ଜୋରସୋରେ ଚାଲିଛି ରଥ ନିର୍ମାଣ : ସରିଲା ପୋଟଳ,ରଙ୍ଗ ଦେବା କାମରେ ବ୍ୟସ୍ତ ଅଛନ୍ତି ମହାରଣା

34

କନକ ବ୍ୟୁରୋ : ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବା ବେଳେ କେବଳ ରଥ ଉପର କାମ ବାକି ରହିଛି । ଏହି କାମକୁ ରଥଯାତ୍ରା ପୂର୍ବରୁ ମହାରଣା ସେବକମାନେ ଶେଷ କରିବାକୁ ଲକ୍ଷ୍ୟ ରଖିଛନ୍ତି । ଆଜି ମହାରଣା ସେବକ ଓ ଭୋଇ ସେବକମାନେ ପୋଟଳ କାମ ଶେଷ କରିଛନ୍ତି । ତିନି ରଥ ନନ୍ଦିଘୋଷ, ତାଳଧ୍ୱଜ ଓ ଦର୍ପଦଳନ ରଥର ଆଜି ପୋଟଳ ଉଠିଛି । ରଥର ଉପର ଭାଗରେ ସଂଯୋଗ ହେଉଥିବା ପୋଟଳ ରଥର ମୁଖ୍ୟ କାମ ଭାବେ ପରିଗଣିତ ହୁଏ । ସେପଟେ ଗତକାଲି ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ପ୍ରଭା କାମ ଆଜି ଶେଷ ହୋଇଛି ।

ଆସନ୍ତାକାଲିଠାରୁ ରଥ ଉପରେ ମହାରଣା ସେବକମାନେ କାମ କରିବେ । ଦେବ ସିଂହାସନ ସହ ଅନ୍ୟାନ୍ୟ କାମ ସଂପାଦନ ହେବ । ତିନି ରଥର ଦୁଆର କାମ ସଂପୂର୍ଣ୍ଣ ହୋଇଥିବା ବେଳେ ଏହାର ବାକି କାମ ଆସନ୍ତାକାଲିଠାରୁ ଆରମ୍ଭ ହେବ । ଅନ୍ୟପଟେ ମହାରଣା ସେବକମାନେ ତିନି ରଥରେ ରଙ୍ଗ ଦେବା କାମକୁ ଆଗେଇ ନେଇଛନ୍ତି । ପୂର୍ବରୁ ପ୍ରସ୍ତୁତ ଗୁଜ, କୋଣଗୁଜ ରଥରେ ସଂଯୋଗ ପରେ ଏଥିରେ ରଙ୍ଗ ଦିଆ କାମକୁ ରୂପକାର ସେବକମାନେ ଆଗେଇ ନେଇଛନ୍ତି । ସେପଟେ ପାର୍ଶ୍ୱ ଦେବାବେଦୀ, ଶୁଆ, ଘୋଡ଼ାରେ ରଙ୍ଗ ଦେବା କାମକୁ ବି ଚିତ୍ରକାରମାନେ ଆଗେଇ ନେଇଛନ୍ତି । ଦୋଳବେଦି କମାରଶାଳରେ କମାର ସେବକମାନେ କଣ୍ଟା ତିଆରି କାମକୁ ତ୍ୱରାନ୍ଵିତ କରିଛନ୍ତି ।