ପୁରୀରେ ମହିଳା ଟ୍ରାଫିକ୍ କନେଷ୍ଟବଳଙ୍କୁ ଡାକ୍ତରାଣୀଙ୍କ ଅକ୍ରମଣ ଅଭିଯୋଗ ଘଟଣା ! ଡାକ୍ତର ଦେବଯାନୀ ସାମନ୍ତରାୟଙ୍କ ଭାଇ ଗିରଫ

39

କନକ ବ୍ୟୁରୋ : ମହିଳା ଟ୍ରାଫିକ୍ କନେଷ୍ଟବଳଙ୍କୁ ଅକ୍ରମଣ ଅଭିଯୋଗ । ଗତକାଲି ରାତିରେ ପୁରୀ ଟାଉନ ଥାନା ମାର୍କେଟ ଛକରେ କାର୍ଯ୍ୟରତ ମହିଳା ଟ୍ରାଫିକ୍ କନେଷ୍ଟବଳ ସବିତା ପ୍ରଧାନଙ୍କୁ ଜଣେ ଡାକ୍ତରାଣୀ ଓ ତାଙ୍କ ସମ୍ପର୍କୀୟ ମାଡ ମାରିଥିବା ଅଭିଯୋଗ ହୋଇଛି । ତେବେ ଏହି ଘଟଣାରେ କନେଷ୍ଟବଳ ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ଏନେଇ ଟାଉନ ଥାନାରେ ଏତଲା ଦିଆଯାଇଛି । ପୁଲିସ ଡାକ୍ତର ଦେବଯାନୀ ସାମନ୍ତରାୟ ଓ ତାଙ୍କ ଭାଇ ଜ୍ୟୋତି ପ୍ରକାଶ ସାମନ୍ତରାୟଙ୍କୁ ପଚରାଉଚରା କରିଛି । ମିଳିଥିବା ସୂଚନା ଅନୁସାରେ ଜ୍ୟୋତି ପ୍ରକାଶଙ୍କୁ ଗିରଫ କରିଛି ପୁଲିସ ।

ଅଭିଯୋଗ ଅନୁସାରେ, ଗତକାଲି ରାତିରେ ଡାକ୍ତର ଦେବଯାନୀ ଏକ ନମ୍ବରବିହୀନ କାରରେ ବଡଦାଣ୍ଡରେ ଯାଉଥିବା ବେଳେ ଟ୍ରାଫିକ୍ କନେଷ୍ଟବଳ ସବିତା ତାଙ୍କୁ ଅଟକାଇ ଥିଲେ । ପାସ ନଥିବାରୁ ଗାଡିକୁ ଆଗକୁ ଛଡାଯିବ ନାହିଁ ବୋଲି ବାରଣ କରିଥିଲେ । ଏହା ପରେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଏଥିରେ ରାଗି ଯାଇ ଡାକ୍ତରାଣୀ ତାଙ୍କ ଭାଇଙ୍କୁ ଫୋନ ଯୋଗେ ଡକାଇଥିଲେ । ପରେ ଦେବଜାନୀ ଓ ତାଙ୍କ ଭାଇ ଉଭୟ ସବିତାଙ୍କ ସହ ଯୁକ୍ତିତର୍କ କରିବା ସହ ତାଙ୍କୁ ମାଡ ମାରିଥିଲେ । ଏନେଇ ଥାନାରେ ମାମଲା ପହଂଚିଥିବା ବେଳେ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛି କନେଷ୍ଟବଳ ଓ ହୋମଗାର୍ଡ ସଂଘ ।