗକୁ ବି ଶିକ୍ଷାରେ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଛି ଏହି ଅନୁଷ୍ଠାନ । ସବୁ ବାଧାବିଘ୍ନକୁ ଅତିକ୍ରମ କରି ଆଜି ଶକୁନ୍ତଳା ଯେଉଁ ସଫଳତା ପାଇଛନ୍ତି, ଏହା ନିଶ୍ଚିତ ଭାବରେ ଅନେକଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇ ସାମ୍ନାକୁ ଆସିଛି ।