ପୁରୀ ବିଜେପି ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ରଙ୍କୁ ନୋଟିସ: ଜଗନ୍ନାଥଙ୍କ ମୂର୍ତ୍ତି ଧରି ପ୍ରଚାର କରିବା ନେଇ ଜିଲ୍ଲାପାଳ ଜାରି କଲେ କାରଣ ଦର୍ଶାଅ ନୋଟିସ୍

ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଥିଲା କଂଗ୍ରେସ, ସିଂହଦ୍ୱାର ସମୁଖରେ ବିଜେଡିର ପ୍ରତିବାଦ

152

କନକ ବ୍ୟୁରୋ: ପୁରୀରେ ଲୋକସଭା ଆସନ ପାଇଁ ବିଜେପିରୁ ପ୍ରାର୍ଥୀ ହୋଇଥିବା ସମ୍ବିତ ପାତ୍ର ଜଗନ୍ନାଥଙ୍କ ମୂର୍ତିକୁ ପ୍ରଚାରରେ ବ୍ୟବହାର କରି ବିବାଦରେ ଫସିଛନ୍ତି । ନିର୍ବାଚନ ପ୍ରଚାରରେ ଧର୍ମୀୟ ଭାବନାରେ ଦ୍ୱାହି ଦେଇ ଜଗନ୍ନାଥଙ୍କୁ ବ୍ୟବହାର କରି ଶ୍ରୀପାତ୍ର ମହାପଭୁଙ୍କୁ ଅସମ୍ମାନ କରିଥିବା କଂଗ୍ରେସ ଅଭିଯୋଗ କରିଛି ।

ଏନେଇ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଅଭିଯୋଗ ଉଠାଇବା ସହ ସିଂହଦ୍ୱାର ସମ୍ମୁଖରେ ବିଜେଡି ପକ୍ଷରୁ ପ୍ରତିବାଦ କରାଯାଇଛି । ଏହା ସହ ସିଂହଦ୍ୱାର ଥାନାରେ ତାଙ୍କ ବିରୋଧରେ ଏତଲା ଦିଆଯାଇଛି । ଆଚରଣ ବିଧି ଉଲଂଘନ କରିଥିବା ନେଇ ପୁରୀ ଲୋକସଭା ନିର୍ବାଚନ ମଣ୍ଡଳୀର ରିଟର୍ଣ୍ଣିଂ ଅଫିସର ତଥଶ ଜିଲ୍ଳାପାଳ ତାଙ୍କୁ ନୋଟିସ ମଧ୍ୟ କରିଥିବା ଜଣାପଡିଛି । ସୋମବାର ସମ୍ବିତ ଜଗନ୍ନାଥଙ୍କ ପ୍ରତିମୂର୍ତି ଧରି ପ୍ରଚାର କରିଥିଲେ । ଏହାକୁ ନେଇ ପୁରୀରେ ଜନଅସନ୍ତୋଷ ଦେଖାଦେଇଛି । ଏହି ଘଟଣାରେ ରାଜ୍ୟ କଂଗ୍ରେସର ପ୍ରତିନିଧି ଦଳ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛି ।

 

ନିର୍ବାଚନ ପ୍ରଚାର ବେଳେ ସମ୍ବିତ ପାତ୍ର ଭଗବାନ ଶ୍ରୀଜଗନ୍ନାଥଙ୍କ ମୂର୍ତ୍ତି ଧରି ପ୍ରଚାର କରିଥିଲେ। ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ର ସୋମବାର ଭୁବନେଶ୍ୱର ଉପକଣ୍ଠ ଉତ୍ତରା ଛକ ଠାରୁ ଏକ ଶୋଭାଯାତ୍ରାରେ ପିପିଲି, ସାକ୍ଷୀଗୋପାଳ ଦେଇ ପୁରୀରେ ପହଞ୍ଚି ଥିଲେ। ଶତାଧିକ ସମର୍ଥକଙ୍କ ସହିତ ଶ୍ରୀମନ୍ଦିର ଦର୍ଶନ କରି ଫେରିଯାଇଥିଲେ।ଶ୍ରୀଜଗନ୍ନାଥଙ୍କ ମୂର୍ତ୍ତି ଧରି ନିର୍ବାଚନ ପ୍ରଚାର କରିବା ଆଚରଣ ବିଧିର ଉଲ୍ଲଂଘନ ବୋଲି କହିଛି କଂଗ୍ରେସ। ଏ ନେଇ ପ୍ରଦେଶ କଂଗ୍ରେସର ୬ ଜଣିଆ ପ୍ରତିନିଧି ଦଳ ସିଇଓଙ୍କ ନିକଟରେ ଫେରାଦ ହୋଇ ସମ୍ବିତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାପାଇଁ ଦାବି କରିଛନ୍ତି । ପୂର୍ବରୁ ଜାତୀୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ମୁତାବକ ନିର୍ବାଚନରେ କୌଣସି ରାଜନୈତିକ ଦଳର ପ୍ରାର୍ଥୀ ଠାକୁରଙ୍କ ମୂର୍ତ୍ତି କିମ୍ବା ଫଟୋ ଧରି ପ୍ରଚାର କରିପାରିବେ ନାହିଁ ବୋଲି ପ୍ରତିବନ୍ଧକ ଲଗାଇଛନ୍ତି । କିନ୍ତୁ ଏହାକୁ ଖୋଲାଖୋଲି ଉଲଂଘନ କରିଛନ୍ତି ପୁରୀ ବିଜେପି ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର ।