ପୁରୀ ଗଜପତିଙ୍କ ଛେରାପହଁରା : ତାଳଧ୍ୱଜ ରଥରେ ଗଜପତି ମହାରାଜଙ୍କ ଛେରାପହଁରା

95

କନକ ବ୍ୟୁରୋ: ତିନିଠାକୁରଙ୍କ ରଥାରୁଢ ପରେ ଆରମ୍ଭ ହୋଇଛି ଗଜପତି ମହାରାଜଙ୍କ ଛେରାପହଁରା ସେବା । ଗଜପତି ମହାରାଜ ପ୍ରଥମେ ବଳଭଦ୍ରଙ୍କ ରଥରେ ଛେରା ପହଁରା କରିଛନ୍ତି । ତେବେ ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ଅନ୍ୟତମ ମୁଖ୍ୟ ଆକର୍ଷଣ ହେଉଛି ପୁରୀ ଗଜପତି ମହାରାଜାଙ୍କ ଛେରା ପହଁରା ସେବା । ଗଜପତି ମହାରାଜାଙ୍କ ଛେରା ପହଁରା ନୀତି ମଧ୍ୟରେ ମୁଖ୍ୟତଃ ଦର୍ଶନ, ରାଜନୀତି, ବନ୍ଦାପନା, କର୍ପୂର ବର୍ତକ, ଚାମର, ଆଲଟ ସେବା, ପୟମାଳା ଗ୍ରହଣ ଆଦି ରହିଥାଏ ।

ତିନି ରଥ ଉପରେ ଶ୍ରୀ ବିଗ୍ରହମାନଙ୍କ ପହଣ୍ଡି ବିଜେ ହୋଇ ରଥାରୂଢ ହେବାପରେ ମୁଖ୍ୟ ବିଗ୍ରହମାନଙ୍କ ମଇଲମ ଓ ମାଳଫୁଲ, ଲାଗି ହୋଇଥାଏ । ଏହାପରେ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଜନୈକ ପଦାଧିକାରୀ, ଶ୍ରୀମନ୍ଦିର କମାଣ୍ଡର, ଆବଶ୍ୟକ ସଂଖ୍ୟକ ମନ୍ଦିର ପୁଲିସ ଏବଂ ସରକାରୀ ପୁଲିସ ଶ୍ରୀନଅରକୁ ଯାଇ ବିଧିବଦ୍ଧ ଭାବେ ଗଜପତି ମହାରାଜାଙ୍କୁ ଛେରା ପହଁରା ସେବା କରିବା ପାଇଁ ଖବର ପଠାଇଥାନ୍ତି । ଶ୍ରୀନଅରରେ ଖବର ପଂହଚିବା ପରେ ଗଜପତି ମହାରାଜା ରାଜକୀୟ ବେଶରେ ଆସି ଛେରା ପହଁରା କରିଥାନ୍ତି ।

ଉଲ୍ଲେଖଥାଉ କି, ସର୍ବ ପ୍ରଥମେ ଶ୍ରୀବଳଭଦ୍ରଙ୍କ ରଥ ସମ୍ମୁଖରେ ତାମଜାନ ରହେ । ଗଜପତି ମହାରାଜ ଉକ୍ତ ରଥ ଉପରକୁ ଉଠିଥାନ୍ତି । ତାଙ୍କ ସାଙ୍ଗରେ ରାଜ ପରିବାରର ସଦସ୍ୟ, ରାଜଗୁରୁ , ଲେଙ୍କା, ବେହେରା ଖଂଟୁଆ, ମେକାପ, ଗରାବଡୁ ଓ ଦେଉଳକରଣ ଇତ୍ୟାଦି ସେବକ ରହିଥାନ୍ତି । ପ୍ରଥମେ ଗରାବୁଡ ସେବକଙ୍କଠାରୁ ହାତୁଆଣି ନେଇ ଗଜପତି ପୁଷ୍ପାଞଳୀ ପ୍ରଦାନ କରିଥାନ୍ତି । ରାଜା ଠାକୁରଙ୍କ ସମ୍ମୁଖରେ ଆରତୀ କରି ସୁନା ଚାମର ଆଲଟ ସେବା କରିଥାନ୍ତି । ତତ୍ପରେ ରଥ ଉପର ସିହାଂସନ ତଲକୁ ଓହ୍ଲାଇଥାନ୍ତି । ପୂର୍ବରୁ ଦୟଣାମାଳି ଦେଇଥିବା ଶୁକ୍ଳ ଫୁଲ ଭଣ୍ଡାର ମେକାପ ରୂପା ପିଙ୍ଗଣରେ ଧରିଥାଏ ।

ଏହି ସମୟରେ ରାଜଗୁରୁ ମୁଦୁଲି ସେବକଙ୍କଠାରୁ ସୁନା ଖଡିକା ଆଣି ସଂସ୍କାର କରି ଗଜପତିଙ୍କ ହାତକୁ ବଢାଇଥାନ୍ତି । ଭଣ୍ଡାର ମେକାପ ରଥର ଚାରିପାଖରେ ବୁଲି ଶୁକ୍ଳ ଫୁଲ ଆଗରେ ପକାଉଥିବେ ଓ ଗଜପତି ମହାରାଜା ସୁନା ଖଡିକା ଧରି ରଥ ଚାରିପଟେ ପହଁରିଥାନ୍ତି । ଏହାପରେ ଘଟୁଆରୀ ପ୍ରଦତ୍ତ ରୂପା ପିଙ୍ଗଣରେ ଥଇବା ଚନ୍ଦନ ପାଣିକୁ ରାଜଗୁରୁ ସଂସ୍କାର କରିବା ପରେ ଭଣ୍ଡାର ମେକାପ ଗଜପତିଙ୍କ ହସ୍ତକୁ ବଢାଇଥାନ୍ତି । ତତ୍ପରେ ଗଜପତି ଚନ୍ଦପାଣି ରଥ ଚାରିପଟେ ଛିଂଚିଥାନ୍ତି । ଏହି କ୍ରମରେ ଶ୍ରୀବଳଭଦ୍ର, ଶ୍ରୀଜଗନ୍ନାଥ ଓ ଶ୍ରୀସୁଭଦ୍ରାଙ୍କ ରଥ ଉପରେ ଛେରା ପହଁରା ନୀତି ସରିଥାଏ ।