ପୁରୀରେ ଆଜିଠୁ ପୁଣି ଆରମ୍ଭ ହେଲା ଉଚ୍ଛେଦ : ଭଙ୍ଗାଯାଉଛି ବଡଦାଣ୍ଡ ମ୍ୟୁନିସିପାଲଟି ମାର୍କେଟର ୫୦ରୁ ଅଧିକ ଦୋକାନ, ନୂଆ ଦୋକାନ ତିଆରି ପାଇଁ ପ୍ରସ୍ତାବ

269

କନକ ବ୍ୟୁରୋ : ଶ୍ରୀକ୍ଷେତ୍ର ପୁରୀରେ ଆଜି ଠାରୁ ପୁଣି ଆରମ୍ଭ ହେଲା ଉଛେଦ କାମ । ବଡଦାଣ୍ଡରେ ଥିବା ମୁନିସିପାଲିଟି ମାର୍କେଟକୁ ଆଜି ଉଛେଦ ଆରମ୍ଭ ହୋଇଛି । ଏହି ମାର୍କେଟରେ ରହିଛି ୫୦ରୁ ଅଧିକ ଦୋକାନ । ସବୁ ପ୍ରାୟ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି । ତେଣୁ ଏସବୁକୁ ଉଛେଦ କରିବାକୁ ପୁରୀ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଥିଲା । ଏହି ବଜାରକୁ ଭାଙ୍ଗିବା ପରେ ଏହି ସ୍ଥାନରେ ନୂଆ ନିର୍ମାଣ ହେବ ବୋଲି ସୂଚନା ମିଳିଛି । ମ୍ୟୁନିସିପାଲଟି ମାର୍କେଟର ଉଛେଦ ନେଇ ପ୍ରଶାସନ ଆଗରୁ ନୋଟିସ୍ ଜାରି କରିଥିଲା ।

ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଥରେ ପୁରୀରେ ଉଚ୍ଛେଦ ଆରମ୍ଭ ହୋଇଛି । ରାଜ୍ୟ ସରକାରଙ୍କ ଐତିହ୍ୟ ସହର ବିକାଶ ଦିଗରେ ସହାୟକ ହେବାପାଇଁ ନୂଆ ମାର୍କେଟ କମ୍ପେକ୍ସ ତିଆରି କରିବା ପାଇଁ ଚାଲିଛି ଉଚ୍ଛେଦ । ତେବେ ଦୀର୍ଘ ଦିନ ଧରି ବ୍ୟବସାୟ କରିବା ପରେ ଉଚ୍ଛେଦ ହେଉଥିବା ଯୋଗୁଁ ଦୋକାନୀମାନେ ଦୁଃଖ ପ୍ରକାଶ କରୁଥିଲେ ହେଁ ପ୍ରଶାସନର ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି । ତେବେ ଉଚ୍ଛେଦ ସ୍ଥାନରେ ୪ ତାଲା ବିଶିଷ୍ଟ ମାର୍କେଟ କମ୍ପେକ୍ସ ତିଆରି କରାଯିବ ବୋଲି ଯୋଜନା କରାଯାଇଛି । ଉଚ୍ଛେଦକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଅତିରିକ୍ତ ଜିଲ୍ଲାପାଳ, ଜିଲ୍ଲାପଳ, ପୌର ନିର୍ବାହ ଅଧିକାରୀ ଉଚ୍ଛେଦସ୍ଥଳରେ ଉପସ୍ଥିତ ଅଛନ୍ତି ।