ପୁରୀ : ବୀରଗୋବିନ୍ଦପୁରର ମାଁ ଦକ୍ଷିଣକାଳୀ ପୀଠ ବିବାଦ ବଳବତ୍ତର, ଗ୍ରାମବାସୀ ଓ ପୀଠ ଟ୍ରଷ୍ଟଙ୍କ ବିବାଦର ସମାଧାନ ପାଇଁ ଉଦ୍ୟମ କରି ନାକେଦମ୍ ପ୍ରଶାସନ

34

କନକ ବ୍ୟୁରୋ : ପୁରୀ ଜିଲ୍ଲା ବୀରଗୋବିନ୍ଦପୁରର ମାଁ ଦକ୍ଷିଣକାଳୀ ପୀଠ ବିବାଦ ଥମୁ ନାହିଁ । ଗତକାଲି ଜାରି ହୋଇଥିବା ୧୪୪ ଧାରା ଆଜି ମଧ୍ୟ ବଳବତ୍ତର ରହିଛି । ଗ୍ରାମବାସୀ ଓ ପୀଠ ଟ୍ରଷ୍ଟଙ୍କ ବିବାଦର ସମାଧାନ ପାଇଁ ଉଦ୍ୟମ କରି ନାକେଦମ ହୋଇଛି ପ୍ରଶାସନ । ଗତକାଲି କାଳୀପୂଜା ପାଇଁ ମାଟି ଅନୁକୂଳ ଗ୍ରାମବାସୀଙ୍କ ଦ୍ୱାରା ନିଯୁକ୍ତ ପୂଜକ ଅଗାଧୂ ଦୀକ୍ଷିତ କରିଛନ୍ତି ।

ଅନ୍ୟପଟେ ମାଟି ଅନୁକୂଳ ପାଇଁ ଆସିଥିବା ପୀଠ ଟ୍ରଷ୍ଟ ମୁଖ୍ୟ ଗିରୀଶ ଚନ୍ଦ୍ର ବାନାର୍ଜୀଙ୍କୁ ତୀବ୍ର ବିରୋଧ କରିଥିଲେ ଗ୍ରାମବାସୀ । ସ୍ଥିତି ଏପରି ହୋଇଥିଲା ଯେ ତହସିଲଦାରଙ୍କ ଗାଡିରେ ଗିରିଶଙ୍କୁ ବସାଇ ମାଆଙ୍କ ଦର୍ଶନ ପାଇଁ ନେଇଥିଲା ପୋଲିସ । ଏପରିକି ଗାଁରେ ୧୪୪ ଧାରା ଜାରି ହୋଇଥିବାରୁ ସମର୍ଥକଙ୍କ ଅଟକାଇ କେବଳ ପୀଠ ଟ୍ରଷ୍ଟ ମୁଖ୍ୟ ଗିରିଶଙ୍କୁ ପୋଲିସ ଗାଁ ଭିତରକୁ ଛାଡିଥିଲା । ପୀଠ ଟ୍ରଷ୍ଟ ଓ ଗ୍ରାମବାସୀଙ୍କ ବିବାଦ ଏବେ ହାଇକୋର୍ଟରେ ବିଚାରଧିନ ରହିଛି । ଆସନ୍ତା ୧୨ ତାରିଖରେ ଏହାର ଶୁଣାଣି ଥିବା ବେଳେ କୋର୍ଟଙ୍କ ନିଷ୍ପତିକୁ ସମ୍ମାନ ଜଣାଇବେ ବୋଲି କହିଛନ୍ତି ବୀରଗୋବିନ୍ଦପୁର ଗ୍ରାମବାସୀ ।