ରଥଯାତ୍ରାରେ ବିଭ୍ରାଟ ହେଲେ ଦାୟୀ ରହିବେ ଅଧିକାରୀ : ଖିଲାପକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲପାଳଙ୍କ ଚେତାବନୀ

82

କନକ ବ୍ୟୁରୋ: ରଥଯାତ୍ରାରେ ବିଭ୍ରାଟ ହେଲେ ଦାୟୀ ରହିବେ ଅଧିକାରୀ । ଏମିତି ଚେତାବନୀ ଦେଇଛନ୍ତି ପୁରୀ ଜିଲ୍ଲାପାଳ । ରଥଯାତ୍ରାରେ ଯଦି କୌଣସି ପ୍ରକାର ବିଭ୍ରାଟ ହୁଏ ତେବେ ଏଥିପାଇଁ ଅଧିକାରୀମାନେ ହିଁ ଦାୟୀ ରହିବେ ବୋଲି ତାଗିଦ୍ କରିଛନ୍ତି ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ । ରଥଯାତ୍ରା ପ୍ରସ୍ତୁତି ଆଲୋଚନା ବେଳେ ଏ ସଂପର୍କରେ ସେ ବିଭିନ୍ନ ଦାୟିତ୍ୱରେ ଥିବା ଅଧିକାରୀମାନଙ୍କୁ ଏ ସଂପର୍କରେ ଚେତାଇ ଦେଇଛନ୍ତି ।

ଏହା ସହ ରଥଯାତ୍ରା ପାଇଁ ଅଧିକାରୀ ମାନଙ୍କୁ ସମ୍ପୂର୍ଣ ଭାବେ ପ୍ରସ୍ତୁତ ରହିବା ସହ କୌଣସି ପ୍ରକାର ତ୍ରୁଟି କିମ୍ବା ବିଶୃଙ୍ଖଳା ଯେପରି ନହୁଏ, ଏ ନେଇ ତାଗିଦ୍ କରିଛନ୍ତି ଜିଲ୍ଲାପାଳ । ଖିଲାପକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ସେ ସଂପୃକ୍ତ ଅଧିକାରୀମାନଙ୍କୁ ଚେତାବନୀ ଦେଇଛନ୍ତି । ଏହା ସହ ଟୋପାଏ ବର୍ଷା ହେଲେ ବଡଦାଣ୍ଡ ଉବୁଟୁବୁ ହେଉଥିବାରୁ ପ୍ରସ୍ତୁତି ଆଲୋଚନା ବେଳେ ରଥଯାତ୍ରା ପୂର୍ବରୁ ନାଳସଫା ଉପରେ ମଧ୍ୟ ଗୁରୁତ୍ୱ ଦିଆ ଯାଇଛି ।

ଅନ୍ୟପଟେ, ଆଜି ଲାଗି ହେବ ଫୁଲୁରି ତେଲ । ଜ୍ୱରରେ ପୀଡିତ ଥିବା ମହାପ୍ରଭୂଙ୍କୁ ଆଜି ପଂଚମୀ ତିଥିରେ ଫୁଲୁରି ତେଲ ଲାଗି ହେବ । ବଡଓଡିଆ ମଠ ଏହି ତେଲକୁ ପ୍ରସ୍ତୁତ କରିଥିବା ବେଳେ ଆଜି ଏକ ଭବ୍ୟ ଶୋଭାଯାତ୍ରାରେ ଏହାକୁ ଶ୍ରୀମନ୍ଦିରକୁ ନିଆଯିବ । ବୈଦ୍ୟଙ୍କ ପରାମର୍ଶ କ୍ରମେ ଅଣସର ପିଣ୍ଡିରେ ଶ୍ରୀଜିଉଙ୍କୁ ଏହି ଫୁଲୁରି ତେଲ ଚିକିତ୍ସା ସେବା ଯୋଗାଇ ଦିଆଯିବ । ଶାଳ ପର୍ଣ୍ଣି, ଗମ୍ଭାରୀ, ଲବାଙ୍ଗ କୁଳି, ଫଣଫଣା, କୃଷ୍ଣ ପର୍ଣ୍ଣି, ବେଲ, ଖଣି ବଥୁ, ପଟଳି, ଖୁଆ, ଅଙ୍କରାନ୍ତି, ଗୋଖରା, ଲମ୍ବାଗୋତି, ଦେଶୀ ଘିଅ, ମହୁ, ନବାତ, ଖୁଆସର ଇତ୍ୟାଦିକୁ ମିଶାଇ ଫୁଲୁରି ତେଲର ଏହି ମହୌଷଧି ପ୍ରସ୍ତୁତ କରାଯାଇଛି । ଏହି ମହୌଷଧି ଲାଗି ହେବା ପରେ ମହାପ୍ରଭୁ ସୁସ୍ଥ ହେବା ସହ ନବଯୌବନ ପ୍ରାପ୍ତି ହେବେ ।