ଆସନ୍ତାକାଲି ପୁରୀ ବନ୍ଦ ! ଯାନବାହାନ ସହ ବନ୍ଦ ରହିବ ଦୋକାନ ବଜାର, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ଉପରେ ପଡିପାରେ ପ୍ରଭାବ ।

32

ଆଠ ଦଫା ଦାବି ନେଇ ଅକ୍ଟୋବର ୩ (ବୁଧବାର) ଶ୍ରୀ ଜଗନ୍ନାଥ ସେନା ପକ୍ଷରୁ ପୁରୀ ବନ୍ଦ ଡାକରା ଦିଆଯାଇଛି । ଶ୍ରୀକ୍ଷେତ୍ର ପୁରୀରେ ସମସ୍ତ ଦୋକାନ-ବଜାର ବନ୍ଦ ରହିବ ବୋଲି ଜଣାପଡ଼ିଛି । ଫଳରେ ଯାନବାହାନ ଚଳାଚଳ ପ୍ରଭାବିତ ହୋଇପାରେ । ସେହିଭଳି ପୁରୀ ବନ୍ଦ ଶ୍ରୀଜଗନ୍ନାଥ ଦର୍ଶନ ଉପରେ ମଧ୍ୟ ପ୍ରଭାବ ପକାଇପାରେ ବୋଲି ପୂର୍ବାନୁମାନ କରାଯାଉଛି ।

ଶ୍ରୀମନ୍ଦିରରେ ସଂସ୍କାର ଆଣିବାକୁ ଯାଇ ଭକ୍ତଙ୍କ ପାଇଁ ଧାଡି ଦର୍ଶନ ବ୍ୟବସ୍ଥା ପରୀକ୍ଷା ମୂଳକ ଭାବରେ ଲାଗୁ କରି ଦିଆଯିବା ପରେ ସୋମବାର ଶ୍ରୀମନ୍ଦିର ପରିସରରେ ପ୍ରବଳ ଉତ୍ତେଜନା ଦେଖାଯାଇଥିଲା । ଏହାକୁ ଶ୍ରୀଜଗନ୍ନାଥ ସେନା ତୀବ୍ର ବିରୋଧ କରିଥିଲା । ସାମ୍ବାଦିକ ଓ ଜନସାଧାରଣଙ୍କୁ ପୁଲିସର ଲାଠିପ୍ରହାର ଘଟଣାକୁ ସେନା ପକ୍ଷରୁ ବିରୋଧ କରାଯାଇଛି । ସେନାର ଏହି ବନ୍ଦ ଡାକରାକୁ ବିଭିନ୍ନ ରାଜନୈତିକ ଦଳ ସମର୍ଥନ ଜଣାଇଛନ୍ତି ।

ପୁରୀ ବନ୍ଦ ପ୍ରସଙ୍ଗରେ ଜିଲ୍ଲାପାଳଙ୍କୁ ୮ ଦଫା ଦାବି ସମ୍ବଳିତ ଦାବିପତ୍ର ସୋମବାର ପ୍ରଦାନ କରାଯାଇଛି । ଧାଡି ଦର୍ଶନକୁ ବିରୋଧ, ସାମ୍ବାଦିକ ଓ ନିରୀହ ଜନତାଙ୍କୁ ପୁଲିସର ଅମାନୁଷିକ ଆକ୍ରମଣ, ଶ୍ରୀମନ୍ଦିରରେ ଭକ୍ତ-ବ୍ରାହ୍ମଣ-ସେବକମାରଣ ନୀତିର ପ୍ରତିବାଦ, ବ୍ରହ୍ମବିଭ୍ରାଟ ରିପୋର୍ଟକୁ ସାର୍ବଜନିନ କରିବା, ସିଦ୍ଧ ମହାବୀର ରେଳ ଫାଟକଠାରେ ଓଭରବ୍ରିଜ ନିର୍ମାଣ, ଦାଦାବଟି, ପିସି କାରବାର ବନ୍ଦ, ରତ୍ନଭଣ୍ଡାର ଖୋଲିବା ଆଦି ଦାବି କରାଯାଇଛି ।