ସମ୍ପତ୍ତି ଅଛି, ସାହାରା ନାହିଁ… ଲକ୍ଷ ଲକ୍ଷ ଟଙ୍କା ଥାଇ ବି ସେବା କରିବାକୁ ପାଖରେ କେହି ଜଣେ ନାହାନ୍ତି । ରୋଗ ବିଛଣାରେ ପଡି ପର ହାତକୁ ଚାହିଁ ରହିଛନ୍ତି ପୁରୀ ଡିଏଭି ସ୍କୁଲର ଶିକ୍ଷୟିତ୍ରୀ ସର୍ବାଣୀ ଦାସ

କଥାରେ ଅଛି କାନ ଥିଲେ ସୁନା ନାହିଁ, ସୁନା ଥିଲେ କାନ ନାହିଁ... ଆଉ ଏ କଥା ଆଜି ସତ ପ୍ରମାଣିତ ହୋଇଛି ସର୍ବାଣୀଙ୍କ ଜୀବନରେ । ତକିଆ ତଳେ ୧୦ ଲକ୍ଷ ଟଙ୍କାର ଚେକ ଅଛି, ବ୍ୟାଙ୍କ ବାଲାନ୍ସ ଅଛି ଆଉ ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କ ନାଁରେ ଶରଣୀ ହୋଟେଲ ବି ରହିଛି । ହେଲେ ତାଙ୍କ ପାଖରେ କେହି ବି ନାହାନ୍ତି । ସେବା, ଶୁଶ୍ରୁଶା ସହ ଯତ୍ନ ନେବାକୁ ଜଣେ ବି ହେଲେ ନାହିଁ

1,141

କନକ ବ୍ୟୁରୋ: ଗୋଟିକିଆ ଘର ଭିତରେ ଏକଲାପଣର ରାଜୁତି । ନିଜକୁ ଛାଡିଦେଲେ ଆଉ କେହି ବି ନାହାନ୍ତି । ଖଟ ଉପରେ ସର୍ବାଣୀ ଆଉ ଟେବୁଲ ଉପରେ ତାଙ୍କ ସଞ୍ଜିବନୀ । ଭଡା ଘରଟାରେ ବହି-ବାସନକୁ ଛାଡିଦେଲେ ଏବେ ତାଙ୍କ ସହ ଯନ୍ତ୍ରଣା କୁଣିଆ ହୋଇ ରହୁଛି । ୩ ମାସ ହେବ ବେଡସୋର ରୋଗରେ ସର୍ବାଣୀ ଛଟପଟ ହେଉଛନ୍ତି । ଖଟ ଉପରେ ସିନା ଜୀବନ ପଡିଛି ହେଲେ ଭିତରେ ଭିତରେ ଭାରି ଯନ୍ତ୍ରଣା ହେଉଛି । ଯାହା ତାଙ୍କର ଏ ଅସହାୟ ଆଖି ଆଉ କରୁଣ ଚାହାଣୀ ହିଁ ବୟାନ କରୁଛି ।

ସର୍ବାଣୀ ଦାସ । ପୁରୀ ଡିଏଭି ସ୍କୁଲର ଇଂରାଜୀ ଶିକ୍ଷୟିତ୍ରୀ । ବୟସ ପାଖାପାଖି ୫୫ ହେଲାଣି । କଲିକତାର ଏକ ସମ୍ଭ୍ରାନ୍ତ ପରିବାରରେ ଜନ୍ମ ନେଇଥିବା ସର୍ବାଣୀ ୨୦୦୪ ମସିହାରୁ ପୁରୀରେ ଶିକ୍ଷକତା କରି ଆସୁଛନ୍ତି । ହେଲେ ଗତ ଜାନୁୟାରୀରୁ ବେଡସୋର ରୋଗରେ ପୀଡିତ ହୋଇ ଜୀବନ ସହ ସଂଗ୍ରାମ କରୁଛନ୍ତି । ଗୋଡହାତରେ ଘା ଘଉଡ ହେବା ସହ ଦେହ ସାରା ଫୁଟିଫୁଟି ହେଉଥିବାରୁ ଯନ୍ତ୍ରଣା ବିଛଣାରେ ଶୋଇ ଯୁଝି କରୁଛନ୍ତି ସର୍ବାଣୀ ।

କଥାରେ ଅଛି କାନ ଥିଲେ ସୁନା ନାହିଁ, ସୁନା ଥିଲେ କାନ ନାହିଁ… ଆଉ ଏ କଥା ଆଜି ସତ ପ୍ରମାଣିତ ହୋଇଛି ସର୍ବାଣୀଙ୍କ ଜୀବନରେ । ତକିଆ ତଳେ ୧୦ ଲକ୍ଷ ଟଙ୍କାର ଚେକ ଅଛି, ବ୍ୟାଙ୍କ ବାଲାନ୍ସ ଅଛି ଆଉ ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କ ନାଁରେ ଶରଣୀ ହୋଟେଲ ବି ରହିଛି । ହେଲେ ତାଙ୍କ ପାଖରେ କେହି ବି ନାହାନ୍ତି । ସେବା, ଶୁଶ୍ରୁଶା ସହ ଯତ୍ନ ନେବାକୁ ଜଣେ ବି ହେଲେ ନାହିଁ । ଅବଶ୍ୟ ପ୍ରାରମ୍ଭିକ ଅବସ୍ଥାରେ ସ୍କୁଲ ତରଫରୁ ତାଙ୍କୁ ନର୍ସ ଯୋଗାଇ ଦିଆଯାଇଥିଲା । ହେଲେ ଏଇ ୧୫ ଦିନ ହେବ ପାଖରେ କେହି ବି ନଥିବାରୁ ଭଡା ଘରେ ଦେହ ଭିତରର ଭୀଷଣ ଯନ୍ତ୍ରଣାକୁ ଦେହରେ ମାରି ଭଗବାନ ଭରସାରେ ପଡି ରହିଛନ୍ତି ସର୍ବାଣୀ ।

ସେପଟେ ବାପାମାଆ ଆରପାରିକୁ ଚାଲିଯିବା ପରେ ପୁରୀରେ ଏକୁଟିଆ ରହୁଛନ୍ତି ସର୍ବାଣୀ । ବିବାହ କରିନଥିବାରୁ ଜୀବନ ସାଥୀ ବି ନାହାନ୍ତି କି ବନ୍ଧୁ ପରିଜନଙ୍କ ସହ ଯୋଗାଯୋଗରେ ନାହାନ୍ତି । ତେଣୁ ଘର ଭିତରେ ପିଲା ଦିନର ବାପାମାଆଙ୍କ ସହ ଏ କଳାଧଳା ଫଟୋ ଛଡା ଆଉ କେହି ବି ନାହାନ୍ତି ତାଙ୍କ ପାଖରେ । ତେବେ ସବୁଥାଇ ବି ଅସହାୟ ପାଲଟିଥିବା ଏ ମହିଳାଙ୍କ କାହାଣୀ ଶୁଣି ତାଙ୍କୁ କୌଣସି ଅନୁଷ୍ଠାନ କିମ୍ବା ବ୍ୟକ୍ତି ବିଶେଷ ସାହାଯ୍ୟ କରିବାକୁ ସର୍ବାଣୀ ନେହୁରା ହୋଇଛନ୍ତି । ଆଉ ତାଙ୍କର ଏ ଆକୁଳ ନିବେଦନ ମଣିଷ ସମାଜକୁ ଏହ ଆହ୍ୱାନ ଦେଇଛି ।