ଅରବିନ୍ଦଙ୍କ ସମର୍ଥନରେ ଅଫିସର : ନୀଳାଦ୍ରି ବିଜେ ସମୟରେ ଜିଲ୍ଲାପାଳଙ୍କୁ ଦୁର୍ବ୍ୟବହାର କରିଥିବା ସେବାୟତଙ୍କୁ ଗିରଫ ଦାବି

28

ପୁରୀ ବ୍ୟୁରୋ , କନକ ନ୍ୟୁଜ୍ : ପୁରୀ ଜିଲ୍ଲାପାଳଙ୍କ ସମର୍ଥନରେ ବାହାରିଲା ଆଇଏଏସ ସଂଘ । ଜଣେ କାର୍ଯ୍ୟରତ ସରକାରୀ ଅଧିକାରୀଙ୍କ ପ୍ରତି ସେବାୟତଙ୍କ ଦୁର୍ବ୍ୟବହାରକୁ ନିନ୍ଦା କରିଛି ସଂଘ । ଏନେଇ ସଂଘ ତାର ଆଭିମୁଖ୍ୟ ସ୍ଥିର କରିବାକୁ ଆଜି ଭୁବନେଶ୍ୱରରେ ଏକ ବୈଠକ ବସୁଛି । ତେବେ ହାଇକୋର୍ଟଙ୍କ ନିର୍ଦେଶକୁ କାର୍ଯ୍ୟକାରୀ କରୁଥିବାବେଳେ ପୁରୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲଙ୍କ ପ୍ରତି ସେବାୟତଙ୍କ ଗୁଣ୍ଡାଗିରିକୁ ବରଦାସ୍ତ କରାଯିବ ନାହିଁ ବୋଲି ସଂଘର ସଂପାଦକ ବିଶାଲ ଦେବ କହିଛନ୍ତି । ଦୋଷୀଙ୍କ ବିରୋଧରେ ସରକାର କଡା କାର୍ଯ୍ୟାନୁଷ୍ଠାନ ନେବେ ବୋଲି ସେ ଆଶା ରଖିଥିବା କହିଛନ୍ତି।

ସେପଟେ ନୀଳାଦ୍ରି ବିଜେରେ ମହାବିଭ୍ରାଟ, ସାମ୍ବାଦିକଙ୍କୁ ମାଡ, ଜିଲ୍ଲାପାଳଙ୍କୁ ହତ୍ୟା ଧମକ ଘଟଣାକୁ ୪ ଦିନ ପୂରିବାକୁ ବସିଛି, ହେଲେ ମୁଖ୍ୟ ଖଳନାୟକ ଦାମୋଦର ମହାସୁଆରଙ୍କୁ ଧରିବାରେ ସଫଳ ହୋଇପାରିନି ପୁରୀ ପୁଲିସ। ପୁରୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ ଏହାକୁ ଅତି ଗୁରୁତର ସହ ନେବାରୁ ଅନ୍ୟ ଅଘଟଣ ଭଳି ଏହା ଦଫାରଫା ହୋଇଯାଇନି। ଏକୁଟିଆ ଲଢେଇ ପାଇଁ ଡେଇଁ ପଡିଥିବା ଅରବିନ୍ଦଙ୍କ ପଛରେ ଏବେ ଆଇଏଏସ ସଂଘ ଓ ଜିଲ୍ଲା କର୍ମଚାରୀ ଛିଡା ହୋଇଛନ୍ତି। ବର୍ତମାନ ପ୍ରଶ୍ନ ହେଉଛି କଥା କଥାରେ ଜଗନ୍ନାଥଙ୍କ ସେବା ବନ୍ଦ ଧମକ ଦେଉଥିବା ସେବାୟତଙ୍କ ଅହଂକାର ଭାଙ୍ଗିବାରେ ସମର୍ଥ ହେବେ କି ଜିଲ୍ଲାପାଳ।